ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମୁଖରିତ ହେଲା ସୁଧା ସର୍ଜ୍ଜନା ମହାମହୋତ୍ସବ
ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମୁଖରିତ ହେଲା ସୁଧା ସର୍ଜ୍ଜନା ମହାମହୋତ୍ସବ
ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମୁଖରିତ ହେଲା ସୁଧା ସର୍ଜ୍ଜନା ମହାମହୋତ୍ସବ

(କଳିଙ୍ଗ ବିକାଶ )୮/୨:ଉତ୍ତର ଭୁବନେଶ୍ବର କୁଆଖାଇ ନଦୀପଠା ବାଲିଯାତ୍ରା ପଡ଼ିଆ(ବରିମୁଣ୍ଡ)ରେ ରବିବାର ସୁଧା ସର୍ଜ୍ଜନା ମହାମହୋତ୍ସବ ମହାସମାରେହରେ ପାଳିତ ହୋଇଯାଇଛି। ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୮ତମ ଜନ୍ମ ମହୋତ୍ସବ ଏବଂ ଭୁବନେଶ୍ବର ସତସଙ୍ଗ ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଏହି ଉତ୍ସବରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ପ୍ରତ୍ୟୁଷରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ବିବିଧ କାର୍ଯ୍ୟକ୍ରମ ମାଧ୍ଯମରେ ବାଲି ଯାତ୍ରା ପଡ଼ିଆ ନୂଆ ରୂପ ପାଇଥିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ସତ୍ସଙ୍ଗୀ ତଥା ଶ୍ରଦ୍ଧାଳୁଙ୍କ ସମାଗମରେ ଉତ୍ସବମୁଖର ହୋଇପଡ଼ିଥିଲା ଏହି ମହାମହୋତ୍ସବ।

ବାଲିଯାତ୍ରା ପଡ଼ିଆରେ ନିର୍ମିତ ବାଣୀବିହାର ସତସଙ୍ଗ ଶ୍ରୀମନ୍ଦିର ପ୍ରତିକୃତି ସୁଦୃଶ୍ୟ ମନ୍ଦିରରେ ଊକ୍ଷା କୀର୍ତ୍ତନ , ପ୍ରାତଃ ବିନତୀ, ସମବେତ ନାମଜପ, ସଦ୍ଗ୍ରନ୍ଥ ପାଠରେ ପରିବେଶ ଭାବମୟ ହୋଇ ଉଠିଥିଲା। ଏହାପରେ ଭାତୃ ମଞ୍ଚରେ ଆରମ୍ଭ ହୋଇଥିଲା ଭଜନ, କୀର୍ତ୍ତନ, ଯାଜନ ଏବଂ ପିଲାମାନଙ୍କ ଦ୍ବାରା ସଙ୍ଗୀତ ଭିଭିକ କାର୍ଯ୍ୟକ୍ରମ। ସକାଳ ୮ଟା ସମୟରେ ମାତୃ ମଞ୍ଚରେ ଝିଅ ଏବଂ ମା'ମାନଙ୍କ ଦ୍ବାରା ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନ ୧୧ଟାରେ ଉତ୍ସବ ଲାଗି ପ୍ରକାଶିତ ସ୍ମରଣିକା 'ତର୍ପଣ'କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ତ୍ତ, ଅବକାରୀ ଏବଂ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗ ଦେଇ କହିଥିଲେ, “ସତ୍ସଙ୍ଗ ମଣିଷ ଭିତରେ ଏକ ସକାରାତ୍ମକ ଭାବ ସୃଷ୍ଟି କରିଚାଲିଛି। ଏହା ମଣିଷ ଭିତରେ ପାରସ୍ପରିକତା ବୃଦ୍ଧି କରୁଛି। ଭାତୃ ଭାବ ସୃଷ୍ଟି ସହ ସୁସ୍ଥ ସମାଜ ଗଠନରେ ଏହା ସହାୟକ ହେଉଛି।" ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୂର୍ବତନ ସାଂସଦ ଅମର ପଟ୍ଟନାୟକ କହିଥିଲେ, ଗୁରୁକୈନ୍ଦ୍ରିକ ଜୀବନ ଭଲ ମଣିଷ ହେବାରେ ସହାୟକ ହୋଇଥାଏ। ଉତ୍ସବ ଅବସରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ପୂର୍ବତନ ବିଧାୟକ ତଥା ସମ୍ବାଦ ଖବରକାଗଜର ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜେପି ବରିଷ୍ଠ ନେତା ଗୋଲଖ ମହାପାତ୍ର,ବିଜେପି ନେତା ଚିତ୍ତରଞ୍ଜନ କଂସଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଗଣ ଯୋଗ ଦେଇଥିଲେ।ଏହା ପରେ ଭାତୃମଞ୍ଚରେ ଚିକିତ୍ସକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ବରିଷ୍ଠ ବିଶେଷଜ୍ଞମାନେ ଯୋଗ ଦେଇ ବିଭିନ୍ନ ରୋଗର ନିରାକରଣ ତଥା ସହଜ ଚିକିତ୍ସା ସମ୍ପର୍କରେ ସୂଚିତ କରାଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ଚିତ୍ତାକର୍ଷକ ‘ଦଶାବତାରମ୍' କାର୍ଯ୍ୟକ୍ରମ। ଆଲୋକ, ଚିତ୍ର ଏବଂ ସଙ୍ଗୀତ ସମ୍ମିଶ୍ରଣରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଆଗତୁଙ୍କ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ସୃଷ୍ଟି ହୋଇଥିଲା । ଅନ୍ୟ ପକ୍ଷରେ ମାତୃମଞ୍ଚରେ ଅନୁଷ୍ଠିତ ନାଟକ ‘ପରଶମଣି ଦର୍ଶକଙ୍କୁ ଅଭିଭୂତ କରିଥିଲା। ଏଥି ସହିତ ସକାଳରୁ ଆରମ୍ଭ ହୋଇଥିବା ବିଶାଳ ମେଡିକାଲ୍ କ୍ୟାମ୍ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା। ପ୍ରାୟ ପାଞ୍ଚ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି ଡାକ୍ତରୀ ପରାମର୍ଶ ଲାଭ କରିଥିବା ବେଳେ ସହସ୍ରାଧିକ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣା ଔଷଧ ବିତରଣ କରାଯାଇଥିଲା । ଏହି ଅବସରରେ ରାଜ୍ୟର ବରିଷ୍ଠ ଆଇନଜୀବୀଙ୍କୁ ନେଇ ଆଇନ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ହଜାରେରୁ ଅଧିକ ବ୍ୟକ୍ତି ବ୍ୟକ୍ତିଗତସ୍ତରରେ ଆଇନ ପରାମର୍ଶ ଲାଭ କରିଥିଲେ।

ସନ୍ଧ୍ୟା ୫ଟା ୪୧ରେ ସନ୍ଧ୍ୟା ବିନତୀ ପରେ ଆରମ୍ଭ ହୋଇଥିଲା ଚିତ୍ତାକର୍ଷକ ‘ହ୍ୱାଇଟ ବ୍ୟାଣ୍ଡ' କାର୍ଯ୍ୟକ୍ରମ। ଧୋତୀ ପଞ୍ଜାବୀ ପରିହିତ ସମସ୍ତ କଳାକାରଙ୍କ ଆକର୍ଷଣୀୟ ସଙ୍ଗୀତ ପରିବେଷଣ ଉପସ୍ଥିତ ଶ୍ରଦ୍ଧାଳୁ ଙ୍କୁ ବିମୋହିତ କରିଥିଲା । ଏଥି ସହ ବିବିଧ ଆଲୋକମାଳା ରେ ସଜ୍ଜିତ ଉତ୍ସବ ସ୍ଥଳ ଏବଂ ନଦୀ ପଠା ନୂଆ ରୂପ ପାଇଥିଲା । ଏହି ଉତ୍ସବକୁ ଉପଭୋଗ କରିଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଆନନ୍ଦ ବଜାରରେ ପ୍ରସାଦ ସେବନ କରିଥିଲେ। ସହ-ପ୍ରତି ରତିକ ଡ଼ ଅଭୟ କୁମାର ପରିଡ଼ା, ଇଂ କଳିଙ୍ଗ କେଶରୀ ରଥ, ଶାଶ୍ବତ ପରିଡ଼ା, ରଜନୀକାନ୍ତ ପାଣି, କୃପାନିଧି ବିଶ୍ବାଳ, ରଘୁନାଥ ପାଣି, କମଳାକ୍ଷ ପରିଡ଼ାଙ୍କ ସମେତ ବହୁ ଯୁବ କର୍ମୀଙ୍କ ପରିଚାଳନା ତଥା ପୋଲିସ ପ୍ରଶାସନ ସମେତ ବିଭିନ୍ନ ପ୍ରଶାସନିକ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବ ଏକ ଭାବମୟ ପରିବେଶ ସୃଷ୍ଟି କରିଥିଲା।
