‘ଅର୍ଣ୍ଣବ’ ଛଡ଼ାଇନେଲା ଚାଷୀ ମୁହଁରୁ ଅନ୍ନ: ଲଗାଣ ବର୍ଷାରେ ଏକର ଏକର ଫସଲ ନଷ୍ଟ
‘ଅର୍ଣ୍ଣବ’ ଛଡ଼ାଇନେଲା ଚାଷୀ ମୁହଁରୁ ଅନ୍ନ: ଲଗାଣ ବର୍ଷାରେ ଏକର ଏକର ଫସଲ ନଷ୍ଟ
‘ଅର୍ଣ୍ଣବ’ ଛଡ଼ାଇନେଲା ଚାଷୀ ମୁହଁରୁ ଅନ୍ନ: ଲଗାଣ ବର୍ଷାରେ ଏକର ଏକର ଫସଲ ନଷ୍ଟ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ ରତନପୁର ଗାଁର ଚାଷୀ ନରେଶ ମେହେର ପ୍ରାୟ ୫ ଏକର ଜମିରେ ଧାନଚାଷ କରିଥିଲେ। ପାଣି ଅଭାବରୁ ଅଢ଼େଇ ଏକର ଢିପଜମି ଫାଟି ଆଁ କରିଥିଲା। ଧାନଗଛ ଶୁଖିଯିବା ପରେ ସେଥିରେ ଗାଈ ଚରିବାକୁ ଛାଡ଼ିଦେଲେ। ଅନ୍ୟ ଅଢ଼େଇ ଏକର ଜମିର ଧାନ ଘରକୁ ଆସିବ ବୋଲି ଆଶା କରିଥିବାବେଳେ ‘ଅର୍ଣ୍ଣବ’ ଆସି ବୁଡ଼ାଇ ଦେଇଛି। ଅଢ଼େଇ ଏକର ମଧ୍ୟରୁ ୧ ଏକର ଜମିର ଧାନ ନଷ୍ଟ ହୋଇଯାଇଛି। ପାଣି ଅଭାବରୁ ଅଧା ଜମି ପୋଡ଼ିଗଲା, ଏବେ ପାଣି ଭରି ଅବଶିଷ୍ଟ ଅଧା ଜମିର ଫସଲ ଉଜୁଡ଼ିଗଲା ବୋଲି କହିଛନ୍ତି ନରେଶ। ସେହିପରି ଗାଁର ଯଦୁମଣି ମାଝୀ ମଧ୍ୟ ‘ଅର୍ଣ୍ଣବ’ ପାଇଁ ମୁଣ୍ଡରେ ହାତ ଦେଇଛନ୍ତି। ଧାନ କାଟୁ କାଟୁ ପହଞ୍ଚିଗଲା ବର୍ଷା। କ୍ଷେତରେ ହିଁ ପଡ଼ିରହିଲା କଟା ଧାନ। ପାଣିରେ ବୁଡ଼ିଥିବାବେଳେ ତାହା ନଷ୍ଟ ହେବା ଆଶଙ୍କାରେ ଯଦୁମଣି ଚିନ୍ତିତ। ଟାଙ୍ଗରପାଲି ବ୍ଲକ୍ ତସଲାଡିହି ପଞ୍ଚାୟତରେ ପାଣି ଅଭାବରୁ ଏକର ଏକର ଢିପଜମି ଫାଟି ଧାନଗଛ ଜଳି ଯାଇଥିଲା। ଏବେ ବର୍ଷା ହୋଇଥିଲେ ମଧ୍ୟ ସେ ଧାନଫସଲ ଆଉ ଉଧେଇବ ନାହିଁ ବୋଲି କହିଛନ୍ତି ଚାଷୀ।ଅନ୍ୟପଟେ ଅମଳ ହେବାକୁ ଥିବା ଖାଲୁଆ ଜମିର ଧାନ ଲଗାଣ ବର୍ଷା ଓ ପ୍ରବଳ ପବନରେ ଶୋଇଯାଇଛି। ତସଲାଡିହି ପଞ୍ଚାୟତ କନକଯୁରା ଗାଁର କିଶୋର ରୋହିଦାସ, ସନ୍ତୋଷ ରୋହିଦାସ, ବିଦ୍ୟାଧର ରୋହିଦାସ, ବୁଧୁ ରୋହିଦାସ, ରାମରାଜ ରୋହିଦାସ, ଜନାର୍ଦ୍ଦନ ରୋହିଦାସଙ୍କ ପାଚିଲା ଧାନ ବର୍ଷା ମାଡ଼ରେ ଶୋଇ ଯାଇଥିବାବେଳେ ବର୍ଷକର କମାଣି ଉଜୁଡ଼ି ଯାଉଥିବା ଦେଖି ସମସ୍ତେ ଚିନ୍ତାରେ ପଡ଼ିଛନ୍ତି। କେବଳ ହେମଗିର କି ଟାଙ୍ଗରପାଲି ବ୍ଲକ୍ ନୁହେଁ, ‘ଅର୍ଣ୍ଣବ’ ମାଡ଼ରେ ଲେଫ୍ରିପଡ଼ା, ସୁନ୍ଦରଗଡ଼ ସଦର, ସବଡ଼େଗା, ବାଲିଶଙ୍କରା, ବଡ଼ଗାଁ, କୁତ୍ରା, ରାଜଗାଙ୍ଗପୁର, କୁଆରମୁଣ୍ଡା, ଲାଠିକଟା, ଗୁରୁଣ୍ଡିଆ, ବଣାଇ, ଲହୁଣିପଡ଼ା ଆଦି ବ୍ଲକ୍ରେ ଅମଳ ହେବାକୁ ଥିବା ପାଚିଲା ଧାନ ପ୍ରଭାବିତ ହୋଇଛି। ଅନ୍ୟପଟେ ନୂଆଗାଁ, ବିଶ୍ରା, କୁଆରମୁଣ୍ଡା, ଗୁରୁଣ୍ଡିଆ ଆଦି ବ୍ଲକ୍ରେ ପାଣି ଅଭାବରୁ ଉଜୁଡ଼ିବାକୁ ବସିଥିବା ଧାନକୁ ‘ଅର୍ଣ୍ଣବ’ କେତେକାଂଶରେ ସହାୟକ ହେବ ବୋଲି ଚାଷୀ ଆଶା ପ୍ରକାଶ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଖରିଫ ଋତୁରେ କୃଷି ବିଭାଗ ୧ ଲକ୍ଷ ୯୮ ହଜାର ୪ ଶହ ହେକ୍ଟର ଜମିରେ ଧାନଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖିଥିଲା। ସେଥିମଧ୍ୟରୁ ୧ ଲକ୍ଷ ୯୭ ହଜାର ୬୫୩ ହେକ୍ଟରରେ ଧାନଚାଷ ହୋଇଛି। ୯୩୧୪୪ ହେକ୍ଟର ଜମିକୁ ଜଳସେଚନ ସୁବିଧା ପହଞ୍ଚିଥିବାବେଳେ ୧ ଲକ୍ଷ ୪ ହଜାର ୫୦୯ ହେକ୍ଟର ଜମି ବର୍ଷାଜଳ ଉପରେ ନିର୍ଭରଶୀଳ। ବର୍ଷା କମ୍, ବେଶୀ ହେଲେ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିବା ନିଶ୍ଚିତ। ତେବେ ଚଳିତ ବର୍ଷ ଧାନ ତଳି ପକାଇବା ଓ ବେଉଷଣ ସମୟରେ ଭଲ ବର୍ଷା ହୋଇଥିବାରୁ ଚାଷୀ ଖୁସି ଥିଲେ। ଧାରକରଜ କରି ଚାଷୀ ରୁଆ, ବେଉଷଣ କାମ ସାରିଥିଲେ। ଧାନଗଛ ଭଲ ବଢ଼ିବ ବୋଲି ସାର, କୀଟନାଶକ ମଧ୍ୟ ସିଞ୍ଚିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବର୍ଷା ଉଭାନ ହୋଇଗଲା ଓ ଧାନ ବିଲରେ ପାଣି ଅଭାବ ଦେଖାଦେଲା। ଅନେକ ବ୍ଲକରେ ଢିପ ଜମି ସବୁ ଫାଟିଯିବା ସହ ଧାନଗଛ ଜଳିଗଲା। ହେଲେ ଖାଲୁଆ ଜମିର ଧାନ ଘରକୁ ଆସିବ ବୋଲି ଚାଷୀ ଆଶା କରିଥିବାବେଳେ ‘ଅର୍ଣ୍ଣବ’ ଫସଲ ଉଜାଡ଼ି ଦେଇଛି।

