ବିଜୟା ଦଶମୀରେ ଜଳିଲା ରାବଣ
ବିଜୟା ଦଶମୀରେ ଜଳିଲା ରାବଣ
ବିଜୟା ଦଶମୀରେ ଜଳିଲା ରାବଣ
ଭୁବନେଶ୍ବର: ଯୁଗେ ଯୁଗେ ଅଧର୍ମ ଉପରେ ଧର୍ମର ବିଜୟ ଓ ଅସତ୍ୟ ଉପରେ ସତ୍ୟର ବିଜୟ ହୁଏ। ଏହି ବିଶ୍ବାସର ବାର୍ତ୍ତା ନେଇ ଆସେ ବିଜୟା ଦଶମୀ। ମା’ ଦୁର୍ଗାଙ୍କ ଆଶିଷ ଲାଭ କରି ପ୍ରଭୁ ରାମଚନ୍ଦ୍ର ସେଦିନ ଅର୍ଧମର ପ୍ରତୀକ ରାବଣକୁ ବଧ କରିଥିଲେ। ଏହାପରେ ପାଳନ ହୋଇଥିଲା ବିଜୟା ଦଶମୀ ଓ ସେବେଠୁ ରାବଣ ଦହନ ଏକ ପର୍ବ ଭାବେ ପାଳିତ ହୋଇଆସୁଛି। ଷୋଳଦିନର ଧରାବତରଣ ପରେ ପବିତ୍ର ବିଜୟା ଦଶମୀରେ ଶ୍ରଦ୍ଧାଳୁଙ୍କୁ ଶେଷ ଦର୍ଶନ ଦେବା ସହ ଧରାପୃଷ୍ଠରୁ ବିଦାୟ ନେବାକୁ ଯାଉଛନ୍ତି ଜଗଜ୍ଜନନୀ ମା’ ଦୁର୍ଗା। ଏଥିପାଇଁ ରାଜଧାନୀରେ ୫ ଦିନ ଧରି ପୂଜାମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ଲାଗିଥିଲା। ରସୁଲଗଡ଼, ପଳାଶୁଣୀ, ସହିଦନଗର, ନୂଆପଲ୍ଲୀ, ବରମୁଣ୍ଡା, ବମିଖାଲ, ଷ୍ଟେସନ୍ ବଜାର, ବଡ଼ଗଡ଼, ୟୁନିଟ୍-୧ ଆଦି ପୂଜାମଣ୍ଡପ ସବୁଠି ରାତିତମାମ ଶ୍ରଦ୍ଧାଳୁମାନେ ମା’ଙ୍କ ଆଶିଷ ଲାଭ କରିଥିଲେ। ଷଷ୍ଠୀଠାରୁ ମା’ଙ୍କୁ ଦର୍ଶନର ସୌଭାଗ୍ୟ ଅର୍ଜିଥିବା ଶ୍ରଦ୍ଧାଳୁ ଆଜି ଶେଷ ଦିନରେ ମନଭରି ମା’ଙ୍କୁ ଦେଖି ଲୋତକ ଝରାଇଛନ୍ତି। ଷଷ୍ଠୀଠାରୁ ପୂଜାମଣ୍ଡପଗୁଡ଼ିକରେ ଯେଭଳି ଭିଡ଼ ଲାଗିଥିଲା, ଆଜି କେତେକାଂଶରେ ଭିଡ଼ କମିଛି।ଅପରପକ୍ଷେ, ଆଜି ଭୁବନେଶ୍ବରର ୯ଟି ସ୍ଥାନରେ ରାବଣପୋଡ଼ି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଆଜି ନୂଆପଲ୍ଲୀ କସ୍ତୁରବା ଖେଳପଡ଼ିଆ, ବରମୁଣ୍ଡା ଖେଳପଡ଼ିଆ, କୋରଡ଼କଣ୍ଟା ଖେଳପଡ଼ିଆ, ବାଙ୍କୁଆଳ ସହ ଅନ୍ୟ ସ୍ଥାନରେ ମହାସମାରୋହରେ ରାବଣପୋଡ଼ି ଉତ୍ସବ ପାଳିତ ହୋଇଯାଇଛି। ନୂଆପଲ୍ଲୀରେ କେବଳ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ବରମୁଣ୍ଡା, କୋରଡ଼କଣ୍ଟା ଓ ଅନ୍ୟ ସ୍ଥାନରେ ବାଜା, ବାଣରେ ଖଣ୍ଡମଣ୍ଡଳ ପ୍ରକମ୍ପିତ ହୋଇଛି। ନୂଆପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ଉପଦେଷ୍ଟା ନବକିଶୋର ବେହେରାଙ୍କ ତତ୍ତ୍ବାବଧାନରେ ଆୟୋଜିତ ନୂଆପଲ୍ଲୀ ରାବଣପୋଡ଼ି ଉତ୍ସବରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମିତିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

