ଏକାମ୍ରକ୍ଷେତ୍ରକୁ ଆସିଲେନି ହବିଷ୍ୟାଳି  

ଏକାମ୍ରକ୍ଷେତ୍ରକୁ ଆସିଲେନି ହବିଷ୍ୟାଳି  

ଏକାମ୍ରକ୍ଷେତ୍ରକୁ ଆସିଲେନି ହବିଷ୍ୟାଳି   

 ଏକାମ୍ରକ୍ଷେତ୍ରକୁ ଆସିଲେନି ହବିଷ୍ୟାଳି

 

ପୁରୁଣା ଭୁବନେଶ୍ୱର: ଦିନ ଥିଲା ପବିତ୍ର ମହାକାର୍ତ୍ତିକ ମାସରେ ଏକାମ୍ରକ୍ଷେତ୍ରରେ ଶୁଭୁଥିଲା ହବିଷ୍ୟାଳିମାନଙ୍କ ପୂଜାର୍ଚ୍ଚନାର କୋଳାହଳ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହବିଷ୍ୟାଳିମାନେ ଏହି ପ୍ରସିଦ୍ଧ ଶୈବପୀଠରେ ଏକାଠି ହେଉଥିଲେ। ଶ୍ରୀଲିଙ୍ଗରାଜ ମନ୍ଦିର ଓ ଶ୍ରୀ ଅନନ୍ତ ବାସୁଦେବଙ୍କ ମନ୍ଦିରରେ ହବିଷ୍ୟାଳିମାନଙ୍କୁ ଅବଢ଼ା ସେବନ କରିବା ଦେଖିବାକୁ ମିଳୁଥିଲା। ଧର୍ମଶାଳାରୁ ଭାସିଆସୁଥିଲା ସେମାନଙ୍କ ଭଜନ କୀର୍ତ୍ତନ। କୁମାର ପୂର୍ଣ୍ଣିମା ଦିନଠୁ ହବିଷ୍ୟାଳିମାନେ ଧର୍ମଶାଳାରେ ଏକାଠି ହେଉଥିଲେ। କିନ୍ତୁ ଚଳିତ ବର୍ଷ ଦେଖାଦେଇଛି ବ୍ୟତିକ୍ରମ। ଜଣେ ବି ହବିଷ୍ୟାଳି ଏକାମ୍ରକ୍ଷେତ୍ରକୁ ଆସିନାହାନ୍ତି।  ପୂର୍ବରୁ କଟକ, ବେଗୁନିଆ, ଖୋରଧା, ବାଲିପାଟଣା, ଜଟଣୀ, ନିଆଳି, ଖଣ୍ଡପଡ଼ା ଆଦି ଅଞ୍ଚଳରୁ ଶହଶହ ସଂଖ୍ୟାରେ ବୃଦ୍ଧାମାନେ ଏହି ବ୍ରତ ପାଳନ କରିବାକୁ ଏକାମ୍ରକ୍ଷେତ୍ରକୁ ଧାଇଁ ଆସୁଥିଲେ। ସେମାନେ ବିନ୍ଦୁସାଗର ତଟରେ ଥିବା ଦୁଧ୍‍ଵାଲା ଧର୍ମଶାଳାରେ  ରହୁଥିଲେ ଏବଂ ନିଜ ଖର୍ଚ୍ଚ ନିଜେ ବହନ କରୁଥିଲେ। ସକାଳୁ ସକାଳୁ ଧର୍ମଶାଳା ପରିସର ଓ ବିନ୍ଦୁସାଗର କୂଳ ହବିଷ୍ୟାଳିମାନଙ୍କ ପୂଜାର୍ଚ୍ଚନାରେ ଗୁଞ୍ଜରିତ ହୋଇଉଠୁଥିଲା। କିନ୍ତୁ କିଛି ବର୍ଷ ହେଲା ରାଜ୍ୟ ସରକାର ଶ୍ରୀକ୍ଷେତ୍ରରେ ହବିଷ୍ୟାଳିମାନଙ୍କ ପାଇଁ ମାଗଣା ବ୍ୟବସ୍ଥା କଲେ। ଏହାପରଠୁ ଏକାମ୍ରକ୍ଷେତ୍ରରେ ହବିଷ୍ୟାଳିଙ୍କ ସଂଖ୍ୟା କମିବାକୁ ଲାଗିଲା। ତଥାପି ବହୁ ବୃଦ୍ଧା ଏକାମ୍ରକ୍ଷେତ୍ରକୁ ଆସିବାକୁ ଭୁଲିନଥିଲେ। ଗତ ପ୍ରାୟ ୧୦ବର୍ଷ ହେଲା ନିହାତି ୭୦ ପାଖାପାଖି ହବିଷ୍ୟାଳି ଏଠାକୁ ଆସୁଥିଲେ। କିନ୍ତୁ ଚଳିତ ବର୍ଷ କେହି ଆସିଲେ ନାହିଁ। ସ୍ଥାନୀୟ ହବିଷ୍ୟାଳିମାନଙ୍କ କହିବା କଥା ଏଠାରେ ସ୍ନାନ କରିବା ବଡ଼ ସମସ୍ୟା। ତୀର୍ଥ ପୁଷ୍କରିଣୀ ବିନ୍ଦୁସାଗରରେ ସ୍ନାନ କରିବା ପାଇଁ ମନ ଥିଲେ ମଧ୍ୟ ନୀଳ ପାଣି ଯୋଗୁଁ ହବିଷ୍ୟାଳିମାନେ ପଛଘୁଞ୍ଚା ଦିଅନ୍ତି। ତେଣୁ ସେମାନେ ଧର୍ମଶାଳାଠାରୁ ଦୂରରେ ଥିବା ପୁଷ୍କରିଣୀରେ ସ୍ନାନ କରିବାକୁ ବାଧ୍ୟ ହୁଅନ୍ତି।ସେହି ପୁଷ୍କରିଣୀରେ ଗୋଡ଼ ଖସିଯିବାର ଭୟ ରହିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ରାଜ୍ୟ ସରକାର ଶ୍ରୀକ୍ଷେତ୍ରରେ ହବିଷ୍ୟାଳିମାନଙ୍କ ପାଇଁ ବହୁ ସୁବିଧା କରିଛନ୍ତି। ଅଥଚ ଏକାମ୍ରକ୍ଷେତ୍ରରେ ସେମାନଙ୍କ କୌଣସି ସୁବିଧା ନାହିଁ। ଯାହା ଫଳରେ ଚଳିତ ବର୍ଷ ଜଣେ ବି ହବିଷ୍ୟାଳି ଏଠାକୁ ଆସିନାହାନ୍ତି। ଏଠାରେ ସରକାରୀ ସୁବିଧା ନଥିବାରୁ ହବିଷ୍ୟାଳିମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୁରୀରେ ହବିଷ୍ୟାଳିମାନଙ୍କ ପାଇଁ ରହିବା, ମହାପ୍ରସାଦ ସେବନ କରିବା ଆଦି ସୁବିଧା ମିଳୁଛି। ଏଥିସହ ସେମାନଙ୍କୁ ବୀମା ଭୁକ୍ତ କରାଯାଉଛି। କିନ୍ତୁ ଏକାମ୍ରକ୍ଷେତ୍ରରେ ହବିଷ ବ୍ରତ ପାଇଁ ବିଧି ରହିଥିଲେ ହେଁ ସରକାରଙ୍କ ପକ୍ଷରୁ ଗୋଟିଏ ବି ସୁବିଧା ମିଳେନାହିଁ। ଚଳିତବର୍ଷ ଏଠାରେ ହବିଷ୍ୟାଳି ସଂଖ୍ୟା ଶୂନ ହୋଇଯିବା ଘଟଣା ଏକାମ୍ରବାସୀଙ୍କୁ ବ୍ୟଥିତ କରିଛି। ଭାରତର ଅନ୍ୟତମ ପ୍ରସିଦ୍ଧ ଶୈବପୀଠରେ ବହୁ ପ୍ରାଚୀନ ପରମ୍ପରା ବନ୍ଦ ହୋଇଯାଉଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି।