ନାଟକ 'ଦେବତା ଆଖିରେ ଲୁହ' ମଞ୍ଚସ୍ଥ:Ommtv
ନାଟକ 'ଦେବତା ଆଖିରେ ଲୁହ' ମଞ୍ଚସ୍ଥ:Ommtv

ନାଟକ 'ଦେବତା ଆଖିରେ ଲୁହ' ମଞ୍ଚସ୍ଥ:Ommtv
ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଶିବପ୍ରସାଦ ରଥଙ୍କ ପ୍ରଯୋଜନା ଓ ବିଶିଷ୍ଟ ସ୍ତମ୍ଭକାର, ପରିବେଶବିତ ଲଳିତ ମହାନ୍ତ ଓ ଅଧ୍ୟାପକ ଡକ୍ଟର ମିଲନ ମହାନ୍ତଙ୍କ ଯୁଗ୍ମ ନିର୍ଦ୍ଦେଶନା କ୍ରମେ 'ନବପଲ୍ଲଵ ନାଟ୍ୟ ସଂସଦ', ରାଇରଙ୍ଗପୁର କଲେଜର ଛାତ୍ରଛାତ୍ରୀଙ୍କଦ୍ୱାରା ପରିବେଶ ସଚେତନତାଧର୍ମୀ ପଥପ୍ରାନ୍ତ ନାଟକ 'ଦେବତା ଆଖିରେ ଲୁହ' ସମଗ୍ର ବାମନଘାଟି ଅଞ୍ଚଳର ମଣନ୍ଦା, ବିଶୋଇ, ବାଦାମପାହାଡ଼, ବହଳଦା ଓ ରାଇରଙ୍ଗପୁର ଫରେଷ୍ଟ ରେଞ୍ଜର 15 ଗୋଟି ସ୍ଥାନରେ ମଞ୍ଚସ୍ଥ ହୋଇଯାଇଛି। ଆଜି ଏହି ନାଟକ ରାଇରଙ୍ଗପୁର କଲେଜର ଯୁବ ରେଡ଼କ୍ରସ ଆନୁକୂଲ୍ୟରେ କଲେଜ ପରିସରରେ ମଧ୍ୟ ଷୋଡଶ ଥର ପାଇଁ ମଞ୍ଚସ୍ଥ ହୋଇଯାଇଛି। ଏଥିରେ କଲେଜର ଛାତ୍ରଛାତ୍ରୀ ମଧୁସୂଦନ ଟୁଡୁ, ବିବେକ ମାର୍ଣ୍ଡି, ପ୍ରିୟା ସୋରେନ, ନିଶା ମହାନ୍ତ, ବିନତି ମହାନ୍ତ, ଅଲିଭା ମହାନ୍ତ, ଶଚିକାନ୍ତ ବାରିକ, ଜଗନ୍ନାଥ ବିନ୍ଧାଣି, ସତ୍ୟମ ଗୁପ୍ତା, ଆଲତାମାସ କବୀର ପ୍ରମୁଖ ଅଭିନୟ କରିଥିବା ବେଳେ ମାଦଲରେ ଥିଲେ କାନଖା ଗ୍ରାମର ସାଗ୍ରାମ ସୋରେନ ଓ ଇଲେକ୍ଟ୍ରୋନିକ୍ସ ହାର୍ମୋନିଅମରେ ନୂଆଗାଁର ଲକ୍ଷ୍ମଣ କୁମାର ହେମ୍ବ୍ରମ। ହାସ୍ୟ-ବ୍ୟଙ୍ଗ, ସଂଗୀତ ଓ ନୃତ୍ୟ ଭରା ଏହି ନାଟକରେ- ବନାଗ୍ନି ନିୟନ୍ତ୍ରଣ ଓ ଜଳବାୟୁ ପରିବର୍ତନ ଜନିତ ମଣିଷ ଓ ବନ୍ୟଜନ୍ତୁ ମଧ୍ୟରେ ହେଉଥିବା ସଂଘର୍ଷକୁ ମୁକାବିଲା କରିବା ପାଇଁ ବଳିଷ୍ଠ ଓ ସମ୍ବେଦନଶୀଳ ବାର୍ତ୍ତାଥିବାରୁ ନାଟକଟି ଦର୍ଶକଙ୍କଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ଅମ ସମୟର ସୁଯୋଗ୍ୟ ନାଟ୍ୟ ସ୍ରଷ୍ଟା ଡକ୍ଟର ମିଲନ ମହାନ୍ତଙ୍କ ରଚିତ ଏହି ନାଟକଟିର ସମୀକ୍ଷା କରିଥିଲେ ଅଧ୍ୟାପକ-ଅଧ୍ୟାପିକା ଆଦିତ୍ୟ କୁମାର ଆଚାର୍ଯ୍ୟ, ଜିତେନ୍ଦ୍ର ନାଥ ମହାନ୍ତ, ଆନ୍ଦ୍ରେଶ ମାରାଣ୍ଡି, ମାନସ କୁମାର ପରିଡ଼ା, ସୋନାଲି ହେମ୍ବ୍ରମ, ସୀତାମଣି ମୁର୍ମୁ ଓ ଡକ୍ଟର ଦିଗମ୍ବର ଗିରି। ରାଇରଙ୍ଗପୁର ବନାଞ୍ଚଳ ଅଧିକାରୀ ଜ୍ୟୋତିରଞ୍ଜନ ସେନାପତି ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ବାମନଘାଟି ଅନ୍ତର୍ଗତ ବିଭିନ୍ନ କଲେଜର ଅଧ୍ୟାପକ-ଅଧ୍ୟାପିକା, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଦର୍ଶକ ଭାବରେ ଉପସ୍ଥିତ ଥିଲେ।