‘ଦିବ୍ୟାଙ୍ଗଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା:
‘ଦିବ୍ୟାଙ୍ଗଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା:
‘ଦିବ୍ୟାଙ୍ଗଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା:
ପୁରୀ: ମହାପ୍ରଭୁଙ୍କ ସୁଗମ ଦର୍ଶନ ନେଇ ଦିବ୍ୟାଙ୍ଗଙ୍କ ପାଇଁ ହେବ ସ୍ବତନ୍ତ୍ର ବ୍ୟବସ୍ଥା। ସ୍ବତନ୍ତ୍ର ୱେବସାଇଟ୍ ମାଧ୍ୟମରେ ଅନ୍ଲାଇନ୍ ସ୍ଲଟ୍ ବୁକିଂ ପରେ ଏହି ସୁବିଧା ଉପଲବ୍ଧ ହେବ। ଦୈନିକ ୨୦ ଜଣଙ୍କୁ ଦର୍ଶନ କରାଇବାର ବ୍ୟବସ୍ଥା କରାଯିବ। ଜଣେ ଦିବ୍ୟାଙ୍ଗ ୬ ମାସ ମଧ୍ୟରେ ଥରେ ଏହି ସ୍ବତନ୍ତ୍ର ସୁବିଧାର ସୁଯୋଗ ନେଇପାରିବେ। ପ୍ରାଥମିକ ପର୍ଯ୍ୟାୟରେ ଏହା ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯିବ। ଆପାତତଃ କାର୍ତ୍ତିକ ମାସ ପରେ ଏହି ବ୍ୟବସ୍ଥା କରାଯିବ ବୋଲି ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଦିବ୍ୟାଙ୍ଗ ଭକ୍ତମାନେ ଅନ୍ଲାଇନ୍ରେ ପଞ୍ଜୀକରଣ କରିବା ପରେ ତାଙ୍କୁ ସୁନିଶ୍ଚିତ ହେଲା ବୋଲି ବାର୍ତ୍ତା ପଠାଯିବ। ଦିଆଯାଇଥିବା ନିର୍ଦ୍ଦିଷ୍ଟ ଦିନରେ ଦିବ୍ୟାଙ୍ଗ ଭକ୍ତ ପୁରୀରେ ପହଞ୍ଚିବେ। ସତ୍ୟନାରାୟଣ ମନ୍ଦିର ନିକଟରୁ ତାଙ୍କ ପାଇଁ ଶ୍ରୀମନ୍ଦିର ଭିତରକୁ ଯିବାର ବ୍ୟବସ୍ଥା କରାଯିବ। ସେଠାରୁ ସେମାନଙ୍କୁ ବ୍ୟାଟେରି ଚାଳିତ ଗାଡ଼ିରେ ଉତ୍ତର ଦ୍ବାର ପର୍ଯ୍ୟନ୍ତ ନିଆଯିବ। ଉତ୍ତର ଦ୍ବାର ପାର୍ଶ୍ବରେ ରାମ୍ପ ବ୍ୟବସ୍ଥା ଥିବାରୁ ହ୍ବିଲ୍ ଚେୟାର୍ ଯୋଗେ ଭିତରକୁ ପ୍ରବେଶ କରିବେ। ଘଣ୍ଟିଦ୍ବାର ପର୍ଯ୍ୟନ୍ତ ଯିବା ପରେ ସେଠାରୁ ସ୍ବେଚ୍ଛାସେବୀମାନେ ତାଙ୍କୁ ଭିତରକୁ ନେଇ ଜୟ ବିଜୟ ଦ୍ବାର ନିକଟରେ ଦର୍ଶନ କରାଇବେ। ସୁରକ୍ଷା ପାଇଁ ପୁଲିସ ସହ ମେଡିକାଲ ଟିମ୍ ମଧ୍ୟ ନିୟୋଜିତ ହେବେ। ଜିଲ୍ଲାପାଳ ଶ୍ରୀ ପରିଡ଼ା କହିଛନ୍ତି, ସ୍ବତନ୍ତ୍ର ନୀତିକାନ୍ତି ଥିବା ଭିଡ଼ ଦିନମାନଙ୍କରେ ଏହି ସୁବିଧା ଉପଲବ୍ଧ ହେବ ନାହିଁ। ବରଂ ସାଧାରଣ ଦିନମାନଙ୍କରେ ହିଁ ଏହି ସୁବିଧା ମିଳିବ। ସେମାନେ ଦର୍ଶନ ପାଇଁ ଆସିବାର ଯଥେଷ୍ଟ ପୂର୍ବରୁ ମେସେଜେ ଯୋଗେ ଅବଗତ କରାଯିବ। କେଉଁ ଦିନ ଦିବ୍ୟାଙ୍ଗଙ୍କ ଦର୍ଶନ ହେବ ବା ନହେବ, ତାହା ନୀତି ପ୍ରଶାସକଙ୍କ ମାଧ୍ୟମରେ ଏକ କମିଟି ନିଷ୍ପତ୍ତି ନେବ। କମାଣ୍ଡର, ବରିଷ୍ଠ ସେବାୟତ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ମିଳିତ ନିଷ୍ପତ୍ତି ଅନୁଯାୟୀ ଏହାକୁ କାର୍ଯ୍ୟକାରୀ କରାଯିବ। ଦିବ୍ୟାଙ୍ଗଙ୍କୁ ଚୟନ ବେଳେ ସ୍ବତନ୍ତ୍ର ମାର୍ଗଦର୍ଶିକା ଅନୁକରଣ କରାଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଜଗନ୍ନାଥ ପୂଜାପଣ୍ଡା ସାମନ୍ତ କହିଛନ୍ତି, ଦିବ୍ୟାଙ୍ଗ ଭକ୍ତମାନେ ଦର୍ଶନ କରି ଫେରିବା ବେଳେ ସେମାନଙ୍କୁ କିଛି ଉପହାର ପ୍ରଦାନ କରାଯିବ। ୱେବସାଇଟ୍ କରାଯିବା ପରେ ଅନ୍ଲାଇନ୍ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହେବ। ସମ୍ଭବତଃ କାର୍ତ୍ତିକ ମାସ ପରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି।

