ମୋଦୀ... ମୋଦୀ ନାରାରେ କମ୍ପିଲା ବିମାନବନ୍ଦର ରାସ୍ତା: ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ସମର୍ଥକଙ୍କ ଭିଡ଼
ମୋଦୀ... ମୋଦୀ ନାରାରେ କମ୍ପିଲା ବିମାନବନ୍ଦର ରାସ୍ତା: ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ସମର୍ଥକଙ୍କ ଭିଡ଼
ମୋଦୀ... ମୋଦୀ ନାରାରେ କମ୍ପିଲା ବିମାନବନ୍ଦର ରାସ୍ତା: ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ସମର୍ଥକଙ୍କ ଭିଡ଼
ଭୁବନେଶ୍ବର: ଆର୍ବିଆଇ ଡାଟା ସେଣ୍ଟର ଉଦ୍ଘାଟନ ପାଇଁ ଆଜି ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କୁ ରାଜଧାନୀରେ ଭବ୍ୟ ସ୍ବାଗତ କରାଯାଇଛି। ବିମାନବନ୍ଦରଠାରୁ ଆରମ୍ଭ କରି ଇନ୍ଫୋସିଟି-୨ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳିଥିଲା ଉତ୍ସାହର ପରିବେଶ। ମୋଦୀଙ୍କ ଦେଖିବାକୁ ଦଳୀୟ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ପ୍ରକାଶ ପାଇଥିଲା। ‘ମୋଦୀ ମୋଦୀ’ ନାରାରେ କମ୍ପି ଉଠିଥିଲା ରାଜଧାନୀର ରାଜରାସ୍ତା। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅପରାହ୍ଣ ୪ଟା ୧୫ ମିନିଟ୍ରେ ପ୍ରଧାନମନ୍ତ୍ରୀ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝୀଙ୍କ ସମେତ ବହୁ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ପରେ ପ୍ରଧାନମନ୍ତ୍ରୀ ହେଲିକପ୍ଟର ଯୋଗେ ଇନ୍ଫୋସିଟି-୨ସ୍ଥିତ ଆର୍ବିଆଇ ଡାଟା ସେଣ୍ଟର ଅଭିମୁଖେ ବାହାରିଥିଲେ। ଅପରାହ୍ଣ ସାଢ଼େ ୪ଟାରେ ସେଠାରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ କର୍ମୀ ଓ ସମର୍ଥକମାନେ ସ୍ବାଗତ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ବରେ ଛିଡ଼ା ହୋଇ ସମର୍ଥକମାନେ ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ ଜଣାଇଥିଲେ। ଡାଟା ସେଣ୍ଟର ଉଦ୍ଘାଟନ କାର୍ଯ୍ୟକ୍ରମ ଶେଷ କରି ପ୍ରଧାନମନ୍ତ୍ରୀ କାର୍କେଡ୍ ଯୋଗେ ବିମାନବନ୍ଦର ଅଭିମୁଖେ ଫେରିଥିଲେ। ତେବେ ବିମାନବନ୍ଦରଠାରୁ ପ୍ରାୟ ଦେଢ଼ କିଲୋମିଟର ପୂର୍ବରୁ ତାଙ୍କୁ ଏକ ନିଆରା ଢଙ୍ଗରେ ସ୍ବାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ବିଭିନ୍ନ ପାରମ୍ପରିକ ଲୋକନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପାରମ୍ପରିକ ନୃତ୍ୟଗୀତ ସହ ହଜାର ହଜାର କର୍ମୀ ଓ ସମର୍ଥକଙ୍କ ଉପସ୍ଥିତି ସମଗ୍ର ଅଞ୍ଚଳରେ ଉତ୍ସବର ପରିବେଶ ସୃଷ୍ଟି କରିଥିଲା। ‘ମୋଦୀ ମୋଦୀ’ ନାରାରେ ପ୍ରକମ୍ପିତ ହୋଇଥିଲା ପୂରା ଅଞ୍ଚଳ। ଓଡ଼ିଶା ଗସ୍ତ ଶେଷ କରି ସନ୍ଧ୍ୟା ସାଢ଼େ ୬ଟାରେ ପ୍ରଧାନମନ୍ତ୍ରୀ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ ଜଣାଇବା ଉଦ୍ଦେଶ୍ୟରେ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀ ପକ୍ଷରୁ ଆଜି ଏକ ବିଶାଳ ମୋଟରସାଇକଲ୍ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଅପରାହ୍ଣ ୩ଟାରେ ଜନତା ମଇଦାନଠାରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବାକୁ ଭୁବନେଶ୍ୱର ବିମାନବନ୍ଦର ଅଭିମୁଖେ ଯାତ୍ରା କରିଥିଲା। ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରିୟଦର୍ଶୀ ମିଶ୍ର, ଜିଲ୍ଲା ସମ୍ପାଦିକା ମାନସୀ ମଞ୍ଜରୀ ରାୟ ପାଢ଼ୀ, ସଂଯୋଜକ ସୌମ୍ୟରଞ୍ଜନ ଜେନା, କୃଷକ ମୋର୍ଚ୍ଚାର ଉପସଭାପତି ନିରଞ୍ଜନ ରାଉତରାୟ, କର୍ପୋରେଟର ଯଶୋଧରା ପ୍ରଧାନ, ଲକ୍ଷ୍ମୀପ୍ରିୟା ପରିଡ଼ାଙ୍କ ସମେତ ଦିଲ୍ଲୀପ କୁମାର ମହାନ୍ତି, ସଞ୍ଜୟ କୁମାର ପତି, ସମସ୍ତ ମଣ୍ଡଳ ସଭାପତି ଓ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ଶୋଭାଯାତ୍ରାରେ ଦଳୀୟ ପଦାଧିକାରୀ, ଶକ୍ତିକେନ୍ଦ୍ର ପ୍ରମୁଖ, ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତା ଓ ସମର୍ଥକମାନେ ସାମିଲ ହୋଇଥିଲେ

