DMFକୁ ୩ ହଜାର କୋଟି ଟଙ୍କା ଦେଇଥିବା ରାସ୍ତା ମରଣ ଯନ୍ତା; ୪୫ କି‌ଲୋମିଟର ସଡ଼କରେ ହଜାର ଖାଲ

DMFକୁ ୩ ହଜାର କୋଟି ଟଙ୍କା ଦେଇଥିବା ରାସ୍ତା ମରଣ ଯନ୍ତା; ୪୫ କି‌ଲୋମିଟର ସଡ଼କରେ ହଜାର ଖାଲ

DMFକୁ ୩ ହଜାର କୋଟି ଟଙ୍କା ଦେଇଥିବା ରାସ୍ତା ମରଣ ଯନ୍ତା; ୪୫ କି‌ଲୋମିଟର ସଡ଼କରେ ହଜାର ଖାଲ

DMFକୁ ୩ ହଜାର କୋଟି ଟଙ୍କା ଦେଇଥିବା ରାସ୍ତା ମରଣ ଯନ୍ତା; ୪୫ କି‌ଲୋମିଟର ସଡ଼କରେ ହଜାର ଖାଲ

 

କାଳିଆପାଣି : ୨୦୧୫-୧୬ ଆର୍ଥିକ ବର୍ଷରୁ ୩ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥରାଶି ଦେଇ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିକୁ ସମୃଦ୍ଧ କରିଆସିଥିବା କ୍ରୋମ୍‌ ଉପତ୍ୟକାର ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କ ଏବେ ମରଣଯନ୍ତା। ୪୫ କିଲୋମିଟର ରାସ୍ତାରେ ୪୫ ମିଟର ନିଖୁଣ ରାସ୍ତା ଖୋଜି ପାଇବା ମୁସ୍କିଲ। ସଡ଼କରେ ୨ଶହରୁ ଅଧିକ ହମ୍ପ୍ସ ସାଙ୍ଗକୁ ୨ ହଜାରୁ ଅଧିକ ଖାଲଖମା ରହିଛି। ମରାମତି ଅଭାବରୁ ଦିନକୁ ଦିନ ଖାଲଖମାର ସଂଖ୍ୟା ଓ ଆକାର ବଢ଼ିବାରେ ଲାଗିଛି। ସଡ଼କରେ ଥିବା ୬ ସେତୁ ଓ ୧୦ ରୁ ଅଧିକ ବକ୍ସ କଲଭର୍ଟ ବି ଦୁର୍ବଳ ଅବସ୍ଥାରେ ରହିଛି। ଅଧିକାଂଶ ସେତୁ ଓ କଲଭର୍ଟର ଉଭୟ ପାର୍ଶ୍ବରେ ସୁରକ୍ଷା ବାଡ଼ ନାହିଁ। ହେଲେ ୧୦ଟି ଯାକ କ୍ରିୟାଶୀଳ କ୍ରୋମାଇଟ୍‌ ଖଣିରୁ କ୍ରୋମ୍‌ ପରିବହନକୁ ଫୁରୁସତ ନାହିଁ। ୫୦ ବର୍ଷ ତଳର ପୁରୁଣା ସଡ଼କ ବ୍ୟବସ୍ଥା ଉପରେ ଓଡ଼ିଶା ଖଣି ନିଗମ(ଓଏମ୍‌ସି), ଟାଟାଷ୍ଟିଲ, ଫେକର-ବେଦାନ୍ତ, ଇମ୍ଫା, ଜିନ୍ଦଲ ଷ୍ଟେନଲେସ୍‌ ଓ ବାଲେଶ୍ବର ଆଲଏଜ୍ କମ୍ପାନି ଖଣିଜ ପରିବହନ କରି ଡିଏମ୍‌ଏଫ୍‌ ପାଣ୍ଠିକୁ ବିନା ବାଧାରେ ଅର୍ଥ ଯୋଗାଇ ଚାଲିଛନ୍ତି। ୨୦୦୮ ମସିହାରୁ ଏହି ସଡ଼କ ଦିନକୁ ଦିନ ବିପର୍ଯ୍ୟସ୍ତ ହେଉଥିଲେ ହେଁ ଏହାର ସ୍ବରୂପ ଓ ସାମର୍ଥ୍ୟରେ ଉନ୍ନତି ଆସିପାରୁନି। ମରାମତି କିମ୍ବା ସଡ଼କର ଉନ୍ନତୀକରଣ ଅଭାବରୁ ବର୍ଷସାରା ସଡ଼କରେ ମାତ୍ରାଧିକ ଧୂଳି ଓ କାଦୁଅର ପ୍ରକୋପ ରହୁଛି। ରାସ୍ତାରୁ ଅଧ କିଲୋମିଟର ଦୂରତାରେ ଥିବା ଜନବସତିରେ ଜୀବନ ଦୁର୍ବିଷହ ହୋଇପଡ଼ିଛି। ଖଣିଅଞ୍ଚଳବାସୀ ପ୍ରଦୂଷଣ ବଳୟରେ ରହିବାକୁ ବାଧ୍ୟ ହୋଇଛନ୍ତି। ବିପର୍ଯ୍ୟସ୍ତ ଗମନାଗମନ ବ୍ୟବସ୍ଥାକୁ ନେଇ ଖଣିଅଞ୍ଚଳବାସୀ ବ୍ୟତିବ୍ୟସ୍ତ ଓ ବିବ୍ରତ ହେଉଥିଲେ ହେଁ ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ଉଦାସୀନ ରହିଛନ୍ତି। ନ’ଦେଖିଲେ ବିଶ୍ବାସ କରିହେବନି ଯେ, ଏଠାରେ ଗୋଟିଏ ଜନମଙ୍ଗଳକାରୀ ସରକାର ଅଛି କିମ୍ବା ପୂର୍ବରୁ ଥିଲା ବୋଲି।୨୦୧୬ ମସିହା ମେ ମାସ ୨୫ ତାରିଖରେ ତତ୍କାଳୀନ ଜିଲ୍ଲାପାଳ ସତ୍ୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ କାଳିଆପାଣିରେ ଅନୁଷ୍ଠିତ ଡିଏମ୍‌ଏଫ୍‌ର ପ୍ରଥମ ବୈଠକରେ ୪ ଥାକିଆ ଟମକା-ମଙ୍ଗଳପୁର ସଡ଼କ ପାଇଁ ୨୨୫ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ସେହିବର୍ଷ ନଭେମ୍ବର ୨୫ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲରଙ୍ଗି ଠାରେ ସଡ଼କର ଶିଳାନ୍ୟାସ କରିଥିଲେ। ୨୦୨୩-୨୪ ଆର୍ଥିକ ବର୍ଷରେ ସଡ଼କର ସଳଖୀକରଣ ଓ ପ୍ରସସ୍ତୀକରଣ ଯୋଜନାରେ ୫୭୬ କୋଟି ଟଙ୍କା ବ୍ୟୟ ବରାଦ ପରେ ପୂର୍ତ୍ତ ବିଭାଗ ଟେଣ୍ଡର ଡାକିଥିଲା। ଦୁର୍ଗା କଣ୍ଡେଭ କନଷ୍ଟ୍ରକ୍ସନ କମ୍ପାନିକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ୨୦୨୩ ମସିହା ଅକ୍ଟୋବର ୧୯ ତାରିଖରେ ୨ ତତ୍କାଳୀନ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ଇଂ ପ୍ରୀତିରଞ୍ଜନ ଘଡ଼ାଇ ସାରୁଆବିଲ ଠାରେ ପ୍ରସ୍ତାବିତ ସଡ଼କର ଶିଳାନ୍ୟାସ କରିଥିଲେ। ୨୦୨୪ ସାଧାରଣ ନିର୍ବାଚନ ପରେ ଏହା ଧୂଆଁବାଣ ସାବ୍ୟସ୍ତ ହୋଇଥିଲା।ଏ ସଂପର୍କରେ ପାଣିକୋଇଲି ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ଇଂ କମଳ କୁମାର ସ୍ବାଇଁଙ୍କୁ ପଚାରିବାରେ ଯଥାଶୀଘ୍ର ଏଷ୍ଟିମେଟ୍‌ କରାଯାଇ ବିଭାଗୀୟ ମଞ୍ଜୁର ପରେ ୧୫ ଦିନ ମଧ୍ୟରେ ଅତି ଆବଶ୍ୟକ ସ୍ଥଳରେ ମରାମତି କାମ ଆରମ୍ଭ କରାଯିବ କହିଥିଲେ।