ରାସ୍ତାରେ କଂକ୍ରିଟ୍ ଆବର୍ଜନା ପକାଇବା ପଡ଼ିଲା ମହଙ୍ଗା: ଦୁଇ ସଂସ୍ଥାଙ୍କୁ ୪୫ହଜାର ଜରିମାନା
ରାସ୍ତାରେ କଂକ୍ରିଟ୍ ଆବର୍ଜନା ପକାଇବା ପଡ଼ିଲା ମହଙ୍ଗା: ଦୁଇ ସଂସ୍ଥାଙ୍କୁ ୪୫ହଜାର ଜରିମାନା
ରାସ୍ତାରେ କଂକ୍ରିଟ୍ ଆବର୍ଜନା ପକାଇବା ପଡ଼ିଲା ମହଙ୍ଗା: ଦୁଇ ସଂସ୍ଥାଙ୍କୁ ୪୫ହଜାର ଜରିମାନା
ଭୁବନେଶ୍ବର: ଭୁବନେଶ୍ବର ରାସ୍ତାରେ କଂକ୍ରିଟ୍ ଆବର୍ଜନା ପକାଇ ଦୁଇ ଠିକାସଂସ୍ଥା ତଣ୍ଡ ଗଣିଛନ୍ତି। ଭୁବନେଶ୍ବର ମହାନଗର ନିଗମ ଏମାନଙ୍କୁ ୪୫ହଜାର ଟଙ୍କା ଜରିମାନା କରିଛି। ଜଣଙ୍କୁ ୨୦ହଜାର ଓ ଅନ୍ୟ ଜଣଙ୍କୁ ୨୫ହଜାର ଟଙ୍କା ଜରିମାନା କରାଯାଇଛି। କିଛିଦିନ ତଳେ ମେ ଫେୟାର ସାଙ୍କ୍ଚୁଆରିରେ ଜାତୀୟ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଓ ଜାତୀୟ ଅର୍ବାନ୍ ସମ୍ମିଳନୀ ଶେଷ ହୋଇଛି। ଏଣୁ ଜାଭିୟର ଛକରୁ ଉତ୍କଳ ହସ୍ପିଟାଲ୍ ରାସ୍ତା ଦେଇ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ଅଧିକାରୀ ତିନିଦିନ ଧରି ଯା’ଆସ କରିଥିଲେ। ଏହି ରାସ୍ତାରେ ବି ଅତିଥିଙ୍କ ପାଇଁ ସାଇକେଲ୍ ଚଳାଇବାର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଏହା ସତ୍ତ୍ବେ ସମ୍ମିଳନୀ ସମୟରେ ଓ ସମ୍ମିଳନୀ ପରେ ଦୁଇସଂସ୍ଥା ଏହି ରାସ୍ତାକୁ କଂକ୍ରିଟ୍ ଆବର୍ଜନାରେ ଭରି ଦେଇଥିଲେ। ରାସ୍ତାରେ ଗୋଡ଼ି, ସିମେଣ୍ଟ, ବାଲିମିଶା କଂକ୍ରିଟ୍ ସବୁ ବିଛାଡ଼ି ହୋଇ ପଡ଼ିଥିଲା। ନିୟମିତ ଏଭଳି କରିବାରୁ ଦୁଇ ସଂସ୍ଥାକୁ ଆଜି ବିଏମ୍ସି ଜରିମାନା କରିଛି। ଲୁମ୍ବିନୀ ବିହାର ବୁଲାଣିଠାରୁ ଉତ୍କଳ ହସ୍ପିଟାଲ୍ ସମ୍ମୁଖ ପର୍ଯ୍ୟନ୍ତ ୨୦୦ ଫୁଟିଆ ରାସ୍ତାରେ କଂକ୍ରିଟ୍ ସାମଗ୍ରୀ ପକାଇବାରୁ କୋଣାର୍କ ଆର୍ଏମ୍ସିକୁ ୨୫ହଜାର ଟଙ୍କା ଜରିମାନା କରାଯାଇଛି। ସେହିଭଳି ବୁଦ୍ଧବିହାର ନିକଟ ୨୦୦ ଫୁଟିଆ ମୁଖ୍ୟରାସ୍ତାରେ କଂକ୍ରିଟ୍ ସାମଗ୍ରୀ ପକାଇବାରୁ ଷ୍ଟଲ୍ୱାର୍ଟକୁ ୨୦ହଜାର ଟଙ୍କା ଜରିମାନା କରାଯାଇଛି।

