ଜୁଲାଇ ୨ରେ ‘କାଦମ୍ବିନୀ’ ଓ ‘କୁନିକଥା’ର ସ୍ୱନକ୍ଷତ୍ର ଉତ୍ସବ : ଓମଟିଭି

ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ତ୍ରୟୋବିଂଶ ଏବଂ ଓଡ଼ିଶାର ସର୍ବ ପ୍ରଥମ ମାସିକ ପାରିବାରିକ ଶିଶୁ-କିଶୋର ପତ୍ରିକା ‘କୁନିକଥା’ର ଦ୍ୱାଦଶ ସ୍ୱନକ୍ଷତ୍ର ଉତ୍ସବ ଆସନ୍ତା ଜୁଲାଇ ୨ ତାରିଖ (ଶନିବାର) ସନ୍ଧ୍ୟା ୬ଟାରେ ଭୁବନେଶ୍ୱରସ୍ଥ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେବ ।

ଜୁଲାଇ ୨ରେ ‘କାଦମ୍ବିନୀ’ ଓ ‘କୁନିକଥା’ର ସ୍ୱନକ୍ଷତ୍ର ଉତ୍ସବ : ଓମଟିଭି
ଜୁଲାଇ ୨ରେ ‘କାଦମ୍ବିନୀ’ ଓ ‘କୁନିକଥା’ର ସ୍ୱନକ୍ଷତ୍ର ଉତ୍ସବ
ଭୁବନେଶ୍ୱର, ୨୯ ।୦୬(ଓମ): ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ତ୍ରୟୋବିଂଶ ଏବଂ ଓଡ଼ିଶାର ସର୍ବ ପ୍ରଥମ ମାସିକ ପାରିବାରିକ ଶିଶୁ-କିଶୋର ପତ୍ରିକା ‘କୁନିକଥା’ର ଦ୍ୱାଦଶ ସ୍ୱନକ୍ଷତ୍ର ଉତ୍ସବ ଆସନ୍ତା ଜୁଲାଇ ୨ ତାରିଖ (ଶନିବାର) ସନ୍ଧ୍ୟା ୬ଟାରେ ଭୁବନେଶ୍ୱରସ୍ଥ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେବ । ଏହି ଅବସରରେ କୋଭିଡ୍‍ କଟକଣା କାରଣରୁ ଗତ ଦୁଇବର୍ଷ ହେଲା ପ୍ରଦାନ କରାଯାଇ ପାରି ନ ଥିବା ମର୍ଯ୍ୟାଦାଜନକ ‘କାଦମ୍ବିନୀ ସମ୍ମାନ’ ସମେତ ‘କାଦମ୍ବିନୀ’ର ବିଭିନ୍ନ ବିଭାଗର ସମ୍ମାନ ଓ ପୁରସ୍କାର ଘୋଷଣା କରାଯାଇଛି ।
ଘୋଷଣା ଅନୁଯାୟୀ, ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ‘କାଦମ୍ବିନୀ ସମ୍ମାନ- ୨୦୨୨’, ବିଶିଷ୍ଟ ସମାଜସେବୀ ତଥା ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ସଭାପତି ଓ ‘ସମାଜ’ର ପ୍ରକାଶକ ଶ୍ରୀଯୁକ୍ତ ନିରଞ୍ଜନ ରଥଙ୍କୁ ‘କାଦମ୍ବିନୀ ସମ୍ମାନ-୨୦୨୧’ ଏବଂ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ପ୍ରଣବ ପଟ୍ଟନାୟକଙ୍କୁ ‘କାଦମ୍ବିନୀ ସମ୍ମାନ-୨୦୨୦’ ପ୍ରଦାନ କରାଯିବ ।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ସମ୍ମାନିତ ଅତିଥି ଭାବରେ ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ସଭାପତି ତଥା ‘ସମାଜ’ର ପ୍ରକାଶକ ଶ୍ରୀଯୁକ୍ତ ନିରଞ୍ଜନ ରଥ, ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ପ୍ରଣବ ପଟ୍ଟନାୟକ ଏବଂ ‘କିସ୍‍’ ବିଶ୍ୱବିଦ୍ୟାଳୟର କୁଳାଧିପତି ଶ୍ରୀଯୁକ୍ତ ସତ୍ୟ ଏସ୍‍. ତ୍ରିପାଠୀ ଯୋଗ ଦେବେ । ଏହି ସାରସ୍ୱତ ଉତ୍ସବରେ ସାହିତ୍ୟପ୍ରେମୀ ଜନସାଧାରଣ ଯୋଗ ଦେବାପାଇଁ ‘କାଦମ୍ବିନୀ’ ଓ ‘କୁନିକଥା’ର ପ୍ରତିଷ୍ଠାତା ଦିଗ୍‍ଦର୍ଶକ ଡ. ଅଚ୍ୟୁତ ସାମନ୍ତ ଓ ସମ୍ପାଦିକା ଡ. ଇତି ସାମନ୍ତ ଅନୁରୋଧ କରିଛନ୍ତି ।