କ୍ୟାପିଟାଲ ହସ୍ପିଟାଲ ଟ୍ରମା କେୟାର: ଉଦ୍ଘାଟନ ହେଉନି, କାମରେ ଲାଗୁନି, ନୂଆ କୋଠାରେ ଗଛ ଉଠିଲାଣି
କ୍ୟାପିଟାଲ ହସ୍ପିଟାଲ ଟ୍ରମା କେୟାର: ଉଦ୍ଘାଟନ ହେଉନି, କାମରେ ଲାଗୁନି, ନୂଆ କୋଠାରେ ଗଛ ଉଠିଲାଣି
କ୍ୟାପିଟାଲ ହସ୍ପିଟାଲ ଟ୍ରମା କେୟାର: ଉଦ୍ଘାଟନ ହେଉନି, କାମରେ ଲାଗୁନି, ନୂଆ କୋଠାରେ ଗଛ ଉଠିଲାଣି
ଭୁବନେଶ୍ବର: ରାଜଧାନୀବାସୀଙ୍କ ବହୁ ପ୍ରତିକ୍ଷିତ କ୍ୟାପିଟାଲ ହସ୍ପିଟାଲର ଟ୍ରମା କେୟାର କୋଠା ନିର୍ମାଣ ସରିଛି। ଚିକିତ୍ସା ଉପକରଣ ଲାଗି ସାରିଛି। ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ଶେେ ହୋଇଛି। ହେଲେ ଏହାର ଉଦ୍ଘାଟନ ହୋଇପାରୁନି କି ରୋଗୀସେବା ଆରମ୍ଭ ହୋଇପାରୁନି। ବର୍ଷେରୁ ଅଧିକ ସମୟ ଧରି ପୂର୍ତ୍ତ ବିଭାଗରୁ ସ୍ବାସ୍ଥ୍ୟବିଭାଗକୁ କୋଠା ହସ୍ତାନ୍ତର ପ୍ରକ୍ରିୟା ସରିଥିଲେ ମଧ୍ୟ ବିଭାଗୀୟ ଦୂରଦୃଷ୍ଟି ଅଭାବରୁ ନବନିର୍ମିତ ଟ୍ରମା କେୟାର ସେଣ୍ଟରର ଉଦ୍ଘାଟନ ଅଟକି ରହିଛି। ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନ୍ଜିଟି)ଙ୍କ ପରିବେଶ ମଞ୍ଜୁରି ଏବଂ ଜେନେରାଲ୍ ଆଡ୍ମିନିଷ୍ଟ୍ରେସନ୍ (ଜିଏ) ବିଭାଗରେ ପ୍ଲଟ୍ ନମ୍ବର ସମ୍ପର୍କିତ ଅଡ଼ୁଆ ଯୋଗୁ କୋଠାର ବିଲ୍ଡିଂ ପ୍ଲାନ୍ ଅନୁମୋଦନରେ ବିଳମ୍ବ ହେଉଥିବାରୁ ଏହା ହସ୍ତାନ୍ତର ହୋଇ ନଥିବା ଜଣାପଡ଼ିଛି। କିନ୍ତୁ କିଛି ଦିନ ତଳେ ଏନେଇ ଅନୁମୋଦନ ମିଳିଥିବା ବିଶ୍ବସ୍ତସୂତ୍ରରୁ ଜଣାପଡ଼ିଛି। ତଥାପି ଟ୍ରମା ସେଣ୍ଟର ପାଇଁ ଆବଶ୍ୟକ ମାନବସମ୍ବଳ ନିଯୁକ୍ତି ହୋଇ ନଥିବାରୁ ଏହି କେନ୍ଦ୍ର କେବେ କାର୍ଯ୍ୟକ୍ଷମ ହେବ, ତାହା ସ୍ପଷ୍ଟ ହୋଇନାହିଁ। ବହୁ ଦିନ ଧରି ବନ୍ଦ ରହିବା ଓ ରକ୍ଷଣାବେକ୍ଷଣ ଅଭାବ ଫଳରେ ଟ୍ରମା କେୟାରର କାନ୍ଥରେ ଲତା ମାଡ଼ିଗଲାଣି। ଚାରିପଟେ ଜଙ୍ଗଲ ସୃଷ୍ଟି ହୋଇଗଲାଣି। ଟ୍ରମା କେୟାର ମଧ୍ୟରେ ସରିସୃପ ବାସ କରୁଥିବା ଜଣାପଡ଼ିଛି। ସୂଚନା ଅନୁସାରେ ୨୦୨୨ରେ ପ୍ରାୟ ୮୫ କୋଟି ଟଙ୍କା ବ୍ୟୟରେ ପାଞ୍ଚ ମହଲା ବିଶିଷ୍ଟ ଏହି ଲେଭଲ୍-୧ ଟ୍ରମା କେୟାର ସେଣ୍ଟରର ନିର୍ମାଣ ଆରମ୍ଭ ହୋଇଥିଲା। ଏଥିରେ ୨୦୦ ଶଯ୍ୟାର ବ୍ୟବସ୍ଥା ରହିଛି। ଅସ୍ଥିଶଲ୍ୟ, ସର୍ଜରି, ପ୍ଲାଷ୍ଟିକ୍ ସର୍ଜରି, ନିଶ୍ଚେତକ ବିଭାଗ ସହ ମଡ୍ୟୁଲାର୍ ଅପରେସନ୍ ଥିଏଟର୍ ଓ ବିଭିନ୍ନ ୱାର୍ଡ ଏହି କେନ୍ଦ୍ରରେ ରହିବାର ଯୋଜନା ରହିଛି। ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ସୂଚନା ଦିଆଯିବା ପରେ ସ୍ୱାସ୍ଥ୍ୟ ବିଭାଗ ପରିଚାଳନା ପାଇଁ ଆବଶ୍ୟକ ମାନବସମ୍ବଳ ଓ ଚିକିତ୍ସା ଉପକରଣ ଯୋଗାଡ଼ ପ୍ରକ୍ରିୟା ଆରମ୍ଭ କରିଥିଲା। ମାତ୍ର ପରିବେଶ ମଞ୍ଜୁରି ଓ ଜମି ସମ୍ପର୍କିତ ଅନୁମୋଦନରେ ସମସ୍ୟା ରହିଥିବାରୁ ପରବର୍ତ୍ତୀ ପ୍ରକ୍ରିୟା ଆଗେଇ ପାରୁନଥିଲା। ହେଲେ କିଛି ଦିନ ତଳେ ପିଜିଆଇ କୋଠା ଓ ଟ୍ରମା କୋଠାକୁ ଏନ୍ଜିଟି ଅନୁମତି ମିଳିଥିବା ଜଣାପଡ଼ିଛି। କିନ୍ତୁ ମାନବସମ୍ବଳ ନିଯୁକ୍ତି ହୋଇ ନଥିବାରୁ ଏହା ଆରମ୍ଭ ହୋଇ ପାରୁନାହିଁ। ଏପଟେ ଦୁର୍ଘଟଣାରେ ଗୁରୁତର ଆହତ ରୋଗୀଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକ ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ କିମ୍ବା ଏମ୍ସ ଭୁବନେଶ୍ୱରକୁ ପଠାଇବାକୁ ପଡ଼ୁଛି। ଏଭଳି ସ୍ଥିତିରେ ରାଜଧାନୀରେ ଏକ ସ୍ୱତନ୍ତ୍ର ଟ୍ରମା କେୟାର ସେଣ୍ଟର କାର୍ଯ୍ୟକ୍ଷମ ହେଲେ ଜରୁରୀକାଳୀନ ଚିକିତ୍ସା କ୍ଷେତ୍ରରେ ରୋଗୀଙ୍କୁ ଉପକାର ମିଳିପାରନ୍ତା। କିନ୍ତୁ ଏହାକୁ ନେଇ କେହି ମୁହଁ ଖୋଲିବାକୁ ନାରାଜ। ହସ୍ପିଟାଲର କର୍ତ୍ତୃପକ୍ଷ ଏନେଇ କିଛି ଜାଣି ନଥିବା କହୁଥିବା ବେଳେ ସ୍ବାସ୍ଥ୍ୟବିଭାଗର ଅଧିକାରୀମାନେ କେବେ କାର୍ଯ୍ୟକ୍ଷମ ହେବ ଏନେଇ କୌଣସି ସ୍ପଷ୍ଟ ସୂଚନା ନଥିବା କହିଛନ୍ତି। ତେବେ କେଉଁ ଦିନଠାରୁ ରୋଗୀସେବା ଆରମ୍ଭ ହେବ, ସେନେଇ ନିର୍ଦ୍ଦିଷ୍ଟ ସମୟସୀମା ଜଣାପଡ଼ିନାହିଁ।ଏନେଇ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷରୁ ପଚରଯିବାରୁ ଏନେଇ ସେମାନଙ୍କ ପାଖରେ କୌଣସି ସୂଚନା ନଥିବା କହିଛନ୍ତି। ହସ୍ତାନ୍ତର ହେଲେ ଏହା କାର୍ଯ୍ୟକ୍ଷମ ହେବ। ଏନେଇ ସ୍ବାସ୍ଥ୍ୟ ବିଭାଗର କର୍ତ୍ତୃପକ୍ଷଙ୍କୁ ପଚରାଯିବାରୁ ବହୁ ଦିନ ଧରି ଏନ୍ଜିଟି ମଞ୍ଚରୀ ମିଳି ନଥିଲା। ତେଣୁ ବିଳମ୍ବ ହୋଇଥିଲା। ଏବେ ସବୁ ଅନୁମତି ମିଳିଯାଇଛି। ହେଲେ ଆବଶ୍ୟକ ସଂଖ୍ୟକ ମାନବସମ୍ବଳ ନିଯୁକ୍ତି ନ ହେଲେ ଟ୍ରମା ସେଣ୍ଟରକୁ ଆରମ୍ଭ କରାଯାଇ ପାରିବ ନାହିଁ। ତେଣୁ ମାନବସମ୍ବଳ ନିଯୁକ୍ତି ପରେ ଏହାକୁ କାର୍ଯ୍ୟକ୍ଷମ କରାଯିବକୁହାଯାଇଛି।

