ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଅନୁଷ୍ଠିତ ହେଲା ବାର୍ଷିକ ପଦାଭିଷେକ ସମାରୋହ : Ommtv Kalinga Vikas
ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଅନୁଷ୍ଠିତ ହେଲା ବାର୍ଷିକ ପଦାଭିଷେକ ସମାରୋହ : Ommtv Kalinga Vikas
ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଅନୁଷ୍ଠିତ ହେଲା
ବାର୍ଷିକ ପଦାଭିଷେକ ସମାରୋହ : Ommtv Kalinga Vikas
୧୯/୦୭: ଆଜି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ବାର୍ଷିକ ପଦାଭିଷେକ ସମାରୋହ ସ୍କୁଲର
ଇନ୍ଦ୍ରପ୍ରସ୍ଥ ଅଡ଼ିଟୋରିୟମ୍ରେ ଆୟୋଜିତ ହୋଇଯାଇଅଛି । ଯେଉଁଥିରେ ନୂତନ
ଛାତ୍ର ପରିଷଦ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ
ଗର୍ବର ମୁହୂର୍ତ୍ତ ଯାହାକି ନେତୃତ୍ୱ, ଦାୟିତ୍ୱବୋଧତା, ସାମଗ୍ରିକ ଛାତ୍ରବିକାଶ ଏବଂ
ଆତ୍ମବିଶ୍ୱାସ ବଳରେ ସ୍କୁଲରେ ନିଜର ଶିକ୍ଷା ସହିତ ନିଜର ଦାୟିତ୍ୱକୁ କିପରି ସଠିକ୍
ଭାବେ ସମ୍ପାଦିତ କରିପାରିବେ, ଏହା ସମାରୋହର ମୂଳ ଉଦ୍ଦେଶ୍ୟ ଅଟେ ।
ଏହି ସମାରୋହରେ ଭୁବନେଶ୍ୱର-କଟକ ପୋଲିସ୍ କମିଶନର ଶ୍ରୀ ଏସ୍ ଦେବ ଦତ୍ତ ସିଂହ ମୁଖ୍ୟ
ଅତିଥି ଭାବେ ଯୋଗଦେଇଥିଲେ । ସ୍କୁଲର ଏନ୍ସିସି ଛାତ୍ରଛାତ୍ରୀମାନେ ସମ୍ମାନ ସହିତ ମୁଖ୍ୟ
ଅତିଥିଙ୍କୁ ସ୍ୱାଗତ କରିବାସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସୁମଧୁର ସ୍ୱରରେ ସଂଗୀତ
ପରିବେଷଣ କରାଯାଇଥିଲା । ୨୦୨୫-୨୬ ବର୍ଷ ପାଇଁ ଛାତ୍ର ପରିଷଦରେ ନୂତନ ପଦବୀ
ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କୁ ବ୍ୟାଜ୍ ପ୍ରଦାନ
କରିଥିଲେ । ଶ୍ରୀ ସିଂ ପ୍ରେରଣାଦାୟୀ ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ସାହସ,
ନମ୍ରତା ଏବଂ ନାଗରିକ ଦାୟିତ୍ୱର ମୂଲ୍ୟବୋଧକୁ ଆଲୋକପାତ କରିଥିଲେ । ନେତୃତ୍ୱ
କେବେବି ଏକ କାର୍ଯ୍ୟ ନୁହେଁ ବରଂ ଏହା ସହଯୋଗ, ସହାନୁଭୂତି ଓ ଅନ୍ୟମାନଙ୍କୁ ଉପରକୁ
ଉଠାଇବାର କ୍ଷମତା ବୃଦ୍ଧି କରାଏ ବୋଲି କହିଥିଲେ । ଆଜିର ଡିଜିଟାଲ ଦୁନିଆରେ
ଛାତ୍ରଛାତ୍ରୀ ମାନେ ସାଇବର ବିପଦ ପ୍ରତି ସତର୍କ ରହିବା, ସୋସିଆଲ ମିଡିଆରେ
ପୋଷ୍ଟ ବିଷୟରେ ସଚେତନତା ରହିବାକୁ ପରାମର୍ଶ ଦେଇଥିଲେ । ଫିସିଂ ପ୍ରାୟାସ ପ୍ରତି
ସଚେତନତା ରହିବା ସହ ଦୃଢ ଡିଜିଟାଲ ସ୍ୱଚ୍ଛତା ବ୍ୟବହାର କରିବାକୁ କହିଥିବାବେଳେ,
ଛାତ୍ରଛାତ୍ରୀମାନଙ୍କୁ ସଚେତନତା ଏବଂ ଦାୟିତ୍ୱ ସହିତ ନେତୃତ୍ୱ ନେବାକୁ ପ୍ରେରଣା
ଦେଇଥିଲେ ।

ବିଦ୍ୟାଳୟର ୪୩ଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗର ପଦପଦବୀରେ ଶପଥ ଗ୍ରହଣ
କରିଥିଲେ ଓ ୯୨ ଜଣ ଛାତ୍ରଛାତ୍ରୀ ବିଭିନ୍ନ କ୍ଲବର ଦାୟିତ୍ୱ ଗ୍ରହଣ କଲେ ।
ସାଇ ଇଣ୍ଟରନ୍ୟାସନାଲ୍ର ଚେୟାରପର୍ସନ ଡଃ ଶିଳ୍ପୀ ସାହୁ ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ
ଉଦ୍ଦେଶ୍ୟରେ କହିଥିଲେ ଯେ, ଏହି ସମାରୋହ କେବଳ ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମ ନଥିଲା,
ଏହା ସ୍କୁଲର ଦୃଢ ନେତୃତ୍ୱ ଏବଂ ସଂକଳ୍ପ ନେବାର ଉତ୍ସବ ଥିଲା । ଛାତ୍ରଛାତ୍ରୀମାନଙ୍କୁ
ସ୍ଥିରତା ଏବଂ ସାହସ ବିଷୟକୁ ନେଇଏକ କାହାଣୀ କହିଥିଲେ ଯେ, ଯେତେବେଳେ ଝଡ ଆସେ
ସେତେବେଳେ ଅଧିକାଂଶ ପକ୍ଷୀ ଆଶ୍ରୟ ଖୋଜନ୍ତି କିନ୍ତୁ ଚିଲ ଆଶ୍ରୟ ନିଏ ନାହିଁ,
ଝଡକୁ ଖାତିର ନକରି ପବନକୁ ବ୍ୟବହାର କରି ଉଚ୍ଚକୁ ଉଡେ । ସେହିପରି ତୁମେମାନେ
ଚ୍ୟାଲେଞ୍ଚରୁ ଉପରକୁ ଉଠିବାକୁ ପଡିବ ବୋଲି କହିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ
ନେତୃତ୍ୱ ନେବାର କୌଶଳ ଶିକ୍ଷା ଦେବା ସହିତ ଚ୍ୟାଲେଞ୍ଚ ନେବାକୁ ଆହ୍ୱାନ ଦେଇଥିଲେ ।
ପରିଶେଷରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ନେତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ଶିକ୍ଷା ବର୍ଷ ୨୦୨୫-୨୬ ପାଇଁ ହେଡ଼୍ ବୟ ଭାବେ ସାୟଦ୍ ଆୟାନ୍ ଅଲ୍ଲି ଓ ସାଗୁନ୍
ସାମନ୍ତରାୟ ହେର୍ଡ଼ ଗାର୍ଲ ଭାବେ ଚୟନ ହୋଇଥିଲେ ।
ଏହି କାର୍ଯ୍ୟକ୍ରମରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ସିନିୟର ପ୍ରିନ୍ସିପାଲ ନୀଳକଣ୍ଠ
ପାଣିଗ୍ରାହୀ, ସେକେଣ୍ଡାରୀ ପ୍ରିନ୍ସିପାଲ ପ୍ରକାଶ ଚନ୍ଦ୍ର ସାହୁ ଓ ଜୁନିୟର ପ୍ରିନ୍ସିପାଲ
ରଶ୍ମି ପାଣ୍ଡେ ଉପସ୍ଥିତ ଥିଲେ ।
