ଓଡ଼ିଶାରେ ଚାଇନିଜ୍ ସାଇବର ଠକଙ୍କ ନେଟ୍ୱର୍କ: ଭଦ୍ରକରୁ ଆଉ ୨ମାଷ୍ଟରମାଇଣ୍ଡ ଚିହ୍ନଟ
ଓଡ଼ିଶାରେ ଚାଇନିଜ୍ ସାଇବର ଠକଙ୍କ ନେଟ୍ୱର୍କ: ଭଦ୍ରକରୁ ଆଉ ୨ମାଷ୍ଟରମାଇଣ୍ଡ ଚିହ୍ନଟ
ଓଡ଼ିଶାରେ ଚାଇନିଜ୍ ସାଇବର ଠକଙ୍କ ନେଟ୍ୱର୍କ: ଭଦ୍ରକରୁ ଆଉ ୨ମାଷ୍ଟରମାଇଣ୍ଡ ଚିହ୍ନଟ
ଭୁବନେଶ୍ବର: ଓଡ଼ିଶାରେ ଚାଇନିଜ୍ ସାଇବର ଠକଙ୍କ ନେଟ୍ୱର୍କର ମଙ୍ଗ ଧରିଥିବା ଧୂର୍ତ୍ତଙ୍କୁ ସାଇବର ପୁଲିସ ଗୋଟି ଗୋଟିକରି ଚିହ୍ନଟ କରୁଛି। ଗତକାଲି ଭଦ୍ରକର ପ୍ରୀତମ ନାୟକ ଓରଫ ବବୁଲ୍କୁ ଗିରଫ କରାଯାଇଥିଲା। ପ୍ରୀତମ୍ ଏହି ନେଟ୍ୱର୍କର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି। କିନ୍ତୁ ପ୍ରୀତମ୍ ପରେ ପୁଣି ଭଦ୍ରକରୁ ଆଉ ଦୁଇ ଧୂର୍ତ୍ତଙ୍କୁ ସାଇବର ଥାନା ପୁଲିସ ଚିହ୍ନଟ କରିଛି। ସେମାନେ ମଧ୍ୟ ଚାଇନିଜ୍ ସାଇବର ଠକଙ୍କୁ ମ୍ୟୁଲ୍ ଆକାଉଣ୍ଟ ଯୋଗାଉଥିବା ଜଣାପଡ଼ିଛି। ଉଭୟଙ୍କୁ ଗିରଫ କରିବା ପାଇଁ ସାଇବର ଥାନାର ଏକ ସ୍ବତନ୍ତ୍ର ଟିମ୍ ପିଛା କରୁଛି। କିନ୍ତୁ ପ୍ରୀତମ୍ ଧରାପଡ଼ିବା ପରେ ସେହି ଧୂର୍ତ୍ତଦ୍ବୟ ବାରମ୍ବାର ସେମାନଙ୍କ ଠିକଣା ବଦଳାଉଥିବାରୁ ସେମାନଙ୍କୁ ଠାବ କରିବା ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। ପୂର୍ବରୁ ଏହି ମାମଲାରେ ପୁଲିସ ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳର ଏକ ହୋଟେଲରୁ ତାମିଲନାଡୁର ହରିନାଥ କେ. ଓ ଯାଜପୁରର ଦମ୍ପତି ବସନ୍ତ ଜେନା ଓ ଝରଣା ଜେନାଙ୍କୁ ଗିରଫ କରିଛି। ୨୦୦୫ ମସିହାରୁ ହରିନାଥ ଚୀନରେ ରହୁଥିଲା। ସେ ଚୀନରେ ଥିବା ସମୟରେ ସାଇବର ଠକଙ୍କ ଗ୍ରୁପ୍ରେ ସାମିଲ ହୋଇଥିଲା ଏବଂ ସେମାନଙ୍କ ନିର୍ଦ୍ଦେଶରେ ଓଡ଼ିଶା ଆସି ନେଟ୍ୱର୍କ ବନାଇଥିଲା। ପରେ ସେମାନେ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ଖାତା ମାଧ୍ୟମରେ ପ୍ରାୟ ୨ କୋଟି ୫୦ ଲକ୍ଷ ଟଙ୍କାର ଇନ୍ଭେଷ୍ଟମେଣ୍ଟ ଫ୍ରଡ୍ କରିଥିଲେ। ସେହିପରି ସମାନ ଲିଙ୍କ୍ରେ ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କଠାରୁ ପ୍ରାୟ ୯୨ ଲକ୍ଷ ଟଙ୍କା ଠକେଇ କରିଥିବା ଭଦ୍ରକର ପ୍ରୀତମ ନାୟକକୁ ଗତକାଲି କୋର୍ଟଚାଲାଣ କରାଯାଇଥିଲା ଏବଂ ଏହା ପୂର୍ବରୁ ସେହି ଗ୍ୟାଙ୍ଗ୍ର ୪ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଗ୍ୟାଙ୍ଗ୍ ସାଧାରଣ ଲୋକଙ୍କୁ ପ୍ରଲୋଭନ ଦେଖାଇ ସେମାନଙ୍କ ନାଁରେ ବ୍ୟାଙ୍କ ଖାତା ଖୋଲାନ୍ତି ଏବଂ ଖାତାଗୁଡ଼ିକୁ ବ୍ୟବହାର କରି ଠକେଇ କରନ୍ତି। ଠକେଇ ଟଙ୍କାକୁ କ୍ରିପ୍ଟୋକରେନ୍ସି ବା ଅନ୍ୟ ଡିଜିଟାଲ୍ ମୁଦ୍ରା ମାଧ୍ୟମରେ ଚୀନକୁ ପଠାନ୍ତି। ପୂରା ଗ୍ୟାଙ୍ଗକୁ ଠାବ କରିବା ଲାଗି ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଯୋଜନା କରାଯାଉଛି।

