ମେଟେଲ୍ ମିଟ୍ର ସପ୍ତମ ସଂସ୍କରଣ:Ommtv Kalinga Vikas
ମେଟେଲ୍ ମିଟ୍ର ସପ୍ତମ ସଂସ୍କରଣ:Ommtv Kalinga Vikas
ମେଟେଲ୍ ମିଟ୍ର ସପ୍ତମ ସଂସ୍କରଣ:Ommtv Kalinga Vikas
ଜୁନିୟରରେ ଡିଏଭି ୟୁନିଟ୍-୮, ସିନିୟରରେ ଏମ୍ସ ଭୁବନେଶ୍ୱର ଚାମ୍ପିୟନ୍
ଭୁବନେଶ୍ୱର,ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଭୁବନେଶ୍ୱରସ୍ଥିତ ସ୍ବସ୍ତିପ୍ରିମିୟମ ହୋଟେଲଠାରେ ଅନୁଷ୍ଠିତ ହୋଇଥିବା କୁଇଜ୍ ପ୍ରତିଯୋଗିତା ‘ମେଟଲ ମିଟ୍-୨୦୨୫’ ସପ୍ତମ ସଂସ୍କରଣର ଗ୍ରାଣ୍ଡ ଫାଇନାଲ୍ସ ରବିବାର ଅନୁଷ୍ଠିତ ହୋଇଯାଇଛି। ଜୁନିୟର ବର୍ଗରେ ଭୁବନେଶ୍ୱରସ୍ଥିତ ୟୁନିଟ-୮ ଡ଼ିଏଭି ପବ୍ଲିକ ସ୍କୁଲ ଟିମ୍ ଏବଂ ସିନିୟର ବର୍ଗରେ ଏମ୍ସ ଭୁବନେଶ୍ୱର ଚାମ୍ପିୟନ ହୋଇଛନ୍ତି। ଡିଏଭି ପବ୍ଲିକ ସ୍କୁଲ ୟୁନିଟ-୮ କ୍ରମାଗତ ଦ୍ୱିତୀୟ ଥର ପାଇଁ ଚାମ୍ପିୟାନ ହୋଇଥିବାବେଳେ, ଏମ୍ସ ଭୁବନେଶ୍ୱର ଲଗାତର ତୃତୀୟଥର ପାଇଁ ପ୍ରଥମ ସ୍ଥାନରେ ରହି ହାଟ୍ରିକ୍ ଅର୍ଜନ କରିଛି। ସେହିପରି ଜୁନିୟର ବର୍ଗରେ କିଟ୍ ଇଣ୍ଟରନ୍ୟାଶନାଲ ସ୍କୁଲ ଟିମ୍ ପ୍ରଥମ ରନରଅପ୍ ଓ ଲୋୟାଲା ଟିମ୍ ଦ୍ୱିତୀୟ ରନରଅପ୍ ହୋଇଛନ୍ତି। ଅନୁରୂପ ଭାବେ ସିନିୟର ବର୍ଗରେ ଆଇଆଇଟି ଖଡଗପୁର ପ୍ରଥମ ରନରଅପ୍ ଏବଂ ଆଇଆଇଏମ୍ କାଲ୍କାଟା ଦ୍ୱିତୀୟ ରନରଅପ୍ ହୋଇଛନ୍ତି। ଉଭୟ ବର୍ଗର ଚାମ୍ପିୟନ୍ଙ୍କୁ ୧ଲକ୍ଷ ଟଙ୍କା ଲେଖାଏଁ ଏବଂ ପ୍ରଥମ ରନର୍ଅପ୍ମାନଙ୍କୁ ୫୦ହଜାର ଓ ଦ୍ୱିତୀୟ ରନର୍ଅପ୍ମାନଙ୍କୁ ୨୫ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛିା।

ଶନିବାର ଓ ରବିବାର ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା କୁଇଜ୍ ପ୍ରତିଯୋଗିତାରେ ଏଥିର ପ୍ରଥମ ଥର ପାଇଁ ରାଜ୍ୟ ବାହାରୁ ଅଂଶଗ୍ରହଣକାରୀ ସାମିଲ୍ ହୋଇଥିଲେ। ପ୍ରତିଯୋଗିତାରେ ଜୁନିୟର ଓ ସିନିୟରଙ୍କୁ ମିଶାଇ ମୋଟ୍ ୮୧ଟି ଟିମ୍ ଭାଗ ନେଇଥିଲେ। ଜୁନିୟରରେ ରାଜ୍ୟ ଭିତରୁ ୩୯ଟି ଟିମ୍ ସାମିଲ ହୋଇଥିବାବେଳେ, ସିନିୟର ବର୍ଗରେ ରାଜ୍ୟ ଓ ରାଜ୍ୟ ବାହାରକୁ ମିଶାଇ ୪୨ଟି ଟିମ୍ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା। ଶନିବାର ଅନୁଷ୍ଠିତ ପ୍ରିଲିମ୍ସରେ ଉଭୟ ବର୍ଗରୁ ୮ଟି ଲେଖାଏଁ ଟିମ୍ ଗ୍ରାଣ୍ଡ୍ ଫାଇନାଲ୍ସକୁ ଉନ୍ନୀତ ହୋଇଥିଲେ। ରବିବାର ପ୍ରଥମେ ଜୁନିୟର ବର୍ଗର ଗ୍ରାଣ୍ଡ ଫାଇନାଲ୍ସ ଆରମ୍ଭ ହୋଇଥିଲା। କୁଇଜ୍ ମାଷ୍ଟର ଅଜୟ ପୁନିଆ ୮ଟି ଦଳର ଅଂଶଗ୍ରହଣକାରୀଙ୍କ ପାଇଁ ୫ଟି ପର୍ଯ୍ୟାୟରେ ବିଭିନ୍ନ ବିଷୟବସ୍ତୁ ଉପରେ ଆଧାରିତ ପ୍ରଶ୍ନମାନ ପଚାରିଥିଲେ। ବିଜୟୀ ଦଳ ୟୁନିଟ୍-୮ ଡିଏଭି ପବ୍ଲିକ୍ ସ୍କୁଲ ଦ୍ୱିତୀୟ ରାଉଣ୍ଡରୁ ହିଁ ଅନ୍ୟ ପ୍ରତିଦ୍ୱନ୍ଦୀ ଦଳକୁ ପଛରେ ପକାଇ ଆଗରେ ରହିଥିଲା। ସିନିୟର ବର୍ଗରେ ପ୍ରଥମରୁ ହିଁ ଏମ୍ସ ଭୁବନେଶ୍ୱର ଅନ୍ୟ ପ୍ରତିଯୋଗୀ ଦଳକୁ ପଛରେ ପକାଇ ସ୍କୋର ବଢାଇ ଚାଲିଥିଲା। ପ୍ରଥମଥର ପାଇଁ ଆଇଆଇଟି ଖଡଗପୁର ଏବଂ ଆଇଆଇଏମ୍ କାଲ୍କାଟା ଅଂଶଗ୍ରହଣ କରି ରାଜ୍ୟ ବାହାରର ଦଳଭାବେ ବିଜୟ ଲାଭ କରି ମେଟେଲ୍ ମିଟ୍କୁ ଭିନ୍ନ ପରିଚୟ ଦେଇଛନ୍ତି।
କାର୍ଯ୍ୟକ୍ରମ ଆରମ୍ଭରେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ସେହିପରି ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଏହି କୁଇଜ୍ ପ୍ରତିଯୋଗିତା ପ୍ରଥମ ଥର ପାଇଁ ରାଜ୍ୟ ବାହାରକୁ ଯାଇଥିବାରୁ ସମସ୍ତ ପ୍ରତିଯୋଗୀଙ୍କୁ ସ୍ବାଗତ କରିବା ସହ କୁଇଜ୍ ସଂସ୍କୃତିକୁ ପୁନରୁତ୍ଥାନ କରିବାରେ ଏହି ସଂସ୍କରଣ ବେଶ୍ ଉପାଦେୟ ହୋଇପାରିଥିବା କହିଛନ୍ତି। କାର୍ଯ୍ୟକ୍ରମକୁ ମାନସୀ ମିଶ୍ର ସଂଯୋଜନା କରିଥିଲେ।
