‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ର ‘ଓଡ଼ିଶା ଅଭ୍ୟୁଦୟ’ କନ୍କ୍ଲେଭ୍
ବିକଶିତ ଓଡ଼ିଶା ପାଇଁ ଚାରି ସ୍ତମ୍ଭ: ସୁଯୋଗ, ବିଶ୍ୱାସ, ମର୍ଯ୍ୟାଦା ଓ ବିକାଶ
ଓଡ଼ିଶାର ଭବିଷ୍ୟତ ନିର୍ମାଣ ପାଇଁ ମିଳିତ ପ୍ରୟାସ ଆବଶ୍ୟକ: ରାଜ୍ୟପାଳ
ଏବେ ପ୍ରତି ମୋବାଇଲ୍ ଫୋନ୍ ଗୋଟିଏ ଗୋଟିଏ ନ୍ୟୁଜରୁମ୍: ମାନସ
ଭୁବନେଶ୍ୱର,୨୫ା୮: ଆମକୁ ଏମିତି ଏକ ଓଡ଼ିଶା ଗଢ଼ିବାକୁ ହେବ; ଯେଉଁଠି ଶିଶୁମାନେ ସୁଯୋଗ ସହିତ ଶିକ୍ଷା ଗ୍ରହଣ କରିପାରିବେ, ପ୍ରତ୍ୟେକ ଯୁବକ ବିଶ୍ୱାସର ସହ ସ୍ୱପ୍ନ ଦେଖିପାରିବେ, ମହିଳାମାନେ ମର୍ଯ୍ୟାଦାର ସହ ନେତୃତ୍ୱ ନେଇପାରିବେ। ସର୍ବୋପରି ସମାଜର ଶେଷ ଧାଡ଼ିର ବ୍ୟକ୍ତି ପାଖରେ ବିକାଶ ପହଞ୍ଚି ପାରିବ । ଏହିପରି ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ସମ୍ମିଳିତ ପ୍ରୟାସ କରିବା ଓ ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ବୋଲି ଆହ୍ୱାନ ଦେଇଛନ୍ତି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ।
ମଙ୍ଗଳବାର ଦୈନିକ ଓଡ଼ିଆ ‘ସକାଳ' ଓ ‘ନନ୍ଦିଘୋଷ’ ଟିଭି ପକ୍ଷରୁ ଆୟୋଜିତ ‘ଓଡ଼ିଶା ଅଭ୍ୟୁଦୟ’ କନ୍କ୍ଲେଭ୍ର ଉଦ୍ଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଡଃ କମ୍ଭମପାଟି କହିଛନ୍ତି ଯେ ସମ୍ପ୍ରତି ଓଡ଼ିଶା ଏକ ନୂଆ ଦ୍ୱାରଦେଶରେ ଠିଆ ହୋଇଛି। ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ଆଜି ଦେଶର ଏକ ପ୍ରମୁଖ ଅର୍ଥନୈତିକ ସ୍ଥିର ରାଜ୍ୟରେ ପରିଣତ ହୋଇଛି। ଏକଦା ଏକ ଗରିବ ରାଜ୍ୟ ଭାବେ ଜଣାଥିବା ଓଡ଼ିଶା ଆଜି ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଅର୍ଥନୈତିକ ଭାବେ ସମୃଦ୍ଧ । ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଆଜି ରାଜ୍ୟ ପାଇଁ ଗର୍ବର ବିଷୟ ପାଲଟିଛି। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ପ୍ରାକ ସତର୍କ ସୂଚନା ବ୍ୟବସ୍ଥା, ସ୍ଥାୟୀ ଭିତ୍ତିଭୂମି ଏବଂ ଗୋଷ୍ଠୀ ସହଭାଗିତା ମାଧ୍ୟମରେ ବିପର୍ଯ୍ୟୟ ପରିଚାଳନା ଲୋକଙ୍କ ମଧ୍ୟରେ ଆତ୍ମ ବିଶ୍ୱାସକୁ ବୃଦ୍ଧି କରିଛି ବୋଲି ରାଜ୍ୟପାଳ କହିଛନ୍ତି ।

ଏହି ଅବସରରେ ରାଜ୍ୟପାଳ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ଉତ୍ଥାନକୁ ପ୍ରଶଂସା କରିବା ସହ ଶିକ୍ଷାକୁ ବିକାଶର ପ୍ରମୁଖ ପ୍ରାଥମିକତା ପ୍ରଦାନ କରି ଜ୍ଞାନ, ଗବେଷଣା, ନବୀକରଣ ଓ ନେତୃତ୍ୱ ଉପରେ କେନ୍ଦ୍ରିତ ଉକ୍ରର୍ଷ କେନ୍ଦ୍ର ଗଢ଼ିବା ଆବଶ୍ୟକ ବୋଲି କହିଛନ୍ତି। ଯୁବପିଢ଼ିକୁ କେବଳ ଚାକିରି ପାଇଁ ନୁହେଁ, ଚାକିରି ସୃଷ୍ଟି କରିବା ପାଇଁ ମଧ୍ୟ ପ୍ରସ୍ତୁତ କରାଯିବା, ମହିଳା ନେତୃତ୍ୱାଧୀନ ବିକାଶ ଉପରେ ଗୁରୁତ୍ୱାରୋପ କରିବା ସହ ମହିଳାମାନଙ୍କ ପାଇଁ ଶିକ୍ଷା, ପ୍ରଯୁକ୍ତି, ଅର୍ଥ, ସମ୍ପତ୍ତି, ଉଦ୍ୟମିତା ଓ ନେତୃତ୍ୱ ସୁଯୋଗ ବୃଦ୍ଧି ପରି କାହାଣୀଗୁଡ଼ିକ ଲୋକଙ୍କୁ କେବଳ ସୂଚନା ଦିଏ ନାହିଁ, ସାଧାରଣ ଲୋକଙ୍କୁ ଅନୁପ୍ରେରିତ, ଉତ୍ସାହିତ କରିବା ସହ ପରିବର୍ତ୍ତନ ସୃଷ୍ଟି ନିମନ୍ତେ ଆତ୍ମବିଶ୍ୱାସ ସୃଷ୍ଟି କରିଥାଏ। ତେଣୁ ଗଣମାଧ୍ୟମ ଏହି ଖବରଗୁଡ଼ିକୁ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ରାଜ୍ୟପାଳ ପରାମର୍ଶ ଦେଇଛନ୍ତି ।
କାର୍ଯ୍ୟକ୍ରମରେ ‘ସକାଳ’ ଓ ‘ନନ୍ଦିଘୋଷ’ ଟିଭିର ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଯୋଗ ଦେଇ ବର୍ତ୍ତମାନ ସମୟରେ ଗଣମାଧ୍ୟମ ସମ୍ମୁଖୀନ ହୋଇଥିବା ସମସ୍ୟା ଓ ଆହ୍ୱାନ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ଗଣମାଧ୍ୟମ ଏକ ବ୍ୟବସାୟ ନୁହେଁ; ଏହା ଏକ ସାମାଜିକ ଉତ୍ତରଦାୟିତ୍ୱ । ସାମ୍ପ୍ରତିକ ସମୟରେ ଗଣମାଧ୍ୟମ ଏକ ସ୍ପର୍ଶକାତର ସ୍ଥିତି ଦେଇ ଗତିକରୁଛି। ଆଜି ପ୍ରତ୍ୟେକ ମୋବାଇଲ୍ ଫୋନ୍ ଏକ ନ୍ୟୁଜରୁମ୍। ପ୍ରତ୍ୟେକ ସୋସିଆଲ ମିଡିଆ ଆକାଉଣ୍ଟ ଏକ ପ୍ରକାଶନ ସଂସ୍ଥା। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମାଧ୍ୟମରେ ଖବର ଉପଭୋଗ କରିବାର ପ୍ରବୃତ୍ତି ଲୋକଙ୍କ ମଧ୍ୟରେ ଦୃତଗତିରେ ବୃଦ୍ଧି ପାଇଛି। ଏଆଇ ଜେନେରେଟ୍ଡ ଫଟୋ, ଡିପ୍ ଫେକ୍ ଜରିଆରେ ପ୍ରସ୍ତୁତ ନିମ୍ନରୁଚିର ଖବରକୁ ଲୋକମାନେ ତତ୍କ୍ଷଣାତ୍ ବିଶ୍ୱାସ କରୁଛନ୍ତି । ମାତ୍ର ସତ୍ୟ ଆଲୋକକୁ ଆସିବା ବେଳକୁ ବେଶ୍ ବିଳମ୍ବ ହୋଇ ଯାଉଛି । ଏହା ଉପରେ ନୀତି ନିର୍ଦ୍ଧାରଣ ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଛନ୍ତି। ପୁନଶ୍ଚ ସାମ୍ପ୍ରତିକ ସମୟରେ ସରକାରଙ୍କ ପୃଷ୍ଠପୋଷକତା ଓ ବିଜ୍ଞାପନରୁ ‘ସକାଳ’ ଓ ‘ନନ୍ଦିଘୋଷ’ ଟିଭି ବଞ୍ଚିତ ହୋଇଥିବାରୁ ସେ ନିରାଶା ବ୍ୟକ୍ତ କରିଛନ୍ତି । ଗଣତନ୍ତ୍ରକୁ ସତ୍ୟ ସୁଦୃଢ଼ କରେ ଓ ଗଣମାଧ୍ୟମ ତାକୁ ସୁନିଶ୍ଚିତ କରିଥାଏ। "ସକାଳ' ଓ "ନନ୍ଦିଘୋଷ ଟିଭି' ସେହି ସିଦ୍ଧାନ୍ତର ଅନୁଧାବନ କରୁଛି ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ନନ୍ଦିଘୋଷ ଟିଭିର ସିଓଓ ଜବର ସିଂହ ପାନୱାର ସ୍ୱାଗତ ଭାଷଣ ଦେଇଥିବା ବେଳେ ‘ସକାଳ’ର ପ୍ରକାଶକ ଓ ମୁଦ୍ରାକର ଅମିତ ମଲ୍ଲିକ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ‘ନନ୍ଦିଘୋଷ’ ଟିଭିର ମୁଖ୍ୟ ସମ୍ପାଦକ ସମରେନ୍ଦୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ପରବର୍ତ୍ତୀ ସମୟରେ ଦିନ ତମାମ ୪ ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ୪ ଟି ଅଧିବେଶନରେ ମାନସ ମନ୍ଥନ କରିଥିଲେ।