ଦୁଃଖ ଶୁଣିଲେ ସରକାର, ମିଳିବ ଗୋଖାଦ୍ୟ: ଦୁହାଁଳିଆ ଗାଈଙ୍କୁ ମିଳିବନି, ନିଜସ୍ବ ଜମିରେ ଗୋଶାଳା ଥିଲେ ହେବ ପଞ୍ଜୀକରଣ
ଦୁଃଖ ଶୁଣିଲେ ସରକାର, ମିଳିବ ଗୋଖାଦ୍ୟ: ଦୁହାଁଳିଆ ଗାଈଙ୍କୁ ମିଳିବନି, ନିଜସ୍ବ ଜମିରେ ଗୋଶାଳା ଥିଲେ ହେବ ପଞ୍ଜୀକରଣ
ଦୁଃଖ ଶୁଣିଲେ ସରକାର, ମିଳିବ ଗୋଖାଦ୍ୟ: ଦୁହାଁଳିଆ ଗାଈଙ୍କୁ ମିଳିବନି, ନିଜସ୍ବ ଜମିରେ ଗୋଶାଳା ଥିଲେ ହେବ ପଞ୍ଜୀକରଣ
ଭୁବନେଶ୍ବର: ‘ଭୋକରେ ଗୋମାତା’ ଶୀର୍ଷକ ଖବର ‘ସମ୍ବାଦ’ରେ ପ୍ରକାଶ ପରେ ସାରା ରାଜ୍ୟରେ ଗୋଶାଳାରେ ରହୁଥିବା ଗୋମାତାଙ୍କ ଦୁଃଖ ବୁଝିଛନ୍ତି ରାଜ୍ୟ ସରକାର। ଗୋମାତାଙ୍କ ଖର୍ଚ୍ଚ ବାବଦରେ ପ୍ରକାଶିତ ବିଜ୍ଞପ୍ତିର ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। କେବଳ ଦୁହାଁଳିଆ ଗାଈଙ୍କୁ ଛାଡ଼ିଦେଲେ, ଏଥର ୩ ମାସରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଗୋମାତାଙ୍କୁ ଗୋଖାଦ୍ୟ ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି। ଯେହେତୁ ଗୋଶାଳାଗୁଡ଼ିକ କ୍ଷୀରରୁ କିଛିଟା ରାଜସ୍ବ ପାଉଛନ୍ତି, ରାଜ୍ୟ ସରକାର ଦୁହାଁଳିଆ ଗାଈଙ୍କୁ ଗୋଖାଦ୍ୟ ଖର୍ଚ୍ଚ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି।ପ୍ରକାଶିତ ସଂଶୋଧିତ ବିଜ୍ଞପ୍ତିରେ ରାଜ୍ୟ ସରକାରଙ୍କ ପ୍ରାଣୀ ସଂପଦ ବିଭାଗ ପୂର୍ବ ଅନୁଦାନକୁ ପୁଣିଥରେ ପ୍ରଚଳନ କରି ପଞ୍ଜୀକୃତ ଗୋଶାଳାଗୁଡ଼ିକରେ ରହୁଥିବା ଗୋମାତାଙ୍କ ପିଛା ବାର୍ଷିକ ୪ହଜାରରୁ ୨୦ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଅନୁଦାନରୁ ୩ ମାସରୁ ୨ ବର୍ଷ ବୟସର ଗୋମାତା ପିଛା ୪ହଜାର ଟଙ୍କା, ୨ ବର୍ଷରୁ ୮ ବର୍ଷ ପର୍ଯ୍ୟନ୍ତ (୩୦୦ କେଜିରୁ କମ୍) ୧୦ହଜାର ଟଙ୍କା ଓ ୮ ବର୍ଷରୁ ଅଧିକ ବୟସ୍କ ଗୋମାତାଙ୍କ ପିଛା ୨୦ହଜାର ଟଙ୍କା ଖର୍ଚ୍ଚ ଦେବାକୁ ବିଜ୍ଞପ୍ତି ଜାରି କରିଛନ୍ତି। ଗୋଖାଦ୍ୟ ବାବଦରେ ଦୈନିକ ୧.୫ କେଜି ହିସାବରେ ୨୫ ଟଙ୍କା ଓ ବାର୍ଷିକ ୫୪୮ କେଜି ହିସାବରେ ୧୩୬୮୭.୫୦ ଟଙ୍କା, ଘାସ ଓ କୁଟା ବାବଦରେ ଦୈନିକ ୪ କେଜି ହିସାବରେ ୪ ଟଙ୍କା ଓ ବାର୍ଷିକ ୧୪୬୦ କେଜି ହିସାବରେ ୫୮୪୦ ଟଙ୍କା, ଔଷଧ ଓ ଭ୍ୟାକ୍ସିନ୍ ବାବଦରେ ବାର୍ଷିକ ୨୫୦ ଟଙ୍କା ଏବଂ ଅନ୍ୟ ଖର୍ଚ୍ଚ ୨୨୨.୫୦ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନାରେ ୨୦୨୬-୨୭ ଆର୍ଥିକ ବର୍ଷରେ ୧୦ହଜାର ଗୋମାତାଙ୍କ ଖାଦ୍ୟ ଖର୍ଚ୍ଚ ବାବଦରେ ପ୍ରାୟ ୨୦ କୋଟି ଟଙ୍କାର ଆର୍ଥିକ ମଞ୍ଜୁରି ମିଳିଛି।ମୁଖ୍ୟମନ୍ତ୍ରୀ ପ୍ରାଣୀସଂପଦ ଯୋଜନାରେ ଗୋଶାଳାଗୁଡ଼ିକୁ ଆର୍ଥିକ ସହାୟତା ଦେବାର ବ୍ୟବସ୍ଥା କରାଯାଇଛି। କିନ୍ତୁ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ପ୍ରାଣୀ ସଂପଦ ଯୋଜନାରେ ଗୋଶାଳାରେ ରହୁଥିବା ଗୋମାତାଙ୍କ ଭିତରୁ ବାଛୁରି, ଦାମୁଡ଼ି, ଛଡ଼ା, ଦୁହାଁଳିଆ ଗାଈଙ୍କ ଖାଦ୍ୟ ଖର୍ଚ୍ଚ ଦିଆଯାଉ ନଥିଲା। ସ୍ଥିତି ଏପରି ହୋଇଥିଲା ଯେ ଗୋଶାଳା କର୍ତ୍ତୃପକ୍ଷ ବୁଲା ଗାଈଗୋରୁଙ୍କୁ ରଖିବାକୁ ମନା କରି ଦେଉଥିଲେ। ଗୋମାତାମାନେ ରାସ୍ତାଘାଟରେ ଭୋକ ଉପାସରେ ବୁଲୁଥିଲେ। ଯାହା ଦୁର୍ଘଟଣା, ଟ୍ରାଫିକ୍ ଭଳି ସମସ୍ୟା ବଢ଼ାଇ ଦେଇଥିଲା।ଏ ପ୍ରସଙ୍ଗରେ ଏକାମ୍ର ଜନ ଜାଗରଣ ମଞ୍ଚ ଓ ଓଡ଼ିଶା ଗୋପୁତ୍ର ପରିବାର ପ୍ରାଣୀ ସଂପଦ ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଇଥିଲା। ପୂର୍ବଭଳି ଖର୍ଚ୍ଚ ମଞ୍ଜୁରି ନିବେଦନ କରିଥିଲା। ପ୍ରାଣୀ ସଂପଦ ବିଭାଗ ଗୋମାତାଙ୍କ ଖାଦ୍ୟ ଖର୍ଚ୍ଚ ନେଇ ନୂଆ ବିଜ୍ଞପ୍ତି ପ୍ରକାଶ ପରେ ମଞ୍ଚ ସଭାପତି ଭୀଷ୍ମ ନାରାୟଣ ନାୟକ ଓ ଓଡ଼ିଶା ଗୋପୁତ୍ର ପରିବାରର ରାଜ୍ୟ ସଂଯୋଜକ ଭୂପେଶ ନାୟକ ଏହାକୁ ସ୍ବାଗତ କରିଛନ୍ତି। ଏକାମ୍ର ଜନ ଜାଗରଣ ମଞ୍ଚ ସଭାପତି ଶ୍ରୀ ନାୟକ କହିଛନ୍ତି, ନୂଆ ବିଜ୍ଞପ୍ତିରେ କେବଳ ଯେଉଁମାନେ ନିଜସ୍ବ ଜମି ଅବା ଜମିକୁ ୧୫ ବର୍ଷର ଲିଜ୍ ନେଇ ଗୋଶାଳା କରିଛନ୍ତି, ସେମାନଙ୍କୁ ପଞ୍ଜୀକୃତ କରିବା ସହ ଆର୍ଥିକ ସହାୟତା ଦେବାର ବ୍ୟବସ୍ଥା କରାଯାଇଛି। ଏଭଳି ଅନେକ ଗୋଶାଳା ରହିଛି, ଯେଉଁମାନେ ସରକାରୀ ଜମିରେ ବି ଗୋଶାଳା କରିଛନ୍ତି। ଏଭଳି ଗୋଶାଳାକୁ ବି ସରକାର ପଞ୍ଜୀକୃତ କରିବା ସହ ଆର୍ଥିକ ସହାୟତା ଦେବାକୁ ଶ୍ରୀ ନାୟକ ନିବେଦନ କରିଛନ୍ତି। ଏ ସଂପର୍କରେ ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେବୁ ବୋଲି କହିଛନ୍ତି।

