‘କାଦମ୍ବିନୀ’ ଓ ‘କୁନିକଥା’ର ସ୍ୱନକ୍ଷତ୍ର ଉତ୍ସବ : ଓମଟିଭି

ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ତ୍ରୟୋବିଂଶ ଏବଂ ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ଶିଶୁ-କିଶୋର ପତ୍ରିକା ‘କୁନିକଥା’ର ଦ୍ୱାଦଶ ସ୍ୱନକ୍ଷତ୍ର ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି ।

‘କାଦମ୍ବିନୀ’ ଓ ‘କୁନିକଥା’ର ସ୍ୱନକ୍ଷତ୍ର ଉତ୍ସବ : ଓମଟିଭି

‘କାଦମ୍ବିନୀ’ ଓ ‘କୁନିକଥା’ର ସ୍ୱନକ୍ଷତ୍ର ଉତ୍ସବ
ଭୁବନେଶ୍ୱର, ୦୨ ।୦୭(ଓମ): ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ତ୍ରୟୋବିଂଶ ଏବଂ ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ଶିଶୁ-କିଶୋର ପତ୍ରିକା ‘କୁନିକଥା’ର ଦ୍ୱାଦଶ ସ୍ୱନକ୍ଷତ୍ର ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ କହିଲେ ଜନ୍ମ, ମୃତ୍ୟୁ, ଜୀବନ ଓ ସୃଷ୍ଟି ହେଉଛି ରହସ୍ୟ । ଆମେ ସମସ୍ତେ ଭଗବାନଙ୍କ ହାତରେ ଗୋଟିଏ ଗୋଟିଏ ଖେଳଣା । ତାଙ୍କର ନିର୍ଦ୍ଦେଶରେ ଆମେ ସବୁ କିଛି କରୁଛେ । କାଦମ୍ବିନୀ ଓ କୁନିକଥା ବେଦ ଓ ପଞ୍ଚତନ୍ତ୍ର ମଧ୍ୟରେ ପ୍ରବେଶ କରିବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ । ବେଦ ଓ ପଞ୍ଚତନ୍ତ୍ର ମାଧ୍ୟମରେ କାଦମ୍ବିନୀ ଆମ ସମସ୍ତଙ୍କୁ ଐଶ୍ୱରିକ ସତ୍ତା ଜାଗ୍ରତ କରାଇବା ସହ ଆମ ସମସ୍ତଙ୍କ ମଧ୍ୟରେ ପ୍ରେମ, ଐକ୍ୟ, ଭ୍ରାତୃଭାବ ଓ ଆଧ୍ୟାତ୍ମିକତା ଅନୁଭବ କରାଇପାରିବ । ସେହିପରି ପଞ୍ଚତନ୍ତ୍ର ମାଧ୍ୟମରେ କୁନିକଥା ପିଲାମାନଙ୍କ ମଧ୍ୟରେ ସାହସ, ଉତ୍ସୁକତା ଆଦି ଜାଗ୍ରତ କରାଇପାରିବ ବୋଲି ସେ କହିଥିଲେ । ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବିଶ୍ୱବ୍ୟାପୀ ପ୍ରଚାର ପ୍ରସାର ନିମନ୍ତେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ‘କାଦମ୍ବିନୀ ସାହିତ୍ୟ ଏକାଡ଼େମୀ’ର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ‘କାଦମ୍ବିନୀ ସମ୍ମାନ-୨୦୨୨’ ପ୍ରଦାନ କରାଯାଇଥିଲା । 
ବିଶିଷ୍ଟ ସମାଜସେବୀ ତଥା ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ସଭାପତି ଓ ‘ସମାଜ’ର ପ୍ରକାଶକ ନିରଞ୍ଜନ ରଥ ‘କାଦମ୍ବିନୀ ସମ୍ମାନ-୨୦୨୧’ ଗ୍ରହଣ କରି କହିଲେ, କାଦମ୍ବିନୀ ଓଡ଼ିଶାର କଳା, ସଂସ୍କୃତି, ଭାଷାର ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଛି । ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ‘କାଦମ୍ବିନୀ ସମ୍ମାନ-୨୦୨୦’ ଗ୍ରହଣ କରି କାଦମ୍ବିନୀ ଏହି ପ୍ରୟାସ ଓଡ଼ିଶାର କଳା, ସଂସ୍କୃତି, ସାହିତ୍ୟ ଓ ସଙ୍ଗୀତକୁ ଆଗେଇ ନେବାରେ ଆମଭଳି କଳାକାରଙ୍କୁ ଉତ୍ସାହ ପ୍ରଦାନ କରିବ । ‘କାଦମ୍ବିନୀ ସମ୍ମାନ’ ସ୍ୱରୂପ ପ୍ରତ୍ୟେକଙ୍କୁ ପଚାଶ ହଜାର ଟଙ୍କାର ଅର୍ଥରାଶି ସମେତ ଫଳକ, ମାନପତ୍ର, ଉତ୍ତରୀୟ ଆଦି ପ୍ରଦାନ କରାଯାଇଥିଲା ।
କଳା, ସଂସ୍କୃତି, ଭାଷା ଓ ସାହିତ୍ୟ ବିନା କୌଣସି ସଭ୍ୟତାର କୌଣସି ଅସ୍ତିତ୍ୱ ନାହିଁ ବୋଲି କିସ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ସତ୍ୟ ଏସ୍‍ ତ୍ରିପାଠୀ କହିଥିଲେ । ଓଡ଼ିଶାର କଳା ସଂସ୍କୃତି ଓ ଭାଷା କ୍ଷେତ୍ରରେ କାଦମ୍ବିନୀ ପ୍ରକାଶନର କାର୍ଯ୍ୟ ବେଶ ପ୍ରଶଂସନୀୟ । ଏହି ଅବସରରେ ଜଳବାୟୁ ପରିବର୍ତ୍ତନ ଉପରେ ମତବ୍ୟକ୍ତ କରି ଶ୍ରୀ ତ୍ରିପାଠୀ କହିଲେ, ପ୍ରକୃତି ହେଉଛି ଆମର ମାଆ । କିନ୍ତୁ ଆମେ ଭବିଷ୍ୟତ ପାଇଁ ଚିନ୍ତା ନ କରି ପ୍ରକୃତି ଉପରେ ନାନା ପ୍ରକାର ନିର୍ଯାତନା କରି ଚାଲିଛେ । ପୃଥିବୀରେ ୮୦ଲକ୍ଷ ପ୍ରଜାତିର ଜୀବ ଓ ଉଦ୍ଭିଦ ରହିଛନ୍ତି । ସେମାନଙ୍କ ମଧ୍ୟରୁ ମଣିଷ ହେଉଛି ଏକ ପ୍ରଜାତି । ଗତ ଶହେ ବର୍ଷ ମଧ୍ୟରେ ଆମେ ପ୍ରକୃତିର ଅପୂରଣୀୟ କ୍ଷତି କରିଛେ । ଆମେ ଯଦି ଅବିଚାରିତ ଭାବେ ପ୍ରକୃତି ପ୍ରତି ଅତ୍ୟାଚାର କରି ଚାଲିବା ତେବେ ଆମର ଭବିଷ୍ୟତ ବଂଶଧର ପ୍ରତି ଗୁରୁତର ବିପଦ ଆଶଙ୍କା ରହିଛି ବୋଲି କହିଥିଲେ ।

ଏହି ଅବସରରେ ପବିତ୍ର ପାଣିଗ୍ରାହୀଙ୍କୁ ‘କାଦମ୍ବିନୀ ଗଳ୍ପ ସମ୍ମାନ-୨୦୨୦’, ଗଙ୍ଗାଧର ବିଶ୍ୱାଳଙ୍କୁ ‘କାଦମ୍ବିନୀ ଗଳ୍ପ ସମ୍ମାନ-୨୦୨୧’ ଓ ପଲ୍ଲିଶ୍ରୀ ପଟ୍ଟନାୟକଙ୍କୁ ‘କାଦମ୍ବିନୀ ଗଳ୍ପ ସମ୍ମାନ-୨୦୨୨’ ଏବଂ ନିରାକାର ଦାସଙ୍କୁ ‘କାଦମ୍ବିନୀ କବିତା ସମ୍ମାନ-୨୦୨୧’ ଓ ପ୍ରୀତିଧାରା ସାମଲଙ୍କୁ ‘କାଦମ୍ବିନୀ କବିତା ସମ୍ମାନ-୨୦୨୨’ ପ୍ରଦାନ କରାଯାଇଥିଲା । ‘କାଦମ୍ବିନୀ ଗଳ୍ପ ସମ୍ମାନ’ ଓ ‘କାଦମ୍ବିନୀ କବିତା ସମ୍ମାନ’ ସ୍ୱରୂପ ପ୍ରତ୍ୟେକଙ୍କୁ ଦଶ ହଜାର ଟଙ୍କାର ଅର୍ଥରାଶି ସମେତ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଚଳଚ୍ଚିତ୍ର ଅଭିନେତ୍ରୀ ଅନୁ ଚୌଧୁରୀ, ମାମା ମିଶ୍ର, ଉଷସୀ ମିଶ୍ର ଓ ଜ୍ୟୋତି ମିଶ୍ରଙ୍କୁ ‘କାଦମ୍ବିନୀ ପ୍ରଚ୍ଛଦଶିଳ୍ପୀ ସମ୍ମାନ-୨୦୨୨’ ପ୍ରଦାନ କରାଯାଇଥିଲା । ଏହି ସମସ୍ତ ପୁରସ୍କାର ନବଗଠିତ ‘କାଦମ୍ବିନୀ ସାହିତ୍ୟ ଏକାଡେମୀ’ ତରଫରୁ ପ୍ରଦାନ କରାଯାଇଥିଲା ।
ଏହା ସହ ‘କାଦମ୍ବିନୀ’ ସ୍ୱନକ୍ଷତ୍ର ସ୍ୱତନ୍ତ୍ର ଓ ‘କୁନିକଥା’ର ଜୁଲାଇ ସଂଖ୍ୟା ଉନ୍ମୋଚିତ ହୋଇଥିଲା । ‘କାଦମ୍ବିନୀ’ ଓ ‘କୁନିକଥା’ର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ଧନ୍ୟବାଦ ଅର୍ପଣ ଓ ସଭା ପରିଚାଳନା କରିଥିଲେ ‘କାଦମ୍ବିନୀ’ ଓ ‘କୁନିକଥା’ର ସମ୍ପାଦକ ଡ. ଇତି ସାମନ୍ତ ।