ଛାତିଥରା ଭୂସ୍ଖଳନ; ନିଖୋଜଙ୍କୁ ଠାବ ପାଇଁ ଚାଲିଛି ଅହରହ ପ୍ରୟାସ
ଛାତିଥରା ଭୂସ୍ଖଳନ; ନିଖୋଜଙ୍କୁ ଠାବ ପାଇଁ ଚାଲିଛି ଅହରହ ପ୍ରୟାସ
ଛାତିଥରା ଭୂସ୍ଖଳନ; ନିଖୋଜଙ୍କୁ ଠାବ ପାଇଁ ଚାଲିଛି ଅହରହ ପ୍ରୟାସ
ଭଞ୍ଜନଗର: ଛାତିଥରା ଭୂସ୍ଖଳନ ପରେ ଗଞ୍ଜାମ-କନ୍ଧମାଳ ସୀମାନ୍ତ ତଥା ଗଞ୍ଜାମଜିଲ୍ଲା ଭଞ୍ଜନଗର ବ୍ଲକ୍ ବାଇବାଲି ପଞ୍ଚାୟତର ଗିଡ଼ିପାବାଲି ଗ୍ରାମରେ ନିଖୋଜଙ୍କୁ ଠାବ କରିବାକୁ ଉଦ୍ଧାରକାରୀ ଦଳ ଶନିବାରଠୁ ଅହରହ ପ୍ରୟାସ ଜାରି ରଖିଛନ୍ତି। ଆଜି ମାଟିତଳୁ ଆଉ ଜଣେ ପୁରୁଷଙ୍କ ଶବ ଠାବ ହୋଇଛି। ରବି ମଲ୍ଲିକଙ୍କ ଶବ ମିଳିଥିବା ସ୍ଥାନ ନିକଟରେ ହିଁ ଏହି ଶବକୁ ଠାବ କରାଯାଇଥିଲା। ଏହାକୁ ମିଶାଇ ଆଜିସୁଦ୍ଧା ଦୁଇଜଣଙ୍କ ଶବ ମିଳିଛି। ଅନ୍ୟପକ୍ଷରେ ରବିଙ୍କ ଶବକୁ ସେଠାରେ ହିଁ ପୋତି ଦିଆଯାଇଥିବା ଭଞ୍ଜନଗର ଥାନାଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି। ଦିନ ଯେତିକି ଗଡ଼ୁଛି, ଆଶଙ୍କା ସେତିକି ବଢ଼ିବାରେ ଲାଗିଛି।ନିଖୋଜଙ୍କୁ ଠାବ କରିବା ପାଇଁ ସଶସ୍ତ୍ର ଏସ୍ଓଜି ବାହିନୀ ସହ ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆଜି ବି ପରିଶ୍ରମ କରିଥିଲେ। ତେବେ ଖସି ଆସିଥିବା ବଡ଼ ପଥର ଉଦ୍ଧାର କାର୍ଯ୍ୟରେ ବାଧକ ସାଜିଥିଲା। ଆଜି ନିୟନ୍ତ୍ରିତ ବିସ୍ଫୋରଣ (କଣ୍ଟ୍ରୋଲ ବ୍ଲାଷ୍ଟ୍) ଜରିଆରେ ୪ଟି ପଥରକୁ ଫଟାଯାଇଥିଲା। କିନ୍ତୁ ପଥରର ଆକାର ବହୁତ ବଡ଼ ଥିବାରୁ ଆଶାନୁରୂପ ସଫଳତା ମିଳି ନଥିଲା। ସେହିପରି ଏନ୍ଡିଆର୍ଏଫ୍ ପକ୍ଷରୁ ଆଜି ଗ୍ରାଉଣ୍ଡ୍ ପେନିଟ୍ରେଟିଂ ରାଡାର୍ ବା ଜିଓ ରାଡାର୍ ମେସିନର ସହାୟତା ନିଆଯାଇଛି।ଆଇଆଇଟି ତିରୁପତିର ଅଭିଜ୍ଞ ବିଶେଷଜ୍ଞଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ମେସିନ୍ ସାହାଯ୍ୟରେ ସନ୍ଧାନ ଜାରି ରହିଛି। ଏହି ଜିଓ ରାଡାର୍ ଆମେରିକା ଓ କାନାଡ଼ା ଭଳି ଦେଶରେ ବିପର୍ଯ୍ୟୟ ପରିଚାଳନାରେ ବ୍ୟବହାର ହୁଏ। ବିଦେଶରେ ଫୋରେନସିକ କାର୍ଯ୍ୟରେ ଏହି ଯନ୍ତ୍ରର ଅନେକ ଉପଲବ୍ଧି ରହିଥିବା ବିଶେଷଜ୍ଞମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ମେସିନ୍ ମାଟି ତଳେ ରହିଥିବା ଜୀବନ୍ତ କିମ୍ବା ମୃତଦେହର ସ୍ଥିତି ସଂପର୍କରେ ସୂଚନା ଦେଇଥାଏ। ସେହି ଆଧାରରେ ଜାଗା ଚିହ୍ନଟ ସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭଞ୍ଜନଗର ଅତିରିକ୍ତ ଏସ୍ପି ରଞ୍ଜନ କୁମାର ଦେ’ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ୨ଟି ଗାଈ ଓ ୯ ଟି ଛେଳିର ମୃତଦେହକୁ ପୋତି ଦିଆଯାଇଥିବା ସେ କହିଛନ୍ତି। ଗଞ୍ଜାମ ପଟୁ ହେଉ ଅବା କନ୍ଧମାଳ, ଉକ୍ତ ଗ୍ରାମରେ ପହଞ୍ଚିବା ସହଜ ହେଉ ନଥିବା ବେଳେ ମେସିନ୍ ନେଇ ପଥର ହଟାଇବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଛି।

