ଉତ୍କଳ ବିଶ୍ୱବିଦ୍ୟାଳୟ ୨୦୦୮-୧୦ ବ୍ୟାଚ ବନ୍ଧୁମିଳନ: Ommtv

Utkal University

ଉତ୍କଳ ବିଶ୍ୱବିଦ୍ୟାଳୟ ୨୦୦୮-୧୦ ବ୍ୟାଚ ବନ୍ଧୁମିଳନ: Ommtv

ଉତ୍କଳ ବିଶ୍ୱବିଦ୍ୟାଳୟ ୨୦୦୮-୧୦ ବ୍ୟାଚ ବନ୍ଧୁମିଳନ: Ommtv
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ୨୦୦୮-୧୦ ବ୍ୟାଚ୍ ପୁରାତନ ଛାତ୍ରଛାତ୍ରୀଙ୍କ
ବନ୍ଧୁମିଳନ କାର୍ଯ୍ୟକ୍ରମ ଏମ୍‌.କେ.ସି.ଜି. ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରାରମ୍ଭରେ ପୁରାତନ
ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକରେ ଥିବା ମା’ ସରସ୍ୱତୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
କରିଥିଲେ । ବିଶ୍ୱବିଦ୍ୟାଳୟର କୁଳ ସଚିବ ଡଃ ଅଭୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ
ପୁରାତନ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ଅବିଚ୍ଛେଦ ଅଙ୍ଗ । ବିଶ୍ୱବିଦ୍ୟାଳୟର ଉନ୍ନତି ଦିଗରେ ପୁରାତନ
ଛାତ୍ରଛାତ୍ରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତ ଦେଇଥିଲେ । ୨୦୦୮-୧୦ ବ୍ୟାଚ୍‌ର ଛାତ୍ର
ସଂସଦ ସଭାପତି ତଥା ବର୍ତ୍ତମାନ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ ଯୋଗଦେଇ ପୁରାତନ
ଛାତ୍ରଛାତ୍ରୀମାନେ ବିଭିନ୍ନ ସମସ୍ୟାକୁ ଦୂର କରିବା ସହିତ ବିଶ୍ୱବିଦ୍ୟାଳୟ ପରିସରକୁ ସବୁଜ ସୁନ୍ଦର କରିବା
ପାଇଁ ପରାମର୍ଶ ଦେଇଥିଲେ । ସେହି ବ୍ୟାଚ୍‌ର ଛାତ୍ର ତଥା ବର୍ତ୍ତମାନର ବିଶିଷ୍ଟ ଧର୍ମଗୁରୁ ବାବାଜୀ ଅମୃତାନନ୍ଦ
ଦାସ ମହାରାଜ (ଅରୁଣ) ଯୋଗଦେଇ ଜୀବନଦର୍ଶନ ଓ ମାନବିକ ମୂଲ୍ୟବୋଧ ଉପରେ ଉଜ୍ଜସ୍ୱୀ ସମ୍ବୋଧନ
କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ବନ୍ଧୁମିଳନକୁ ଆହୁରି ବ୍ୟାପକ କରିବାକୁ ନିଷ୍ପତ୍ତି
ସହ ବାଣୀବିହାର ୨୦୦୮-୧୦କୁ ଏକ ସମାଜସେବା ଅନୁଷ୍ଠାନର ରୂପ ଦେବାକୁ ପୂର୍ବତନ ସଭାପତି ତଥା
ଉଚ୍ଚଶିକ୍ଷା ବିଭାଗର ଉପଦେଷ୍ଟା ଡଃ ତନ୍ମୟ ସ୍ୱାଇଁ ପ୍ରସ୍ତାବ ରଖିଥିଲେ । ଏହି ଅନୁଷ୍ଠାନ, ବନ୍ଧୁମାନଙ୍କ ସ୍ୱେଚ୍ଛାକୃତ
ଦାନରେ ଏହା ଶିକ୍ଷା, ସ୍ୱାସ୍ଥ୍ୟ ଓ ଦୈବ ଦୁର୍ବିପାକ ସମୟରେ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ କରିବ ।
ଉପସ୍ଥିତ ଥିବା ସମସ୍ତ ବନ୍ଧୁମାନେ ଏହି ପ୍ରସ୍ତାବକୁ ଏକ ସ୍ୱରରେ ସ୍ୱାଗତ କରିଥିଲେ । ଏହି ବନ୍ଧୁମିଳନ
କାର୍ଯ୍ୟକ୍ରମରେ ପାଖାପାଖି ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ଯୋଗଦେଇ ତାଙ୍କର ଅତୀତର ସ୍ମୃତିଚାରଣ
କରିଥିଲେ । ନିଜ ନିଜ ସାଙ୍ଗକୁ ପାଖରେ ପାଇ ସମସ୍ତେ ଉତ୍ସାହିତ ଓ ଭାବ ବିହ୍ୱଳିତ ହୋଇପଡ଼ି ପୁରାତନ
ଛାତ୍ରଛାତ୍ରୀମାନେ ସେମାନଙ୍କ ପଢ଼ିବା ସମୟର ସ୍ମୃତି ଓ ବାଣୀବିହାରର ଅନୁଭୂତିକୁ ବଖାଣିଥିଲେ । ଆଗାମୀ
ସମୟରେ ଏକ ପତ୍ରିକା ପ୍ରକାଶିତ କରି ବନ୍ଧୁମାନଙ୍କ ଲେଖାକୁ ସ୍ଥାନ ଦେବାକୁ ପ୍ରସ୍ତାବ ପାରିତ ହୋଇଥିଲା ।
ପରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାଂସ୍କୃତିକ
କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀମାନେ ମନଭରି ଉପଭୋଗ କରିଥିଲେ । ଆସନ୍ତା ବର୍ଷ ଜାନୁଆରୀରେ ତୃତୀୟ
ବନ୍ଧୁମିଳନକୁ ଧୁମ୍‌ଧାମ୍‌ରେ ଆୟୋଜନ କରିବା ପାଇଁ ବନ୍ଧୁମାନେ ପ୍ରସ୍ତାବ ରଖିଥିଲେ । ପରିଶେଷରେ ସମସ୍ତଙ୍କୁ
ଏକ ସ୍ମୃତି ଫଳକ ଉପହାର ପ୍ରଦାନ କରାଯାଇଥିଲା ଓ ୨୦୦୮-୧୦ ବ୍ୟାଚ୍‌ର ଛାତ୍ରଛାତ୍ରୀମାନେ କିଭଳି
ଭାବେ ସୁଖ ଦୁଃଖରେ ପରସ୍ପର ସହିତ ବାନ୍ଧିହୋଇ ରହିବେ ତାହା ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମକୁ
ସଫଳ କରିବା ଦିଗରେ ଇନ୍ଦ୍ରବାଦଲ ମହାନ୍ତି, ସୁଜ୍ଞାନୀ ଦଳାଇ, ଗୌରାଙ୍ଗ ପାଢୀ, ମନୋଜ ବିଶ୍ୱାଳ, ଜୟବ୍ରତ
ଦାସ, ଓ ଦିଲ୍ଲୀପ ପାଣିଗ୍ରାହୀ ପ୍ରମୁଖ ମୁଖ୍ୟଭୂମିକା ଗ୍ରହଣ କରିଥିଲେ ।