ଜନଜାତିଙ୍କ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇଲେ କିସ୍ ଅଭିଭାବକ ସଂଘ : Ommtv
ଜନଜାତିଙ୍କ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇଲେ କିସ୍ ଅଭିଭାବକ ସଂଘ : Ommtv
ଜନଜାତିଙ୍କ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇଲେ କିସ୍ ଅଭିଭାବକ ସଂଘ : Ommtv

ଭୁବନେଶ୍ୱର , ୩/୩(କବି): କିଟ୍, କିସ୍ ଓ ଏହାର ପ୍ରତିଷ୍ଠାତାଙ୍କୁ ବିଭିନ୍ନ ମାଧ୍ୟମରେ ବଦନାମ ଓ ହଇରାଣ କରାଯାଉଥିବାରୁ ଏହାର ବିରୋଧ କରିଛନ୍ତି କିସ୍ ଅଭିଭାବକ ସଂଘ ଏବଂ ଓଡ଼ିଶା ଆଦିବାସୀ ମହାସଂଘ । ଏ ନେଇ ଆଜି କିସ୍ରେ ହଜାରେରୁ ଊର୍ଦ୍ଧ୍ୱ କିସ୍ ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ଆଦିବାସୀ ମହାସଂଘ କର୍ମକର୍ତ୍ତା ଏକାଠି ହୋଇଥିଲେ । କିଟ୍ରେ ଗତ ୧୬ତାରିଖରେ ଘଟିଯାଇଥିବା ମୂଳ ଘଟଣାକୁ ଛାଡ଼ି କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ କିଟ୍, କିସ୍ ଓ ଏହାର ପ୍ରତିଷ୍ଠାତାଙ୍କ ବିରୋଧରେ ଚଳାଇଥିବା ଅପପ୍ରଚାରକୁ ସେମାନେ ଘୋର ନିନ୍ଦା କରିଛନ୍ତି । ଏହାର ତୀବ୍ର ପ୍ରତିବାଦ କରିବା ସହ ଜନଜାତିଙ୍କ ସୁରକ୍ଷା ନେଇ ସେମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହାୟତା ଲୋଡ଼ିଛନ୍ତି ।
ଗତ ୩୩ବର୍ଷ ଧରି ଜନଜାତି ଛାତ୍ରଛାତ୍ରୀମାନେ ଅତି ଆନନ୍ଦରେ କିସ୍ରେ ଶିକ୍ଷାଲାଭ କରି ବିକାଶର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି । କିସ୍ ସମଗ୍ର ବିଶ୍ୱରେ ଓଡ଼ିଶାର ପରିଚୟ ସୃଷ୍ଟି କରିପାରିଛି । ଆରମ୍ଭରୁ କିସ୍ ପରିଚଳନାରେ କେବେ କୌଣସି ତ୍ରୁଟି ପରିଲକ୍ଷିତ ହୋଇନାହିଁ। ସେମାନେ କହିଛନ୍ତି କିଟ୍ ହେଉଛି ଆମର ଭାତହାଣ୍ଡି ଏବଂ କିସ୍ ହେଉଛି ଆମର ହୃଦପିଣ୍ଡ । କିସ୍ରୁ ୮୦ ହଜାର ଆଦିବାସୀ ପିଲା ମଣିଷ ହେଇ ସାରିଲେଣି । ପ୍ରତି ପିଲାର ପରିବାର ଓ ଆତ୍ମୀୟସ୍ୱଜନ ଓ ବନ୍ଧୁବାନ୍ଧବଙ୍କୁ ହିସାବ କଲେ ୮ ଲକ୍ଷ ପରିବାର କିସ୍ ସହ ଜଡ଼ିତ ଅଛନ୍ତି । ସମ୍ପ୍ରତି ଓଡ଼ିଶାର ୩୦ଟି ଜିଲ୍ଲା ଓ ଭାରତର ୧୫ଟି ରାଜ୍ୟର ୪୦ ହଜାର ଜନଜାତି ପିଲା କିସ୍ରେ ପଢ଼ୁଛନ୍ତି । ସମ୍ପ୍ରତି ନିର୍ଦ୍ଦିଷ୍ଟ ଗଣମାଧ୍ୟମର କାର୍ଯ୍ୟଶୈଳୀରେ କିସ୍ କ୍ୟାମ୍ପସ୍ରେ ରହୁଥିବା ୪୦ ହଜାର ଛାତ୍ରଛାତ୍ରୀ ଭୟଭୀତ ହୋଇପଡ଼ିଛନ୍ତି । କିସ୍ ବନ୍ଦ ହୋଇଗଲେ ଏହି ଛାତ୍ରଛାତ୍ରୀମାନେ କୁଆଡ଼େ ଯିବେ ବୋଲି ପ୍ରଶ୍ନ କରିଛନ୍ତି ।
‘ଓଟିଭି’ ଓ ଏହାର ପ୍ରତିଷ୍ଠାତା ବୈଜୟନ୍ତ ପଣ୍ଡାଙ୍କ ଦ୍ୱାରା କିସ୍କୁ ବଦନାମ କରାଯାଉଥିବାରୁ ୮ଲକ୍ଷ ଜନଜାତି ପରିବାର ଏଥିରେ ବ୍ୟସ୍ତ, ବିବ୍ରତ ଓ ବିଚଳିତ ହୋଇପଡ଼ିଛନ୍ତି । ଆଜି ନୁହେଁ ୨୦୧୧ ମସିହାରୁ ‘ଓଟିଭି’ ଓ ଏହାର ପ୍ରତିଷ୍ଠାତା ବୈଜୟନ୍ତ ପଣ୍ଡା ନିରନ୍ତର କିସ୍, କିଟ୍ ଓ ଏହାର ପ୍ରତିଷ୍ଠାତାଙ୍କ ବିରୋଧରେ ଅବାନ୍ତର, କପୋଳକଳ୍ପିତ, ମନଗଢ଼ା, ନିରାଧାର, ଅସତ୍ୟ ଓ ଉଦ୍ଦେଶ୍ୟମୂଳକ ଖବର ପ୍ରସାରଣ କରି ବଦନାମ କରିଚାଲିଛି । ଫଳରେ ଏହା ସାଧାରଣରେ ପରିବେଶ କଳୁଷିତ ହେବା ସହ ହଜାର ହଜାର ଜନଜାତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ବିପତ୍ତି ସୃଷ୍ଟି କରିଛି । ବୈଜୟନ୍ତ ପଣ୍ଡା ଜଣେ ଶିଳ୍ପପତି, ବଳଶାଳୀ ଓ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତି ହୋଇଥିଲେ ମଧ୍ୟ ସେ ଆଦିବାସୀ ବିରୋଧୀ, ବିକାଶ ବିରୋଧୀ ଓ ସଂପୂର୍ଣ୍ଣ ଜନବିରୋଧୀ ବ୍ୟକ୍ତିତ୍ୱ ସେମାନେ ମତ ଦେଇଛନ୍ତି ।
ଓଟିଭି ଚ୍ୟାନେଲ୍ କିସ୍ କ୍ୟାମ୍ପସ୍ ନିକଟରେ ଥିବାରୁ କିସ୍ ପିଲାମାନେ ସ୍କୁଲ ଯିବା ଆସିବା ସମୟରେ ଓଟିଭି ପ୍ରତିନିଧିମାନେ ସେମାନଙ୍କଠାରୁ ଜବରଦସ୍ତ ବାଇଟ୍ ନେବା ସହ କିସ୍ ଛାଡ଼ି ଚାଲିଯିବାକୁ ଫୋନ୍ରେ ଧମକ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି । ଏହା ସହ ଏହି ଟିଭି ଚ୍ୟାନେଲ୍ ଦ୍ୱାରା ଲୁଚିଛପି ଡ୍ରୋନ୍ ଜରିଆରେ କ୍ୟାମ୍ପସ୍ ମଧ୍ୟରେ ଥିବା ଛାତ୍ରୀନିବାସର ଫଟୋ ଉତ୍ତୋଳନ କରାଯିବା ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ ବୋଲି ସେମାନେ କହିଛନ୍ତି । ବୈଜୟନ୍ତ ପଣ୍ଡା ଓ ଓଟିଭିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କିଟ୍ ଓ କିସ୍ ପ୍ରତିଷ୍ଠାତାଙ୍କ ସମ୍ମାନରେ କୁଠାରଘାତ କରି ତାଙ୍କ ମନୋବଳ ଭାଙ୍ଗିଦେଲେ କିସ୍ ବନ୍ଦ ହେବା ପାଇଁ ପଥ ସୁଗମ ହୋଇଯିବ ।
ଏଭଳି କଦର୍ଯ୍ୟ କାର୍ଯ୍ୟର ଘୋର ବିରୋଧ କରି ଓଡ଼ିଶାର ୮ଲକ୍ଷ ଜନଜାତି ପରିବାରର ପ୍ରତିନିଧି ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି । ତେବେ କିସ୍ ପ୍ରତିଷ୍ଠାତା ଏଭଳି ପଦକ୍ଷେପ ନ ନେବାକୁ ସାନ୍ତ୍ୱନା ଦେଇଛନ୍ତି । କିସ୍ ପ୍ରତିଷ୍ଠାତାଙ୍କ ଅନୁରୋଧ ଯୋଗୁଁ ଆମେ ଆଗାମୀ ୧୦ ପର୍ଯ୍ୟନ୍ତ ଆନ୍ଦୋଳନରୁ ନିବୃତ୍ତ ରହୁଛୁ ବୋଲି କିସ୍ ଅଭିଭାବକ ସଂଘ ପ୍ରକାଶ କରିଛନ୍ତି । ଏନେଇ ଜନଜାତି ପ୍ରତିନିଧିମାନେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସେମାନଙ୍କ ଦାବି ରଖିଛନ୍ତି- ଆଦିବାସୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାରୁ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ । ଓଟିଭିର ଲାଇସେନ୍ସ ରଦ୍ଦ କରାଯିବା ସହ ଏହାର କାର୍ଯ୍ୟାଳୟ କିସ୍ କ୍ୟାମ୍ପସ ନିକଟରୁ ହଟାଇ ନିଆଯାଉ । ନ୍ୟାୟ ମିଳିବା ପର୍ଯ୍ୟନ୍ତ ଓଟିଭି କାର୍ଯ୍ୟାଳୟ ସମ୍ମୁଖରେ କିସ୍ର ୪୦ ହଜାର ଛାତ୍ରଛାତ୍ରୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବେ ଏବଂ ସମଗ୍ର ଓଡ଼ିଶାରେ ୮ଲକ୍ଷ ଆଦିବାସୀ ପରିବାର ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ଧାରଣାରେ ବସିବେ ବୋଲି ସେମାନେ କହିଛନ୍ତି । ଏହା ସହିତ ଏଭଳି ଅବାନ୍ତର ଓ କପୋଳକଳ୍ପିତ ସମ୍ବାଦ ପରିବେଷଣ ନକରିବାକୁ ସେମାନେ ସମସ୍ତ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ।
