ଆଗକୁ ପର୍ଯ୍ୟଟନ ଋତୁ, ବଢ଼ୁଛନ୍ତି ପର୍ଯ୍ୟଟକ: ୫ ବର୍ଷରେ ସରିଲାନି ରାସ୍ତା କାମ

ଆଗକୁ ପର୍ଯ୍ୟଟନ ଋତୁ, ବଢ଼ୁଛନ୍ତି ପର୍ଯ୍ୟଟକ: ୫ ବର୍ଷରେ ସରିଲାନି ରାସ୍ତା କାମ

ଆଗକୁ ପର୍ଯ୍ୟଟନ ଋତୁ, ବଢ଼ୁଛନ୍ତି ପର୍ଯ୍ୟଟକ: ୫ ବର୍ଷରେ ସରିଲାନି ରାସ୍ତା କାମ

  ଆଗକୁ ପର୍ଯ୍ୟଟନ ଋତୁ, ବଢ଼ୁଛନ୍ତି ପର୍ଯ୍ୟଟକ: ୫ ବର୍ଷରେ ସରିଲାନି ରାସ୍ତା କାମ

 

ପୁରୁଣା ଭୁବନେଶ୍ୱର: ପର୍ଯ୍ୟଟକଙ୍କ ଭ୍ରମଣ ପାଇଁ ଏକାମ୍ର କ୍ଷେତ୍ରରେ ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ବିଭିନ୍ନ ମନ୍ଦିର ରହିଛି। ମୁକ୍ତେଶ୍ବର ତୋରଣ, ବିନ୍ଦୁସାଗରର ମ୍ୟୁଜିକାଲ ଫାଉଣ୍ଟେନ୍‌ ସହ ଲିଙ୍ଗରାଜ ମନ୍ଦିର ଆଗରେ ଥିବା ସୌନ୍ଦର୍ଯ୍ୟୀକରଣ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଆଗକୁ ପର୍ଯ୍ୟଟନ ଋତୁ ଆସିବା ପୂର୍ବରୁ ଏବେଠୁ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପ୍ରତିଦିନ ପ୍ରାୟ ୧୦ହଜାରରୁ ୨୦ହଜାର ଶ୍ରଦ୍ଧାଳୁ ମନ୍ଦିରକୁ ଆସୁଥିବା ଜଣାପଡ଼ିଛି। ପ୍ରତିଦିନ ଶହେରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ବସ୍‌ ସମେତ ୫ ଶହରୁ ଅଧିକ କାର୍‌ ଯୋଗେ ଆସୁଥିବା ଦେଖିବାକୁ ମିଳୁଛି। ସେହିପରି ଧଉଳିରେ ମଧ୍ୟ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଲାଣି। ଏଠାରେ ମଧ୍ୟ ପ୍ରତିଦିନ ଟୁରିଷ୍ଟ୍‌ ବସ୍‌ ଓ ଅନ୍ୟ ଗାଡ଼ିରେ ପର୍ଯ୍ୟଟକ ଆସୁଛନ୍ତି। ବଡ଼ କଥା ହେଉଛି, ଏବେ ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି।ପ୍ରତିଦିନ ଅଧିକ ଟୁରିଷ୍ଟ ବସ୍ ପହଞ୍ଚୁଛି। ଶୀତ ଆସିଲେ ଓ ସ୍କୁଲ ପିଲାଙ୍କ ପରୀକ୍ଷା ସରିଲେ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସଂଖ୍ୟା ନିଶ୍ଚୟ ବଢ଼ିବ ବୋଲି ସେବାୟତ ଗୋପାଳ ମକଦ୍ଦମ କହିଛନ୍ତି। ସେପଟେ ଝଟକୁଛି ‘ବିନ୍ଦୁସାଗର ମ୍ୟୁଜିକାଲ୍‌ ଫାଉଣ୍ଟେନ୍‌ ଓ ଲେଜର୍‌ ସୋ’। ବିନ୍ଦୁସାଗର କୂଳରେ ବସି ଲୋକେ ମଜା ନେଉଛନ୍ତି ମ୍ୟୁଜିକାଲ ଫାଉଣ୍ଟେନ୍‌ର। ଶୂନ୍ୟରେ ନାଚୁଛି ତରଙ୍ଗାୟିତ ଜଳରାଶି। ରଙ୍ଗିନ୍‌ ଆଲୁଅର ସ୍ପର୍ଶ ପାଇ ଇନ୍ଦ୍ରଧନୁର ଚିତ୍ର ଆଙ୍କୁଛି ଜଳର ଫୁଆରା। ଶିବ ପଞ୍ଚାକ୍ଷରିର ତାଳେତାଳେ ନାଚୁଛି ଜଳ ଆଉ ଆଲୋକମାଳା। ଏବେ ଏହା କାର୍ଯ୍ୟକ୍ଷମ ହୋଇଥିବାରୁ ଅପରାହ୍ଣରେ ବିନ୍ଦୁସାଗର କୂଳରେ ବିଭିନ୍ନ ପର୍ଯ୍ୟଟକଙ୍କଙ୍କୁ ଦେଖିବାକୁ ମିଳୁଛି। ଅପରାହ୍ଣ ୫ଟାରୁ ସନ୍ଧ୍ୟା ସାଢ଼େ ୯ଟା ପର୍ଯ୍ୟନ୍ତ ବିନ୍ଦୁସାଗର କୂଳରେ ଶୀତଳ ପ୍ରାକୃତିକ ପବନର ଉପଭୋଗ କରୁଛନ୍ତି। ପୂର୍ବଘାଟ, ଉତ୍ତରେଶ୍ବର ଘାଟ, ଦ୍ବାରବାସିନୀ ଘାଟରେ ଅଧିକ ପଯ୍ୟଟକ ଓ ଯୁବକ-ଯୁବତୀ ବସୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ, ଏକାମ୍ର କ୍ଷେତ୍ରରେ ପର୍ଯ୍ୟଟକଙ୍କ ଆଗମନ ବଢ଼ୁଥିବା ବେଳେ ମନ୍ଦିର ଚାରିପଟେ ଗାଡ଼ି ପାର୍କିଂ ସମସ୍ୟା ଗୁରୁତର ହେବାରେ ଲାଗିଛି। ଫଳରେ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଗାଡ଼ି ରଖିବା ପାଇଁ ହଇରାଣ ହେଉଛନ୍ତି। ଏହାର ସମାଧାନ ପାଇଁ ସାନିଟୋରିୟମ୍‌ ଛକ ନିକଟରେ ନିର୍ମାଣାଧୀନ ବସ୍‌ଷ୍ଟାଣ୍ଡ୍‌ କାମ ଶୀଘ୍ର ଶେଷ କରିବା ସହ ରାସ୍ତା ନିର୍ମାଣ କାମ ସମ୍ପୂର୍ଣ୍ଣ କରିବା ଜରୁରୀ ହୋଇପଡ଼ିଛି। ସାନିଟୋରିୟମ୍‌ ଛକ ନିକଟରେ ବସ୍‌ଷ୍ଟାଣ୍ଡ୍‌ ନିର୍ମାଣକାମ ୪ ବର୍ଷ ହେଲା ଚାଲିଥିବା ବେଳେ ଲିଙ୍ଗରାଜ ନୂଆ ମାର୍କେଟ୍‌ରୁ କେଦାରଗୌରୀ ଛକକୁ ଯାଉଥିବା ରାସ୍ତାର ନିର୍ମାଣ କାମକୁ ୫ ବର୍ଷ ବିତିଲାଣି। ଅଥଚ ଏଯାଏଁ କାମ ଶେଷ ହୋଇନାହିଁ। ଓବିସିସି ପକ୍ଷରୁ ଚାଲିଥିବା କାମ ଶେଷ ହେବାକୁ ଆହୁରି କିଛି ଦିନ ଲାଗିବ ବୋଲି କୁହାଯାଉଛି। ଏହି ରାସ୍ତା ନିର୍ମାଣ ପାଇଁ ୫ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ନୂଆ ବସ୍‌ଷ୍ଟାଣ୍ଡ୍‌ ନିର୍ମାଣ ପାଇଁ ୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯାଉଛି। ଓବିସିସିର ଜଣେ ଅଧିକାରୀ ନାମ ଗୋପନ ରଖି ଏହି ସୂଚନା ଦେଇଛନ୍ତି। ତେବେ ବର୍ଷ ବର୍ଷ ଧରି ଚାଲିଥିବା ବସ୍‌ଷ୍ଟାଣ୍ଡ୍‌ ଓ ରାସ୍ତା ନିର୍ମାଣ କାମ କେବେ ଶେଷ ହେବ, ତାକୁ ସ୍ଥାନୀୟ ଲୋକଙ୍କ ସମେତ ପର୍ଯ୍ୟଟକମାନେ ଅପେକ୍ଷା କରି ରହିଛନ୍ତି।