କବି ଡ. ଦୁଃଖୀଶ୍ୟାମ ମିଶ୍ର ଙ୍କ କବିତା ସଙ୍କଳନ, ଓଡିଶାର ମହାମହୀମ ମାନ୍ଯବର ରାଜ୍ଯପାଳଙ୍କ କରକମଳରେ ଉନ୍ମୋଚିତ : Ommtv

କବି ଡ. ଦୁଃଖୀଶ୍ୟାମ ମିଶ୍ର ଙ୍କ କବିତା ସଙ୍କଳନ, ଓଡିଶାର ମହାମହୀମ ମାନ୍ଯବର ରାଜ୍ଯପାଳଙ୍କ କରକମଳରେ ଉନ୍ମୋଚିତ : Ommtv

କବି ଡ. ଦୁଃଖୀଶ୍ୟାମ ମିଶ୍ର ଙ୍କ କବିତା ସଙ୍କଳନ, ଓଡିଶାର ମହାମହୀମ ମାନ୍ଯବର ରାଜ୍ଯପାଳଙ୍କ କରକମଳରେ ଉନ୍ମୋଚିତ : Ommtv

କବି ଡ. ଦୁଃଖୀଶ୍ୟାମ ମିଶ୍ର ଙ୍କ କବିତା ସଙ୍କଳନ, ଓଡିଶାର ମହାମହୀମ ମାନ୍ଯବର ରାଜ୍ଯପାଳଙ୍କ କରକମଳରେ ଉନ୍ମୋଚିତ : Ommtv

‘ଦିବ୍ଯସମ୍ଭୂତା’ - କବି ଡ. ଦୁଃଖୀଶ୍ୟାମ ମିଶ୍ର ଙ୍କ କବିତା ସଙ୍କଳନ, ଓଡିଶାର ମହାମହୀମ ମାନ୍ଯବର ରାଜ୍ଯପାଳଙ୍କ କରକମଳରେ ତା ୧୨ ଜାନୁୟାରୀ ୨୦୨୩ ରିଖ ରାଜ୍ଯପାଳ ଭବନ ଠାରେ ଉନ୍ମୋଚିତ ହୋଇଛି। 'ଦିବ୍ୟ ସମ୍ଭୂତା' ପାଠକମାନଙ୍କ ମନରେ ଅଜସ୍ର ଭାବଧାରା ଓ ଉଦାର ପରିକଳ୍ପନାକୁ ଆଶା ଯୋଗାଇବ ବୋଲି ମହାମହୀମ ମତବ୍ଯକ୍ତ କରି, ସଙ୍କଳନ ଟିକୁ ହିନ୍ଦୀ ଭାଷାରେ ଅନୁବାଦ କରି ପ୍ରକାଶ କରିବା ପାଇଁ ପ୍ରୋତ୍ସାହିତ କରିଛନ୍ତି। ଅବର୍ଣ୍ଣନୀୟ ଚୈତନ୍ଯ ସତ୍ତା ‘ଦିବ୍ଯସମ୍ଭୂତା’ ପୂର୍ଣ୍ଣଗର୍ଭା ପ୍ରକୃତିରୂପିଣୀ ମାତୃ ଚେତନାର ନୈସର୍ଗିକ ପରିତୃପ୍ତି । ବିଶ୍ଵପ୍ରସବିନୀ ପ୍ରଗଲ୍ଭ-ପ୍ରଭାମୟୀ ନାରୀରୂପିଣୀ ଜଗନ୍ମୟୀଙ୍କ ଉଦ୍ଦେଶ୍ୟରେ ଏହା କବିତା ନୈବେଦ୍ୟର ସ୍ବୟଂପ୍ରଭ ସର୍ଜନା ସମୂହ । ବସୁମତୀ ମା’ଙ୍କ ଭାସ୍ବର ଦିବ୍ୟତାରେ ଶୋଭାବୃତ ନାରୀ ବିଭବକୁ କାବ୍ଯିକ ରୂପାୟନର ଦୁର୍ବାର ତୃଷା ମେଣ୍ଟାଇବାର ଅଭିଳାଷାରେ ‘ଦିବ୍ଯସମ୍ଭୂତା’ସଙ୍କଳନ ୩୦ ଗୋଟି କବିତା ବଲ୍ଲରୀରେ ବେଷ୍ଟିତ । ପ୍ରତିଟି ନୈବେଦ୍ଯତୁଲ୍ଯ କବିତା ପଙ୍କ୍ତି ମାତୃପ୍ରଭାର ଶୋଭାରେ ସମର୍ପିତ ନିଷ୍ଠାପର ବର୍ଣ୍ଣନାର ଅବଗୁଣ୍ଠନ । ଅନ୍ତର୍ଗତ କବିତାମାନଙ୍କ ଶୀର୍ଷକ ମଧ୍ୟ ଖୁବ୍ ଅବ୍ୟବହୃତ ଶବ୍ଦମାନଙ୍କ ଦ୍ଵାରା ମନୋନୀତ । କବି ଡ. ମିଶ୍ର କହିଛନ୍ତି - “କବିତା ହେଉଛି ପ୍ରାଣର ଅନୁଭୂତିସିଦ୍ଧ ନିଚ୍ଛକ ଭାବନାମାନଙ୍କର ପ୍ରଗାଢ ରୂପାୟନ । ସେଥିରେ ଅବଲୀଳାକ୍ରମେ ଆମ ଶୈଶବର ଚପଳତା ଓ ନିଷ୍କପଟ ପରିପାର୍ଶ୍ଵ କେତେବେଳେ ଫୁଟିଉଠେ । ତରୁଣ ସମୟର ନୂତନ ଚେତନା ଓ ପ୍ରଗଲ୍ଭତା ମନର ଅନ୍ତରାଳରେ ଦପ୍ କିନା ଦେଦୀପ୍ୟ ହେଇ ଉଠୁଥିଲା ବେଳେ ବୟସର କଥା ଓ ସ୍ନିଗ୍ଧ ଜୀବନର ସୌନ୍ଦର୍ଯ୍ୟର ଅନୁରୂପ ପରିପ୍ରକାଶ ଘଟେ । ଏହି ସୌନ୍ଦର୍ଯ୍ୟ ସୃଷ୍ଟିର ଉତ୍କର୍ଷ ଏବଂ ସମସ୍ତ ଆକର୍ଷଣର ଅନାବିଳ ଉପାଦାନ ଭାବରେ ଜୀବନ ଓ ଏହାର ସରସତାରେ ପରିପୂର୍ଣ୍ଣତାର ବାର୍ତ୍ତା ପ୍ରଦାନ କରିଥାଏ । ମୁଖ୍ୟତଃ ଆମ୍ଭମାନଙ୍କ ମଧ୍ୟରେ ଯେଉଁ ସମ୍ପର୍କ ଗଢିଉଠେ, ପରସ୍ପର ମଧ୍ୟରେ ଆମେ ଅସଂଖ୍ୟ ଭାବରାଜିରେ ଉଦ୍'ବୁଦ୍ଧ ହେଉ, ତାହାରି ଅବସାଦହୀନ ଛବି ସେଥିଲାଗି ପ୍ରକୃତିର ସୌନ୍ଦର୍ଯ୍ୟ ଓ ନାରୀର ତଦ୍ ଗତ କମନୀୟ ସ୍ଵରୂପରେ ପରିଲକ୍ଷିତ କରିଥାଉ।” ସୌନ୍ଦର୍ଯ୍ୟ ଓ ନାରୀ ଚେତନାକୁ ଏହିପରି କିଛି ପରିକଳ୍ପନାରେ ପ୍ରସ୍ଫୁଟିତ କରିଛନ୍ତି ଏହି ଦିବ୍ଯସମ୍ଭୂତା କବିତା ସଙ୍କଳନରେ କବି ଡ. ମିଶ୍ର। ଓଡିଶାର ପବିତ୍ର କ୍ଷେତ୍ର ତଥା ସର୍ବାରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ପୁରୀ ଜିଲ୍ଲାର ବୀରପୁରୁଷୋତ୍ତମପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ଡ. ଦୁଃଖୀଶ୍ୟାମ ମିଶ୍ର (ଉପ ମହାପ୍ରବନ୍ଧକ, ଲଘୁ ଉଦ୍ଯୋଗ ବିକାଶ ବ୍ଯାଙ୍କ), ସହଧର୍ମିଣୀ ଶ୍ରୀମତି ଚିନ୍ମୟୀ ମିଶ୍ର (ବ୍ଯାଙ୍କ ଅଫ୍ ବରୋଦା) ତଥା ଶ୍ରୀମତି ଲକ୍ଷ୍ମୀପ୍ରିୟା ଓ ସ୍ବର୍ଗୀୟ ବାଇଧର ମିଶ୍ର ଙ୍କ କନିଷ୍ଠ ପୁତ୍ର ଏବଂ କଟକ ରାଣୀହାଟ ନିବାସୀ ଶ୍ରୀମତୀ ସୁଲତା ଓ ଡ଼. ବସନ୍ତ କୁମାର ମିଶ୍ର ଙ୍କ(ଅବସର ପ୍ରାପ୍ତ ଓଡିଶା ସରକାରଙ୍କ ବିଶେଷ ସଚିବ) ଜାମାତା । ଗ୍ରାମୀଣ ପରିବେଶରୁ ମାଆ, ମାଟି ଓ ମାତୃଭାଷା ପ୍ରତି ସମର୍ପିତ ମନୋଭାବ ତାଙ୍କର କବିତା ଓ ଅନେକ ରମ୍ଯରଚନା ଗୁଡିକରେ ଅଭିନବ ଚିନ୍ତାଧାରାକୁ ସ୍ଥାନ ଦିଏ। ପଶ୍ଚିମା ପ୍ରକାଶନୀ ଦ୍ବାରା ପ୍ରକାଶିତ ‘ଦିବ୍ଯସମ୍ଭୂତା’ - ଏହି ମହତୀ ଅର୍ଘ୍ଯ, ଆଦିଶକ୍ତିଙ୍କ ସମ୍ଭୂତ ପ୍ରକୃତି, ପ୍ରକୃତିରୂପିଣୀ ସମସ୍ତ ନାରୀ ଓ ନାରୀଦେବୀଙ୍କର ଦିବ୍ଯତାକୁ ଉପାସନା କରୁଥିବା ସମସ୍ତ ପାଠକଙ୍କ ଉଦ୍ଦେଶ୍ଯେ ଉତ୍ସର୍ଗୀକୃତ ବୋଲି ଡ. ଦୁଃଖୀଶ୍ଯାମ ମିଶ୍ର ନିଜର ଆନ୍ତରିକ ବିଶ୍ଵାସ ରଖିଛନ୍ତି |