ଅପରାଧ ଦୁନିଆରୁ ସୃଜନର ରାସ୍ତା: ବାଳ ସୁଧାରଗୃହ ପାଲଟିଛି ପ୍ରୟୋଗଶାଳା

ଅପରାଧ ଦୁନିଆରୁ ସୃଜନର ରାସ୍ତା: ବାଳ ସୁଧାରଗୃହ ପାଲଟିଛି ପ୍ରୟୋଗଶାଳା

ଅପରାଧ ଦୁନିଆରୁ ସୃଜନର ରାସ୍ତା: ବାଳ ସୁଧାରଗୃହ ପାଲଟିଛି ପ୍ରୟୋଗଶାଳା

ଅପରାଧ ଦୁନିଆରୁ ସୃଜନର ରାସ୍ତା: ବାଳ ସୁଧାରଗୃହ ପାଲଟିଛି ପ୍ରୟୋଗଶାଳା

 

ରାଉରକେଲା : ଚପଳାମି ବୟସରେ ଅପରାଧ ଗଳିରେ ଫସି ପାଦ ଖସିଯାଇଥିଲା। ଅଭାବ ଅନଟନ ହେଉ ବା ଉପଯୁକ୍ତ ପରିବେଶ ଅଭାବରୁ, ଅବାଟରେ ଯାଇଥିବା କୋମଳମତି ଶିଶୁ ଆଜି ଠିକଣା ବାଟକୁ ଫେରି ଆସିଛି। ଯେଉଁ ହାତ ଦିନେ ଚୋରି, ଡକାୟତି, ଛିନତାଇ ଭଳି ଅପରାଧ ଘଟାଉଥିଲା ସେଇ ହାତ ଆଜି ସୃଜନଶୀଳତାର ସମ୍ଭାବନା ହୋଇପାରିଛି। ବର୍ଜ୍ୟବସ୍ତୁରୁ ସେ ତିଆରି କରିପାରୁଛି ମା’ ଦୁର୍ଗାଙ୍କ କମନୀୟ ପ୍ରତିମା, ବୁଦ୍ଧଙ୍କର ଧ୍ୟାନମଗ୍ନ ମୂର୍ତ୍ତି ଓ ମହାପ୍ରଭୁ ଜଗନ୍ନାଥଙ୍କ ନିରାକାର ପ୍ରତିକୃତି। ଏ ଚିତ୍ର ହେଉଛି ରାଉରକେଲା ପ୍ରଧାନପାଲିସ୍ଥିତ ଟିସ୍କୋ କଲୋନିରେ ଥିବା ପର୍ଯ୍ୟବେକ୍ଷଣ ଗୃହ ବା (ସ୍ବତନ୍ତ୍ର ବାଳସୁଧାର) ଗୃହର। ଅନ୍ଧକାର ଦୁନିଆରୁ ଆଲୋକର ପଥକୁ ବାଟ କଢ଼େଇ ନେଉଥିବା ଏହି ବାଳସୁଧାର ଗୃହରେ ୧୮ ବର୍ଷ ପର୍ଯ୍ୟନ୍ତ ୬୪ ଜଣ ପିଲା ରହୁଛନ୍ତି। ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବରଗଡ଼ ଆଦି ୭ଟି ଜିଲ୍ଲାର ପିଲା ଏଠି ରହୁଛନ୍ତି। ଏଠାରେ ‌ସେମାନଙ୍କ ଖାଦ୍ୟପେୟଠାରୁ ଆରମ୍ଭ କରି ସ୍ବାସ୍ଥ୍ୟସେବା ପର୍ଯ୍ୟନ୍ତ ଉପଯୁକ୍ତ ଯତ୍ନ ନିଆଯାଉଥିବା ବେ‌ଳେ ଓଡ଼ିଶା ଷ୍ଟେଟ୍‌ ଓପନ୍‌ ୟୁନିଭରସିଟି ମାଧ୍ୟମରେ ପାଠ ପଢ଼ାଯାଉଛି। ତା’ସହିିତ ପିଲାମାନଙ୍କୁ ରୋଜଗାରକ୍ଷମ ପାଇଁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯାଉଛି।ବିଶେଷ କରି ହସ୍ତକଳା, ବୈଦ୍ୟୁତିକ ଶିକ୍ଷା, ବଢ଼େଇ କାମ, ମୋବାଇଲ ମରାମତି, ସିଲେଇ ଆଦି ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ବର୍ଜ୍ୟବସ୍ତୁ ତଥା ଅଦରକାରୀ ଜିନିଷରୁ ଏହି ପିଲାମାନେ ସୁନ୍ଦର କଳାକୃତି ତିଆରି କରିପାରୁଛନ୍ତି। ପାଣି ବୋତଲ, କାର୍ଡବୋର୍ଡ, ମହମବତି, କାଗଜ, ନଡ଼ିଆକତାରୁ ମା’ ଦୁର୍ଗାଙ୍କ ପ୍ରତିକୃତି, ବୁଦ୍ଧ, ଜଗନ୍ନାଥଙ୍କଠାରୁ ଆରମ୍ଭ କରି ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତ ତିଆରି କରିପାରୁଛନ୍ତି। ତା’ସହିତ ଫୁଲଦାନି, ବୁକେ, ଘୋଡ଼ା, କଣ୍ଢେଇ ଏବଂ ଛୋଟଛୋଟ ଖେଳନା ଆଦି ତିଆରି କରି ନିଜର ଚମତ୍କାର କଳା ପ୍ରଦର୍ଶନ କରିପାରୁଛନ୍ତି। ଏଗୁଡ଼ିକ ବଜାରରେ ବିକ୍ରି କରାଯାଇ ଆୟ ଅର୍ଥ ଅନ୍ତେବାସୀଙ୍କ ପାଇଁ ଉଦ୍ଦିଷ୍ଟ ଶିଶୁ କଲ୍ୟାଣ ପାଣ୍ଠିରେ ବିନିଯୋଗ ହୁଏ।ପିଲାଙ୍କୁ ତାଲିମ ପାଇଁ ଏନ୍‌ଜିଓ ଏବଂ ଦାତବ୍ୟ ଟ୍ରଷ୍ଟ ସହଯୋଗ କରନ୍ତି। ମଲ୍ଟି‌ ଆକ୍ଟଭିଟିଜ୍ ଏବଂ ଲାଇଫ୍‌ ସ୍କିଲ ଭୋକେସନାଲ ଟ୍ରେନିଂ ପାଇଁ ସାରା ଓଡ଼ିଶାରେ ଏହା ଏକ ନମ୍ବର ହୋଇ ପାରିଛି। ବରିଷ୍ଠ ଶିକ୍ଷକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ କହିଛନ୍ତି ଯେ ଅନ୍ତେବାସୀଙ୍କୁ କୌଣସି ପରିସ୍ଥିତିରେ ପଡ଼ି ଏଠାକୁ ଆସିବାକୁ ପଡ଼ିଛି। ଘରଦ୍ବାର, ବାପା ମା’ଙ୍କଠାରୁ ଦୂରେଇ ରହୁଥିବା ଏହି ପିଲାଙ୍କର ସେଇ ଅଭାବବୋଧ ଯେମିତି ଅନୁଭବ ନହୁଏ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି। ଅଧୀକ୍ଷକ ବିକାଶ ରଞ୍ଜନ ସେଠୀ କହିଛନ୍ତି, ପଛକଥାକୁ ଭୁଲି ସୁମଣିଷ ହେବା ପାଇଁ ସମସ୍ତ ପ୍ରକାର ଯତ୍ନ ନିଆଯାଉଛି। ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣି ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ ପ୍ରୟାସ କରାଯାଉଛି।