ସଡ଼କ ଜମିରେ ଶଙ୍ଖ ଭବନ : BJP : Ommtv Round The Clock

ସଡ଼କ ଜମିରେ ଶଙ୍ଖ ଭବନ : BJP : Ommtv Round The Clock

ସଡ଼କ ଜମିରେ ଶଙ୍ଖ ଭବନ : BJP : Ommtv Round The Clock

ଭୁବନେଶ୍ବର: ୟୁନିଟ-୬ରେ ନିର୍ମାଣ ହୋଇଥିବା ବିଜେଡିର ବିଶାଳ ମୁଖ୍ୟାଳୟ ‘ଶଙ୍ଖ ଭବନ’କୁ ନେଇ କେଁ କଟର ସୃଷ୍ଟି ହୋଇଛି। ମୋଟ୍ ୪ଟି ପ୍ଲଟ୍ ଯଥା ପ୍ଲଟ୍ ନଂ-୭୯୭ର ଆଂଶିକ, ୮୦୦, ୭୯୭/୮୪୯ ଏବଂ ୭୯୮ର ଆଂଶିକର ୧ଏକର ୧୮୩ଡିସିମିଲ ଜମି ବିଜେଡି ମୁଖ୍ୟାଳୟ ପାଇଁ ଆବଣ୍ଟନ ହୋଇଥିବା ବେଳେ ପ୍ଲଟ୍ ନଂ-୭୯୮ର କିସମ ବଦଳ ହେଉଛି ସଡ଼କ। ସଡ଼କ କିସମ ଜମି ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଏହାକୁ କିପରି ବିଜେଡିକୁ ଲିଜ୍ ଦିଆଗଲା ଏବଂ ଏହା ଉପରେ ବିଜେଡିର ମୁଖ୍ୟାଳୟ ନିର୍ମାଣ ହେଲା ତାହାକୁ ନେଇ ବଡ଼ ପ୍ରଶ୍ନ ଉଠିଛି। ଏପରିକି ଏହାକୁ ଉଦ୍ଦେଶ୍ୟମୂଳକ ଭାବେ ବେଞ୍ଚମାର୍କ ମୂଲ୍ୟ ଠାରୁ କମ୍‌ ଦାମ୍‌ରେ ବିଜେଡିକୁ ଦିଆଯାଇଛି ବୋଲି ଅଭିଯୋଗ ହେଉଛି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ଶଙ୍ଖ ଭବନ ନିର୍ମାଣରେ ଆଇନ ଉଲ୍ଲଂଘନ ହୋଇଥିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦୋଷୀଙ୍କୁ ନିଶ୍ଚିତ ଦଣ୍ଡ ମିଳିବ। ପୂର୍ବ ସରକାରରେ ଅଫିସରମାନଙ୍କର ରାଜତ୍ୱ ଚାଲିଥିଲା। ସେମାନେ ଯାହା ଚାହୁଁଥିଲେ, ସେୟା କରୁଥିଲେ। ରାଜନୈତିକ ଲୋକମାନେ ଚଉକି ଲଗାଉଥିଲେ, ଆଉ ଅଫିସରମାନେ ଚଉକିରେ ବସି ଭାଷଣ ଦେଉଥିଲେ। ଯେତେ ଭୁଲ୍ କରିଛନ୍ତି ଜାଣି ଜାଣି କରି ଭୁଲ୍ କରିଛନ୍ତି। ଓଡ଼ିଶାକୁ କ୍ଷତିରେ ପକାଇଛନ୍ତି। ରାଜସ୍ବ ମନ୍ତ୍ରୀ ଶଙ୍ଖ ଭବନ ନିର୍ମାଣର ତଦନ୍ତ ହେବ ବୋଲି କହିବା ପରେ ବିଜେଡି ଚିହିଁକି ଉଠିଛି। ବି‌େଜଡି ମୁଖପାତ୍ର ଦେବୀ ପ୍ରସାଦ ମିଶ୍ର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଶଙ୍ଖ ଭବନ ଯେଉଁ ଜମି ଉପରେ ନିର୍ମାଣ ହୋଇଛି ତାହା ସଂପୂର୍ଣ୍ଣ ଆଇନସମ୍ମତ ଭାବେ ବିଜେଡିକୁ ଆବଣ୍ଟନ କରାଯାଇଥିଲା। ଏହି ଆବଣ୍ଟନ ବେଞ୍ଚ ମାର୍କ ଭାଲ୍ୟୁ ଆଇନ ଆଧାରରେ କରାଯାଇଛି। ମୌଜା ଗଙ୍ଗନଗର, ୟୁନିଟ-୬, ତହସିଲ-ଭୁବନେଶ୍ବର, ଖାତା ନଂ-୧୧୨, ପ୍ଲଟ୍ ନଂ ୭୯୭ ଆଂଶିକ, ୭୯୮ଆଂଶିକ, ୮୦୦, ୭୯୭/୮୪୭ରେ ଥିବା ପ୍ଲଟଗୁଡ଼ିକୁ କମ୍ପାକ୍ଟ ପାର୍ସଲରେ ପଟ୍ଟା ଦିଆଯାଇଛି। ଗଙ୍ଗନଗର ଅଞ୍ଚଳର ୨୦୨୧ ମସିହାର ବେଞ୍ଚମାର୍କ ଭାଲ୍ୟୁ ଅନୁସାରେ ସରକାରଙ୍କ ଦ୍ବାରା ସ୍ଥିରୀକୃତ କରାଯାଇଥିବା ପରିମାଣକୁ ବିଜେଡି ଦ୍ବାରା ପୈଠ କରାଯାଇଥିଲା।

ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ କମିଟି ବୈଠକରେ ବିଜେଡିର ସାଙ୍ଗଠନିକ ସମ୍ପାଦକଙ୍କ ଆବେଦନ ଅନୁଯାୟୀ ବିଜେଡି ଅଫିସ ପାଇଁ ୧.୧୮୩ଏକର ଜମି ପ୍ରଦାନ କରାଯାଇଥିଲା। ସେହି ଉଚ୍ଚସ୍ତରୀୟ କମିଟି ବୈଠକରେ ବିଜେପି ଅଫିସ ପାଇଁ ଖାରବେଳ ନଗରରେ ୧.୨୬୯ଏକର ଜମି ପ୍ରଦାନ କରାଯାଇଥିଲା। ବିଜେଡିକୁ ପ୍ରଦାନ କରାଯାଇଥିବା ଦୁଇଟି କ୍ବାର୍ଟର୍ସ ଭିତରେ କଞ୍ଜରଭାନ୍ସି ଲେନ୍ ବା ଉପଗଳିକୁ ଓଜିଏଲ୍‌ଏସ୍‌ ରୁଲ୍‌-୮ ଉପଧାରା ୪ ଅନୁଯାୟୀ ଇନଷ୍ଟିଚ୍ୟୁସନାଲ ରେସିଡେନ୍ସି ନିୟମରେ ଆବଣ୍ଟନ କରାଯାଇଛି। ଏହି ଦୃଷ୍ଟିରୁ ଦୁଇଟି କ୍ବାର୍ଟର୍ସ ମଝିରେ ଥିବା ଉପଗଳିକୁ ସଡ଼କ ବୋଲି ରାଜସ୍ବ ମନ୍ତ୍ରୀ ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ୍ଣ ଭୁଲ୍। ରାଜ୍ୟସ୍ବ ମନ୍ତ୍ରୀଙ୍କୁ ବୋଧେ ଠିକ୍ ତଥ୍ୟ ଅବଗତ କରାଯାଇନି ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏହି ଅବସରରେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ବିଜେପିର ଏହା ଅସହିଷ୍ଣୁ ନୀତି। ଶଙ୍ଖ ଭବନ ସମ୍ପର୍କରେ ଗଣମାଧ୍ୟମରେ ଗୁଜବ ଉପୁଜାଇ ସାଧାରଣରେ ବିଭ୍ରାନ୍ତ କରିବା ବିଜେପିର ଉଦ୍ଦେଶ୍ୟ। କେବଳ ଦୋଷାରୋପ କରି ଉପରଠାଉରିଆ ଭାବେ ବି‌େଜପି ଖସିଯିବାକୁ ଚାହୁଁଛି। ରାଜସ୍ବ ମନ୍ତ୍ରୀ ଏଭଳି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ।