ବାତ୍ୟା ଅର୍ଣ୍ଣବ ବିତ୍ପାତ ପରବର୍ତ୍ତୀ ପୁନରୁଦ୍ଧାର: ସମନ୍ବୟ ନିମନ୍ତେ ତିନି ପ୍ରଭାବିତ ଜିଲ୍ଲାରେ ୪ ଆଇଏଏସ୍ ଅଧିକାରୀ
ବାତ୍ୟା ଅର୍ଣ୍ଣବ ବିତ୍ପାତ ପରବର୍ତ୍ତୀ ପୁନରୁଦ୍ଧାର: ସମନ୍ବୟ ନିମନ୍ତେ ତିନି ପ୍ରଭାବିତ ଜିଲ୍ଲାରେ ୪ ଆଇଏଏସ୍ ଅଧିକାରୀ
ବାତ୍ୟା ଅର୍ଣ୍ଣବ ବିତ୍ପାତ ପରବର୍ତ୍ତୀ ପୁନରୁଦ୍ଧାର: ସମନ୍ବୟ ନିମନ୍ତେ ତିନି ପ୍ରଭାବିତ ଜିଲ୍ଲାରେ ୪ ଆଇଏଏସ୍ ଅଧିକାରୀ
ଭୁବନେଶ୍ୱର: ପ୍ରଭାବିତ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ କ୍ଷୟକ୍ଷତି ଆକଳନ, ପ୍ରଭାବିତ ହିତାଧିକାରୀଙ୍କ ନିକଟରେ କ୍ଷତିପୂରଣ ପ୍ୟାକେଜ୍ ପହଞ୍ଚାଇବା ସୁନିଶ୍ଚିତ କରିବା, ଭିତ୍ତିଭୂମି ମରାମତି ତ୍ୱରାନ୍ୱିତ କରିବା ଏବଂ ଜିଲ୍ଲା ପ୍ରଶାସନ ସହ ସମନ୍ଵୟ ରକ୍ଷା କରିବା ନିମନ୍ତେ ୪ ଜଣ ଆଇଏଏସ ଅଧିକାରୀଙ୍କୁ ଅବସ୍ଥାପିତ କରାଯାଇଛି। ସେମାନଙ୍କୁ ଅତିରିକ୍ତ ସ୍ପେଶାଲ୍ ରିଲିଫ୍ କମିସନର ଭାବେ ସମ୍ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି। ଗଜପତି ଜିଲ୍ଲାରେ ୨୦୨୪ ବ୍ୟାଚ୍ ଆଇଏଏସ୍ ଅଫିସର ପୱନ କୁମାର, ଗଞ୍ଜାମ ଜିଲ୍ଲାରେ ୨୦୨୨ ବ୍ୟାଚ୍ ଆଇଏଏସ୍ ଅଫିସର୍ ଅଜିତ କୁମାର, ୨୦୨୩ ବ୍ୟାଚ୍ ଆଇଏଏସ୍ ଅଫିସର୍ ତେଜସ୍ବିନୀ ବେହେରା ଏବଂ କନ୍ଧମାଳ ଜିଲ୍ଲାରେ ୨୦୨୩ ବ୍ୟାଚ୍ ଆଇଏଏସ୍ ଅଫିସର୍ ଶିବ ମାଲବ୍ଯଙ୍କୁ ଅବସ୍ଥାପିତ ହୋଇଛି ।ସେହିପରି ସମ୍ପୃକ୍ତ ଜିଲ୍ଲା ଗୁଡିକରେ ପ୍ରାୟ ୫୪ ଓଡ୍ରାଫ୍, ୯ ଏନ୍ଡିଆର୍ଏଫ୍ ଏବଂ ୧୦୦ ରୁ ଊର୍ଦ୍ଧ୍ଵ ଅଗ୍ନିଶମ ସେବା ବାହିନୀ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପ୍ରଭାବିତ ଜିଲ୍ଲାଗୁଡିକରେ ବିଦ୍ୟାଳୟ ପ୍ରାୟ ବନ୍ଦ ଅଛି ଏବଂ ପରିସ୍ଥିତି ଦେଖି ଜିଲ୍ଲା ପ୍ରଶାସନ ଦ୍ଵାରା ଖୋଲା ଯିବାର ନିଷ୍ପତ୍ତି ନିଆଯିବ ବୋଲି ଆଜି (ମଙ୍ଗଳବାର) ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକରେ ସୂଚନା ଦିଆଯାଇଛି। ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ ଅରବିନ୍ଦ କୁମାର ପାଢ଼ୀ, ସ୍ପେଶାଲ୍ ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ୍, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡ ସୁଧାଂଶୁ ଷଡଙ୍ଗୀ ଏବଂ ଅନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।ବୈଠକ ପରେ ମନ୍ତ୍ରୀ ଏକ ପ୍ରେସ୍ ବିବୃତି ଜରିଆରେ ସୂଚନା ଦେଇଛନ୍ତି, ଗତକାଲି ବିଳମ୍ବିତ ରାତିରେ ବାତ୍ୟା 'ମୁରାସୁ' ଆନ୍ଧ୍ର ପ୍ରଦେଶରେ ପ୍ରବେଶ କରି ସାରିଛି। ଏହାର ପ୍ରଭାବରେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାର କୌଣସି ଜିଲ୍ଲା ବିଶେଷ ଭାବରେ ପ୍ରଭାବିତ ହୋଇନାହିଁ ।ରାଜ୍ୟସରକାର ସମ୍ପୂର୍ଣ୍ଣ ପରିସ୍ଥିତି ନିରୀକ୍ଷଣ କରୁଛନ୍ତି ଏବଂ ସମସ୍ତ ପ୍ରକାର ପରିସ୍ଥିତି ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ଗଞ୍ଜାମ ଜିଲ୍ଲାରେ ପ୍ରାୟ ୧,୫୨,୦୧୦ ଜନସାଧାରଣ ସ୍ଥାନାନ୍ତରିତ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ୬୨୦,ମାଲକାନଗିରି ଜିଲ୍ଲାରେ ୫୦୭୩, କୋରାପୁଟ ଜିଲ୍ଲାରେ ୧୧୦୧, କନ୍ଧମାଳ ଜିଲ୍ଲାରେ ୬୨୬୯, ରାୟଗଡ଼ା ଜିଲ୍ଲାରେ ୭୩୬ ; ଏହିପରି ଭାବେ ସର୍ବମୋଟ୍ ପ୍ରାୟ ୧,୬୫,୮୦୯ ଜଣ ସ୍ଥାନାନ୍ତରିତ ହୋଇଛନ୍ତି । ସେହିପରି ବର୍ତ୍ତମାନ ଉପରୋକ୍ତ ଜିଲ୍ଲାଗୁଡିକରେ ସର୍ବମୋଟ ପ୍ରାୟ ୫୯୨ ଉଭୟ ସ୍ଥାୟୀ ଏବଂ ଅସ୍ଥାୟୀ ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ରହିଛି ।ସେହିପରି ଆଜି ଅନୁଧ୍ୟାନ ନିମନ୍ତେ ଆସିଥିବା କେନ୍ଦ୍ରୀୟ ଟିମ୍ ଗଜପତି ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଆକଳନ କରୁଥିବା ବେଳେ ଆସନ୍ତାକାଲି ଗଞ୍ଜାମ ଜିଲ୍ଲାରେ କ୍ଷୟକ୍ଷତି ଆକଳନ କରି ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ। ଜିଲ୍ଲାମାନଙ୍କରେ ଜିଲ୍ଲାପାଳ ମାନେ କେନ୍ଦ୍ରୀୟ ଟିମର ପରିଦର୍ଶନ ସ୍ଥଳ ସ୍ଥିର କରି ସେମାନଙ୍କୁ ସହାୟତା କରୁଛନ୍ତି ।

