ବାଲେଶ୍ବରରେ ଅସୁରକ୍ଷିତ ମହିଳା! ଦୁଷ୍କର୍ମ, ଅପହରଣ ଓ ଯୌତୁକ ନିର୍ଯାତନାରେ ଆଗୁଆ
ବାଲେଶ୍ବରରେ ଅସୁରକ୍ଷିତ ମହିଳା! ଦୁଷ୍କର୍ମ, ଅପହରଣ ଓ ଯୌତୁକ ନିର୍ଯାତନାରେ ଆଗୁଆ
ବାଲେଶ୍ବରରେ ଅସୁରକ୍ଷିତ ମହିଳା! ଦୁଷ୍କର୍ମ, ଅପହରଣ ଓ ଯୌତୁକ ନିର୍ଯାତନାରେ ଆଗୁଆ
ବାଲେଶ୍ୱର : ଶିକ୍ଷା କ୍ଷେତ୍ରରେ ରାଜ୍ୟର ଆଗୁଆ ଜିଲ୍ଲା ଭାବେ ବାଲେଶ୍ୱରର ସୁନାମ ରହିଛି। ହେଲେ ମହିଳାଙ୍କ ପ୍ରତି ଅପରାଧର ଚିତ୍ର ଭିନ୍ନ କାହାଣୀ କହୁଛି। ବାଲ୍ୟବିବାହ, ଦୁଷ୍କର୍ମ, ଅପହରଣ ଓ ଯୌତୁକ ନିର୍ଯାତନା ଭଳି ଘଟଣା ଜିଲ୍ଲାରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। ଅନେକ ମାମଲା ବର୍ଷ ବର୍ଷ ଧରି ଗଡ଼ୁଥିବା ବେଳେ ଦଣ୍ଡାଦେଶ ହାର ମଧ୍ୟ ଅତ୍ୟନ୍ତ କମ୍ ରହିଛି। ତେବେ ଜଳେଶ୍ବର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଏନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ପୁଲିସ ବିଭାଗର ତଥ୍ୟ ଅନୁଯାୟୀ, ୨୦୨୩ରୁ ୨୦୨୬ ଜୁଲାଇ ପର୍ଯ୍ୟନ୍ତ ସାଢ଼େ ୩ ବର୍ଷରେ ଜିଲ୍ଲାରେ ୫୪୮ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୨୫୮ଟି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି। ୨୦୨୩ରେ ୧୪୩ଟି, ୨୦୨୪ରେ ୧୪୬ଟି, ୨୦୨୫ରେ ୧୯୬ଟି ଓ ୨୦୨୬ ଜୁଲାଇ ସୁଦ୍ଧା ୬୩ଟି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ବର୍ଷକୁ ବର୍ଷ ମାମଲା ବଢ଼ୁଥିବା ବେଳେ ୨୦୨୫ରେ ରାଜ୍ୟରେ ସର୍ବାଧିକ ଦୁଷ୍କର୍ମ ମାମଲା ବାଲେଶ୍ୱର ଜିଲ୍ଲାରେ ରୁଜୁ ହୋଇଥିଲା। ଏହି ସମୟ ମଧ୍ୟରେ ମାତ୍ର ୧୨୨ଟି ମାମଲାର ଶୁଣାଣି ଶେଷ ହୋଇଛି। ଦଣ୍ଡାଦେଶ ହାର ମଧ୍ୟ ନୈରାଶ୍ୟଜନକ। ୨୦୨୩ରେ ଦଣ୍ଡାଦେଶ ହାର ଶୂନ ଥିବା ବେଳେ ୨୦୨୪ରେ ୧୪ ପ୍ରତିଶତ ଓ ୨୦୨୫ରେ ମାତ୍ର ୯ ପ୍ରତିଶତ ରହିଥିଲା।ମହିଳା ଅପହରଣ ମାମଲାରେ ମଧ୍ୟ ଜିଲ୍ଲାର ସ୍ଥିତି ଚିନ୍ତାଜନକ। ୨୦୨୩ରୁ ୨୦୨୫ ମଧ୍ୟରେ ମୋଟ ୧୫୯୬ଟି ମାମଲା ରୁଜୁ ହୋଇଛି। ୨୦୨୩ରେ ୪୨୦ଟି, ୨୦୨୪ରେ ୫୩୩ଟି ଓ ୨୦୨୫ରେ ୬୪୩ଟି ମାମଲା ରୁଜୁ ହୋଇଥିଲା। ଏହି ତଥ୍ୟରୁ ପ୍ରତିବର୍ଷ ଅପହରଣ ମାମଲା ବଢ଼ୁଥିବା ସ୍ପଷ୍ଟ ହେଉଛି। ଗୃହ ବିଭାଗର ତଥ୍ୟ ଅନୁଯାୟୀ, ଗତ ତିନି ବର୍ଷ ଧରି ମହିଳା ଅପହରଣ ମାମଲାରେ ବାଲେଶ୍ୱର ରାଜ୍ୟରେ ଶୀର୍ଷରେ ରହିଛି। ମୋଟ ମାମଲା ମଧ୍ୟରୁ ୧୩୦ଟିରେ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ୧୨୩ ଜଣଙ୍କୁ ଗିରଫ କରାଯାଇଛି। ଦୁଷ୍କର୍ମ ଘଟଣାରେ ସହଯୋଗ ଅଭିଯୋଗରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୫ ଜଣ ମହିଳା ମଧ୍ୟ ଅଛନ୍ତି। ସେହିପରି ଯୌତୁକ ନିର୍ଯାତନା ମାମଲାରେ ବାଲେଶ୍ୱର ରେକର୍ଡ କରିଛି। ୨୦୨୩ରୁ ୨୦୨୫ ମଧ୍ୟରେ ଜିଲ୍ଲାରେ ଏ ସଂକ୍ରାନ୍ତରେ ମୋଟ ୧୦୪୯ଟି ମାମଲା ରୁଜୁ ହୋଇଛି। ୨୦୨୩ରେ ୩୮୯ଟି, ୨୦୨୪ରେ ୩୪୧ଟି ଓ ୨୦୨୫ରେ ୩୧୯ଟି ମାମଲା ରୁଜୁ ହୋଇଥିଲା।ଏଥିମଧ୍ୟରୁ ୭୧୧ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି। ୨୦୨୫ରେ ରାଜ୍ୟରେ ସର୍ବାଧିକ ୩୧୯ଟି ଯୌତୁକ ଜନିତ ମାମଲା ଏହି ଜିଲ୍ଲାରେ ରୁଜୁ ହୋଇଥିଲା। ମୋଟ ୪୪୨ଟି ମାମଲାର ଶୁଣାଣି ଶେଷ ହୋଇଥିବା ବେଳେ ୨୦୨୩ ଓ ୨୦୨୪ରେ ଦଣ୍ଡାଦେଶ ହାର ଶୂନ ରହିଥିଲା। ୨୦୨୫ରେ ମାତ୍ର ଜଣେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ।ମହିଳାଙ୍କ ପ୍ରତି ଅପରାଧର ଏଭଳି ଚିତ୍ର ଜିଲ୍ଲାର ସାମାଜିକ ମାନସିକତା ଓ ନ୍ୟାୟ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଉଛି। ଅପରାଧ ରୋକିବା ସହ ମାମଲାର ତ୍ୱରିତ ତଦନ୍ତ ଓ ବିଚାର, ଦୋଷୀଙ୍କୁ ଦଣ୍ଡ ଏବଂ ମହିଳାଙ୍କ ସୁରକ୍ଷା ପାଇଁ ବ୍ୟାପକ ସାମାଜିକ ସଚେତନତାର ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀମାନେ ମତ ରଖିଛନ୍ତି।

