ବଧୂ ନିର୍ଯାତନା ପରେ ଆତ୍ମହତ୍ୟା ଅଭିଯୋଗ, ସ୍ୱାମୀ ଗିରଫ

ବଧୂ ନିର୍ଯାତନା ପରେ ଆତ୍ମହତ୍ୟା ଅଭିଯୋଗ, ସ୍ୱାମୀ ଗିରଫ

ବଧୂ ନିର୍ଯାତନା ପରେ ଆତ୍ମହତ୍ୟା ଅଭିଯୋଗ, ସ୍ୱାମୀ ଗିରଫ

ବଧୂ ନିର୍ଯାତନା ପରେ ଆତ୍ମହତ୍ୟା ଅଭିଯୋଗ, ସ୍ୱାମୀ ଗିରଫ

ଭୁବନେଶ୍ବର(କଳିଙ୍ଗ ବିକାଶ): ଦୀର୍ଘଦିନ ଧରି ଚାଲିଥିବା ପାରିବାରିକ ଅଶାନ୍ତି ଓ ନିର୍ଯାତନାକୁ କେନ୍ଦ୍ର କରି ଜଣେ ବିବାହିତା ମହିଳା ଚରମ ପଦକ୍ଷେପ ନେଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାରେ ମୈତ୍ରୀବିହାର ଥାନା ପୋଲିସ ମୃତ ମହିଳାଙ୍କ ସ୍ୱାମୀ ତଥା ମୁଖ୍ୟ ଅଭିଯୁକ୍ତ ଉମାକାନ୍ତ ଓରଫ କାବୁଲାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମାମଲାରେ ପରିବାରର ଅନ୍ୟ ସଦସ୍ୟଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସର ତଦନ୍ତ ଜାରି ରହିଛି।ଅଭିଯୋଗକାରୀ ଅର୍ଜୁନ ବରାଡ଼ଙ୍କ ଲିଖିତ ଏତଲା ଆଧାରରେ ମୈତ୍ରୀବିହାର ଥାନାରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ପୋଲିସର ତଦନ୍ତ ଅନୁସାରେ, ଅଭିଯୋଗକାରୀଙ୍କ ଝିଅ ସଂଯୁକ୍ତା ପ୍ରାୟ ୧୪ ବର୍ଷ ପୂର୍ବେ ଅଭିଯୁକ୍ତ ଉମାକାନ୍ତ ଓରଫ କାବୁଲାଙ୍କୁ ବିବାହ କରିଥିଲେ।ବିବାହ ପରେ ଅଭିଯୁକ୍ତ ଜଣକ ସାଇକେଲ୍ ଦୋକାନ କରିବା ଏବଂ ସାଲିଆ ସାହି ଅଞ୍ଚଳରେ ଜାଗା କିଣିବା ନାମରେ ଶ୍ୱଶୁର ଘରୁ ବାରମ୍ବାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ପୋଲିସର ସୂଚନା ଅନୁଯାୟୀ, ଏହିପରି ଭାବେ ପ୍ରାୟ ୪ ଲକ୍ଷ ଟଙ୍କା ନିଆଯାଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ଟଙ୍କା ଫେରସ୍ତକୁ କେନ୍ଦ୍ର କରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ଓ ପାରିବାରିକ ଅଶାନ୍ତି ଲାଗି ରହୁଥିଲା।ଅଭିଯୋଗ ଅନୁସାରେ, ଅଭିଯୁକ୍ତ ଉମାକାନ୍ତ ଓ ତାଙ୍କ ପରିବାରର କିଛି ସଦସ୍ୟ ସଂଯୁକ୍ତାଙ୍କୁ ଖାଇବାକୁ ନଦେବା, ଘରେ ବନ୍ଦ କରି ରଖିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଟଙ୍କା ପାଇଁ ତାଙ୍କୁ ନିୟମିତ ଭାବେ ଗାଳିଗୁଲଜ ଓ ହଇରାଣ କରାଯାଉଥିବା ମଧ୍ୟ ଏତଲାରେ ଉଲ୍ଲେଖ ରହିଛି।ଘଟଣାର ଗୁରୁତ୍ୱ ବଢ଼ାଇଥିବା ଭାବେ ଗତ ୧୯ ଅଗଷ୍ଟ ୨୦୨୬ ରାତିରେ ସଂଯୁକ୍ତା ନିଜ ମା'ଙ୍କୁ ଫୋନ୍ କରି ସ୍ୱାମୀ ଓ ଦିଅର ଟଙ୍କାକୁ କେନ୍ଦ୍ର କରି ତାଙ୍କୁ ଗାଳିଗୁଲଜ କରିବା ସହ ନିର୍ଯାତନା ଦେଉଥିବା ଜଣାଇଥିଲେ। ଏହା ପରଦିନ, ଅର୍ଥାତ୍ ୨୦ ଅଗଷ୍ଟ ୨୦୨୬ ସକାଳେ ପରିବାର ଲୋକେ ଖବର ପାଇ କ୍ୟାପିଟାଲ୍ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ସେମାନେ ସଂଯୁକ୍ତାଙ୍କ ମୃତଦେହ ଦେଖିଥିଲେ।ପୋଲିସ ତଦନ୍ତରେ ଏପର୍ଯ୍ୟନ୍ତ ସଂଗୃହୀତ ପ୍ରମାଣ ଓ ତଥ୍ୟ ଆଧାରରେ, ଦୀର୍ଘଦିନର ପାରିବାରିକ ଅଶାନ୍ତି ଏବଂ ନିର୍ଯାତନା ସହିନପାରି ସଂଯୁକ୍ତା ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ପୋଲିସ ପକ୍ଷରୁ କୁହାଯାଇଛି।ଘଟଣାରେ ସଂଗୃହୀତ ପ୍ରମାଣ ଆଧାରରେ ମୈତ୍ରୀବିହାର ଥାନା ପୋଲିସ ସାଲିଆ ସାହି ଅଞ୍ଚଳରେ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତ ତଥା ମୃତ ସଂଯୁକ୍ତାଙ୍କ ସ୍ୱାମୀ ଉମାକାନ୍ତଙ୍କୁ ଗିରଫ କରିଛି। ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଛି।ତେବେ ଏହି ଘଟଣାରେ ଅଭିଯୁକ୍ତଙ୍କ ପରିବାରର ଅନ୍ୟ କେହି ସଦସ୍ୟଙ୍କ ସମ୍ପୃକ୍ତି ରହିଛି କି ନାହିଁ, ନିର୍ଯାତନାର ପ୍ରକୃତ କାରଣ କ'ଣ ଏବଂ ଘଟଣାର ଅନ୍ୟାନ୍ୟ ଦିଗ ନେଇ ମୈତ୍ରୀବିହାର ଥାନା ପୋଲିସର ଅଧିକ ତଦନ୍ତ ଜାରି ରହିଛି।