ବିବାଦୀୟ ପୂର୍ବତନ ଜେଲ୍ ଡିଜି ସୁଶାନ୍ତ କୁମାର ନାଥଙ୍କ ନାଆଁରେ ସଙ୍ଗିନ ଅଭିଯୋଗ ଆଣିଲେ ବାଲେଶ୍ବରର ପୂର୍ବତନ ଜେଲର୍ ପ୍ରଦୀପ୍ତ ମହାଳିକ  

ବିବାଦୀୟ ପୂର୍ବତନ ଜେଲ୍ ଡିଜି ସୁଶାନ୍ତ କୁମାର ନାଥଙ୍କ ନାଆଁରେ ସଙ୍ଗିନ ଅଭିଯୋଗ ଆଣିଲେ ବାଲେଶ୍ବରର ପୂର୍ବତନ ଜେଲର୍ ପ୍ରଦୀପ୍ତ ମହାଳିକ  

ବିବାଦୀୟ ପୂର୍ବତନ ଜେଲ୍ ଡିଜି ସୁଶାନ୍ତ କୁମାର ନାଥଙ୍କ ନାଆଁରେ ସଙ୍ଗିନ ଅଭିଯୋଗ ଆଣିଲେ ବାଲେଶ୍ବରର ପୂର୍ବତନ ଜେଲର୍ ପ୍ରଦୀପ୍ତ ମହାଳିକ   

 ବିବାଦୀୟ ପୂର୍ବତନ ଜେଲ୍ ଡିଜି ସୁଶାନ୍ତ କୁମାର ନାଥଙ୍କ ନାଆଁରେ ସଙ୍ଗିନ ଅଭିଯୋଗ ଆଣିଲେ ବାଲେଶ୍ବରର ପୂର୍ବତନ ଜେଲର୍ ପ୍ରଦୀପ୍ତ ମହାଳିକ

 

କଟକ: ବରିଷ୍ଠ ଆଇପିଏସ୍ ଅଫିସର ତଥା ବିବାଦୀୟ ପୂର୍ବତନ ଜେଲ୍ ଡିଜି ସୁଶାନ୍ତ କୁମାର ନାଥଙ୍କ ନାଆଁରେ ପୁଣି ଏକ ସଙ୍ଗିନ ଅଭିଯୋଗ ଆସିଛି। ଏଥର ଅଭିଯୋଗ ଆଣିଛନ୍ତି ବାଲେଶ୍ବରର ପୂର୍ବତନ ଜେଲର୍ ପ୍ରଦୀପ୍ତ ମହାଳିକ। ସେ ଅଭିଯୋଗ କରିଛନ୍ତି ଯେ ଜଣେ କଏଦୀଙ୍କୁ ମିଛ ବ୍ରାଉନସୁଗାର ମାମଲାରେ ଫସାଇବାକୁ ଚାପ ପକାଇଥିଲେ ତତକାଳୀନ ଜେଲ୍ ଡିଜି ସୁଶାନ୍ତ କୁମାର ନାଥ। ସେ ରାଜି ନ ହେବାରୁ ତାଙ୍କୁ ନିଲମ୍ବିତ କରିଥିଲେ। ଏଣୁ ତାଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ଲାଗି ପ୍ରଦୀପ୍ତ ମହାଳିକ ଗୃହ ବିଭାଗର ଅତିରିକ୍ତ ସଚିବଙ୍କୁ ନିବେଦନ କରିଛନ୍ତି।ତେଣେ  ବିବାଦୀୟ ପୂର୍ବତନ ଜେଲ୍ ଡିଜି ସୁଶାନ୍ତ କୁମାର ନାଥଙ୍କଙ୍କ ବିରୋଧରେ ଯୌନ କେଳେଙ୍କାରୀ ଭଳି ସଙ୍ଗିନ ଅଭିଯୋଗ ଚୌଦ୍ବାର ଥାନାରେ ହୋଇଛି। ସେ ଚୌଦ୍ବାର ସର୍କଲ୍‌ ଜେଲ୍‌ର ପୂର୍ବତନ ଜେଲର୍ ସନ୍ତୋଷିନୀ ଦାଶଙ୍କୁ ଦୁଇଥର କଟକର ଦୁଇଟି ହୋଟେଲ୍‌କୁ ରାତିରେ ଏକୁଟିଆ ଡାକିଥିଲେ। ଏଥିରେ ମଧ୍ୟସ୍ଥି ସାଜିଥିଲେ ତାଙ୍କ ବନ୍ଧୁ କୁଳଦୀପ ରଥ। କୁଳଦୀପଙ୍କ ମାଧ୍ୟମରେ ସନ୍ତୋଷିନୀଙ୍କୁ ଫୋନ୍‌ କରି ହୋଟେଲକୁ ଡକାଯାଇଥିଲା। ସନ୍ତୋଷିନୀ ଯିବାକୁ ମନା କରିବାରୁ ସେବେଠାରୁ ତାଙ୍କୁ ବିଭିନ୍ନ ଉପାୟରେ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ। ଏଭଳି ସଙ୍ଗିନ ଅଭିଯୋଗ ଆଧାରରେ ଚୌଦ୍ବାର ଥାନା ପୁଲିସ ଉପରୋକ୍ତ ଦୁଇଜଣଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ଅପରପକ୍ଷରେ ଜେଲ୍‌ ଡିଜି ସୁଶାନ୍ତ ନାଥଙ୍କ ବଦଳି ହୋଇଛି। ତାଙ୍କୁ ଗୃହ ବିଭାଗର ଓଏସ୍‌ଡି କରାଯାଇଛି। ସନ୍ତୋଷିନୀ ଚୌଦ୍ବାର ଥାନାରେ ଦେଇଥିବା ଏତଲା ଅନୁଯାୟୀ, ସେ ଚୌଦ୍ବାର ସର୍କଲ୍‌ ଜେଲ୍‌ରେ କାର୍ଯ୍ୟ କରୁଥିବା ସମୟରେ ୨୦୨୫ ଜୁନ ୧୬ରେ ଜେଲ୍ ଡିଜି ସୁଶାନ୍ତ ନାଥ ଚୌଦ୍ବାର ସର୍କଲ ଜେଲ୍ ଗସ୍ତରେ ଆସିଥିଲେ। ସେହି ସମୟରେ ସନ୍ତୋଷିନୀ ଛୁଟିରେ ଥିଲେ। ୨୦୨୫ ଜୁଲାଇ ୧୮ରେ କାର୍ଯ୍ୟରେ ଯୋଗ ଦେବା ପରେ ଜେଲ୍ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ସେ ଜେଲ୍ ଡିଜି ଶ୍ରୀ ନାଥଙ୍କୁ ଫୋନ୍ କରିଥିଲେ। କଥାବାର୍ତ୍ତା ସମୟରେ ବନ୍ଧୁ କୁଳଦୀପ ରଥ ନାମକ ଜଣେ ବ୍ୟକ୍ତି ଜେଲ୍ ଗସ୍ତ କରିବାକୁ ଥିବାରୁ ସମସ୍ତ ବ୍ୟବସ୍ଥା କରିବାକୁ ଶ୍ରୀ ନାଥ କହିଥିଲେ। କୁଳଦୀପ ଚୌଦ୍ବାର ଜେଲକୁ ଆସି ବୁଲି ସାରିବା ପରେ ସନ୍ତୋଷିନୀଙ୍କ ସହିତ ଏକ ଫଟୋ ଉଠାଇଥିଲେ। ସନ୍ତୋଷିନୀଙ୍କ ମୋବାଇଲ ନମ୍ବର ନେଇ ତାଙ୍କ ନିକଟକୁ ଉକ୍ତ ଫଟୋ ପଠାଇଥିଲେ। ଫଟୋ ସହିତ ଅଶ୍ଳୀଳ ସଂକେତଯୁକ୍ତ ମେସେଜ୍‌ କୁଳଦୀପ ପଠାଇଥିଲେ। ୨୦୨୫ ଅଗଷ୍ଟ ୨୯ରେ କୁଳଦୀପ ତାଙ୍କୁ ଫୋନ୍ କରି କଟକରେ ଥିବା ବ୍ଲାଷ୍ଟ ନାମକ ଏକ ରେଷ୍ଟୁରାଣ୍ଟକୁ ରାତ୍ରିଭୋଜନ କରିବାକୁ ଏକୁଟିଆ ସ୍କୁଟିରେ ଆସିବାକୁ କହିଥିଲେ। ସେ ହୋଟେଲର ଲୋକେସନ ମଧ୍ୟ ପଠାଇଥିଲେ। ସନ୍ତୋଷିନୀ ଯିବାକୁ ମନା କରିଦେବାରୁ ସୁଶାନ୍ତ ଭାଇ(ଡିଜି ସୁଶାନ୍ତ ନାଥ) ତାଙ୍କୁ ଏକୁଟିଆ ଭେଟିବାକୁ ଚାହୁଁଥିବା କୁଳଦୀପ କହିଥିଲେ। ପୁଣି ଥରେ କୁଳଦୀପ ୨୦୨୫ ସେପ୍ଟେମ୍ବର ୨୫ରେ ସନ୍ତୋଷିନୀଙ୍କୁ ଫୋନ୍ କରି ହୋଟେଲ୍ ପ୍ରମୋଦକୁ ରାତ୍ରିଭୋଜନ କରିବାକୁ ଡାକିଥିଲେ। ଡିଜି ସୁଶାନ୍ତ ନାଥ ଏକୁଟିଆ ଭେଟିବାକୁ ଚାହୁଁଥିବା କହିବାରୁ ସନ୍ତୋଷିନୀ ମନା କରିଦେଇଥିଲେ। ସେବେଠାରୁ ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ଟାର୍ଗେଟକୁ ଆସିଯାଇଥିବା ସନ୍ତୋଷିନୀ ଏତଲାରେ ଦର୍ଶାଇଛନ୍ତି।ଅନ୍ୟପଟେ ଦୁଇ ବିହାରୀ ଅପରାଧୀ ଚୌଦ୍ବାର ସର୍କଲ ଜେଲ୍‌ରୁ ଫେରାର ଘଟଣାରେ ସନ୍ତୋଷିନୀଙ୍କ ଦସ୍ତଖତ ଜାଲିଆତି କରିବା, ପୁଲିସକୁ ତଦନ୍ତରେ ସହଯୋଗ ନ କରିବା ଅଭିଯୋଗରେ ଓଡ଼ିଶା ହାଇକୋର୍ଟ ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ଆଗୁଆ ଜାମିନ ଖାରଜ କରିବା ପରେ ଜେଲ୍ ଡିଜି ଅନ୍ୟଜଣେ ବ୍ୟକ୍ତିଙ୍କ ଫୋନରୁ ସନ୍ତୋଷିନୀଙ୍କୁ ଫୋନ୍ କରି ଡିଜି କାର୍ଯ୍ୟାଳୟକୁ ଆସିବାକୁ କହିଥିଲେ। ୨୦୨୬ ସେପ୍ଟେମ୍ବର ୭ ଓ ୮ ତାରିଖରେ ଯାଇଥିଲେ। ତୁମର ଆଚରଣ, କୁଳଦୀପଙ୍କ ମାଧ୍ୟମରେ ବ୍ୟକ୍ତିଗତ ସାକ୍ଷାତ ପାଇଁ ପ୍ରସ୍ତାବକୁ ଗ୍ରହଣ ନକରିବା, ଜେଲ୍ ଅଧୀକ୍ଷକଙ୍କ ବିରୋଧରେ ଏତଲା କାରଣରୁ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜେଲ୍ ଡିଜି କହିଥିଲେ। ଯଦି ତୁମେ ମତେ ଭେଟିବାକୁ ଆସିଥା’ନ୍ତ, ତେବେ ତୁମକୁ ଏସବୁର ସାମନା କରିବାକୁ ପଡ଼ି ନ ଥାନ୍ତା ବୋଲି ଜେଲ୍ ଡିଜି ସ୍ପଷ୍ଟ ଭାବେ କହିଥିବା ଏତଲାରେ ଦର୍ଶାଇଛନ୍ତି ସନ୍ତୋଷିନୀ।ଶ୍ରୀ ରାଉଳଙ୍କ ବିରୋଧରେ ଚୌଦ୍ବାର ଥାନାରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ନକଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜେଲ୍ ଡିଜି ଧମକାଇଥିଲେ। ମାମଲା ପ୍ରତ୍ୟାହାର କରିବାକୁ ସନ୍ତୋଷିନୀ ମନା କରିବାରୁ ଡିଜି ଶାରୀରିକ କ୍ଷତି ପହଞ୍ଚାଇବା ସହିତ ଭୟଙ୍କର ପରିଣାମ ଭୋଗିିବା ନେଇ ଧମକ ଦେଇଥିଲେ। ସେଦିନ ଜେଲ୍‌ ଡିଜିଙ୍କ କାର୍ଯ୍ୟାଳୟରୁ ଆସିବା ପରେ ତାଙ୍କ ବିରୋଧରେ ସେପ୍ଟେମ୍ବର ୮ ରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ୫ଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ତାଙ୍କ ବିରୋଧରେ ଗ୍ରହଣ କରାଯାଇଥିବା ସନ୍ତୋଷିନୀ ଅଭିଯୋଗ କରିଛନ୍ତି। ଚୌଦ୍ବାର ଥାନାରେ ଶ୍ରୀମତୀ ଦାଶ ଅଭିଯୋଗ କରିବା ପରେ ପୁଲିସ ବିଏନ୍‌ଏସ୍‌ର ଧାରା ୭୫(୨), ୩୫୧(୨), ୩(୫)ରେ ଏକ ମାମଲା କେସ୍ ନଂ(୭୧୩) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଘଟଣା ସମ୍ପର୍କରେ କମିସନରେଟ୍ ପୁଲିସ ପକ୍ଷରୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଲିଖିତ ଭାବେ ଏତଲାର ନକଲ ସହିତ ଅବଗତ କରାଯାଇଥିବା କଟକ ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।