ଶବସହ ତିନିଦିନ … ସ୍ତ୍ରୀକୁ କାଠ ଫାଳିଆରେ ପିଠି ହତ୍ୟା, ସ୍ବାମୀ ଗିରଫ : Ommtv.in

ଶବସହ ତିନିଦିନ … ସ୍ତ୍ରୀକୁ କାଠ ଫାଳିଆରେ ପିଠି ହତ୍ୟା, ସ୍ବାମୀ ଗିରଫ

ଶବସହ ତିନିଦିନ …  ସ୍ତ୍ରୀକୁ କାଠ ଫାଳିଆରେ ପିଠି ହତ୍ୟା, ସ୍ବାମୀ ଗିରଫ : Ommtv.in

ଶବସହ ତିନିଦିନ …

ସ୍ତ୍ରୀକୁ କାଠ ଫାଳିଆରେ ପିଠି ହତ୍ୟା, ସ୍ବାମୀ ଗିରଫ : Ommtv.in

BBSR, ୧୪/୩ : (ORC): ପୁଣି ଏକ ପରିବାର ନିଶା ପାଇଁ ଛାରଖାର ହୋଇଯାଇଛି। ପାରିବାରିକ ଝଗଡ଼ାକୁ କେନ୍ଦ୍ରକରି ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ବଚସା ହେବାରୁ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ସ୍ବାମୀ ସ୍ତ୍ରୀକୁ ଅମାନୁଷିକ ଭାବେ ଏକ କାଠ ଫାଳିଆରେ ପିଠି ହତ୍ୟା କରିଛି। ଏପରି ଘଟଣା ଆଜି ରାଜଧାନୀର ମୈତ୍ରୀବିହାର ଥାନା ଅଧୀନ ସାଲିଆସାହିର ତାରେଣୀ ନଗର ବସ୍ତିରେ ଘଟିଛି। ମୃତ ମହିଳା ଜଣଙ୍କ ନାମ ସ୍ବପ୍ନା ଜେନା (୪୦)। ତାଙ୍କ ବାପଘର ଗଞ୍ଜାମ ଜିଲ୍ଲା ପୋଲସରାରେ ହୋଇଥିଲା ବେଳେ କନ୍ଧମାଳର ଗୋଲଖ ବିହାରି ଜେନା(୪୫)ଙ୍କୁ ୨୦ ବର୍ଷ ପୂ‌ର୍ବେ ବିବାହ କରିଥିଲେ। ବିବାହପରେ ଭୁବନେଶ୍ବରର ସାଲିଆସାହି ବସ୍ତିକୁ ଚାଲିଆସି ଏକ ଠିକାଦାର ନିକଟରେ ଗୃହ ନିର୍ମାଣ କାମ କରୁଥିଲେ। ଏଥିମଧ୍ୟରେ ତାଙ୍କର ତିନିଟି ସନ୍ତାନ ଜନ୍ମହୋଇଥିଲେ। ମାତ୍ର ଗୋଲଖ ପ୍ରତିଦିନ ରାତିରେ ନିଶାପାନକରି ଘରକୁ ଫେରିବାପରେ ସ୍ତ୍ରୀ ସହ ବିଭିନ୍ନ ପାରିବାରିକ ସମସ୍ୟାକୁ ନେଇ ବଚସା କରି ମାଡ଼ ମାରୁଥିଲେ। ଗତ ଶନିବାର ଦିନ ବଡ଼ପୁଅ ଜୀବନ କୁମାର ଜେନା(୧୯) କୌଣସି କାମ ପାଇଁ ଗାଁକୁ ଚାଲିଯାଇଥିଲା ବେଳେ ରବିବାର ଦିନ ବିଳମ୍ବିତ ରାତିରେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଅର୍ଥକୁ ନେଇ ବଚସା ହୋଇଥିଲା। ଯାହାନେଇ ନିଶାସକ୍ତ ଅବସ୍ଥାରେ ଗୋଲଖ ଘର ଭିତରେ ଥିବା ଏକ କାଠ ଫାଳିଆରେ ସ୍ତ୍ରୀ ସ୍ବପ୍ନାକୁ ତିନି ପାହାର ମୁଣ୍ଡକୁ ପିଟିଦେଇଥିଲା। ଫଳରେ ପ୍ରବଳ ରକ୍ତ ଝରିବାରୁ ସ୍ବପ୍ନା ଘଟଣାସ୍ଥଳରେ ଛଟପଟ ହୋଇ ଜୀବନ ହାରିଦେଇଥିଲା। ଏହି ସମୟରେ ଆଉ ଏକ ଘରେ ଦୁଇ ସନ୍ତାନ (ଜଣେ ପୁଅ ଓ ଜଣେ ଝିଅ) ବାପା ଓ ମା’ଙ୍କ ଝଗଡ଼ା ଶୁଣି‌ ଶୋଇପଡ଼ିଥିଲେ। ସକାଳେ ଗୋଲଖ ମୃତଦେହ ଥିବା ଘରକୁ ତାଲା ପକାଇ କାମକୁ ବାହାରି ଯାଉଥିଲା। ସନ୍ଧ୍ୟାରେ ଆସି ପୁଣି ପିଲାମାନଙ୍କ ସହ ରହୁଥିଲା। କିନ୍ତୁ ଶବ ରହିଥିବା ‌ଘରକୁ କାହାକୁ ଛାଡ଼ୁନଥିଲା। ଆଜି ସକାଳେ ବଡ଼ ପୁଅ ଗାଁରୁ ଫେରି ବାପାଙ୍କୁ ମା’ ବିଷୟରେ ପଚାରିବାରୁ ବାପା ପ୍ରଥମେ କିଛି କହିନଥିଲା। ଅନ୍ୟ ପକ୍ଷରେ ନିକଟ ଘରୁ ଦୃଗନ୍ଧ ବାହାରୁଥିବାରୁ ବଡ଼ ପୁଅ ସନ୍ଦେହକରି ବାପାକୁ ତାଲା ଖୋଲିବାପାଇଁ କହିବାରୁ ବାପା ତିନି ପିଲାଙ୍କୁ ଗୋଟିଏ ଘରେ ବସାଇ ସବୁ ସତକଥା କହିଥିଲା। ଯାହାନେଇ ବଡ଼ ପୁଅ ସ୍ଥାନୀୟ ମୈତ୍ରୀବିହାର ଥାନାକୁ ସୂଚନା ଦେଇ ବାପା ତାଙ୍କ ମା’ଙ୍କୁ ହତ୍ୟାକରିଥିବା ଜଣାଇଥିଲା। ଏହାପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଗୋଲଖଙ୍କୁ ଗିରଫକରିବା ସହ ମୃତ ସ୍ବପ୍ନାଙ୍କ ଗଳିତ ଶବକୁ ଉଦ୍ଧାରକରି ଶବ ବ୍ୟବ‌ଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଏନେଇ ପୁଲିସ ଏକ ହତ୍ୟା ମାମଲା ରୁଜୁକରି ଅଭିଯୁକ୍ତ ସ୍ବାମୀ ଗୋଲଖକୁ ଗିରଫକରିଛି। ଅନ୍ୟ ପକ୍ଷରେ ମୃତ ମହିଳାଙ୍କ ବାପଘର ଲୋକ ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କ ସହ ଘଟଣାନେଇ ଆଲୋଚନାକରିଛନ୍ତି।