ବିଶ୍ୱ କର୍କଟ ଦିବସ : Ommtv
ବିଶ୍ୱ କର୍କଟ ଦିବସ : Ommtv
![ବିଶ୍ୱ କର୍କଟ ଦିବସ : Ommtv](https://ommtv.in/uploads/images/2025/02/image_750x_67a3656a4cdb8.jpg)
ବିଶ୍ୱ କର୍କଟ ଦିବସ : Ommtv
କିମ୍ସ କ୍ୟାନ୍ସର ହସ୍ପିଟାଲ ପକ୍ଷରୁ କର୍କଟ ସଚେତନତା
ବାଲୁକା କଳା ମାଧ୍ୟମରେ ପୁରୀରେ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର,୪। ୨: ବିଶ୍ୱ କର୍କଟ ଦିବସ ପାଳନ ଅବସରରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସେସ୍ (କିମ୍ସ) କ୍ୟାନସର ହସ୍ପିଟାଲ ପକ୍ଷରୁ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟାପକ, ଛାତଛାତ୍ରୀ ଏବଂ କିମ୍ସ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ବିଶ୍ୱ କର୍କଟ ଦିବସ ଅବ୍ୟବହିତ ପୂର୍ବରୁ କିମ୍ସର ଛାତ୍ରଛାତ୍ରୀମାନେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଲୋକଙ୍କୁ କର୍କଟ ରୋଗ ଉପରେ ସଚେତନ କରାଇଥିଲେ । କ୍ୟାନସର ରୋଗୀଙ୍କ ପ୍ରତି ଲୋକମାନଙ୍କ ଥିବା ମନୋଭାବକୁ ଦୂର କରିବା ପାଇଁ ଛାତ୍ରଛାତ୍ରୀମାନେ ବୁଝାଇଥିଲେ। ଚଳିତବର୍ଷର ବିଷୟବସ୍ତୁ ଥିଲା ‘ୟୁନାଇଟେଡ୍ ବାଇ ୟୁନିକ୍’ । ଆଜି ସକାଳେ ଏହି ବାର୍ତ୍ତା ନେଇ କର୍କଟ ବିରୋଧରେ ଆନ୍ଦୋଳନ ଆରମ୍ଭ କରିବା ଲାଗି କିମସ ପକ୍ଷରୁ ଏକ ସଚେତନତା ପଦଯାତ୍ରା ଆୟୋଜନ କରାଯାଇଥିଲା। ଏହି ପଦଯାତ୍ରା କିମ୍ସ କ୍ୟାନସର ହସପିଟାଲରୁ ବାହାରି ପଟିଆ ଛକ ପର୍ଯ୍ୟନ୍ତ ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ କିମ୍ସ ସୁପର ସ୍ପେଶିଆଲିଟି ହସ୍ପିଟାଲ୍ ଓ କ୍ୟାନ୍ସର କେୟାର ସେଣ୍ଟରର ନିର୍ଦ୍ଦେଶକ ଡା. ମନୋଜ କୁମାର ସାହୁ କହିଲେ, କର୍କଟ ନାଁ ଶୁଣିଲେ ସମସ୍ତେ ଭୟଭୀତ ହୋଇପଡ଼ନ୍ତି । କିନ୍ତୁ ଆନନ୍ଦର ବିଷୟ କର୍କଟ ରୋଗର ଚିକିତ୍ସାରେ ବ୍ୟାପକ ଅତ୍ୟାଧୁନିକ ପରିବର୍ତ୍ତନ ହେଲାଣି । ତେଣୁ କର୍କଟକୁ ଆଉ ନ ଡରିବା ପାଇଁ ଡା. ସାହୁ ପରାମର୍ଶ ଦେଇଥିଲେ। କର୍କଟ ରୋଗକୁ ଏବେ ପ୍ରତିହତ କରାଯାଇପାରିବ । ତେଣୁ ସମସ୍ତେ କର୍କଟ ରୋଗ ବିରୋଧରେ ଏକାଠି ହେବାର ସମୟ ଆସିଛି। କର୍କଟ ରୋଗକୁ ଯଥେଷ୍ଟ ପୂର୍ବରୁ ଚିହ୍ନଟ କରିବା ପାଇଁ କିମ୍ସରେ ସମସ୍ତ ସୁବିଧା ଉପଲବ୍ଧ ଅଛି ବୋଲି ଡା. ସାହୁ ସୂଚନା ଦେଇଥିଲେ । ସନ୍ତୁଳିତ ଆହାର ଓ ପରିବର୍ତ୍ତିତ ଚଳଣିରେ ସୁଧାର ଅଣାଯାଇପାରିଲେ ଏକ ତୃତୀୟାଂଶ କର୍କଟ ରୋଗକୁ ଏଡ଼ାଇ ଦିଆଯାଇପାରିବ ବୋଲି ସେ କହିଥିଲେ ।
କିମ୍ସ ମେଡିକାଲ କଲେଜ ଅଧକ୍ଷ ଡା. ଆର୍ ସି ଦାସ କହିଲେ, ରୋଗୀ, ରୋଗୀଙ୍କ ପରିବାର, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ସମାଜ ଏକାଠି ହୋଇପାରିଲେ ଏହି ଦୁଃସାଧ୍ୟ ରୋଗକୁ ହଟାଇପାରିବା ।
ଏହି ଅବସରରେ ଆୟୋଜିତ ଆଲୋଚନାଚକ୍ରରେ କିମ୍ସ କ୍ୟାନସର ହସ୍ପିଟାଲର ଆସୋସିଏଟ୍ ପ୍ରଫେସର ଡା ଯୋଗମାୟା ପଟ୍ଟନାୟକ କର୍କଟ ରୋଗ ବିରୋଧରେ ଲଢ଼େଇରେ ସାମୂହିକ ସମ୍ପୃକ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ । ‘ୟୁନାଇଟେଡ୍ ବାଇ ୟୁନିକ୍’ ଉପରେ ଗୁରୁତ୍ବ ଦେଇ ସେ କହିଲେ ପ୍ରତି କର୍କଟ ରୋଗୀଙ୍କଠାରେ ଭିନ୍ନ ଧରଣର ରୋଗର ଲକ୍ଷଣ ଥାଏ । ତେଣୁ ସମସ୍ତଙ୍କୁ ସମାନ ସେବା ଯୋଗାଇ ଦେବା ହେଉଛି ଚଳିତବର୍ଷର ବାର୍ତ୍ତା ବୋଲି କହିଥିଲେ ।