ବିଗାଡ଼ି ଦେଇଛି ଚାଷୀଙ୍କ ଚାଷ ଗଣିତ: ଅନୁମାନଠାରୁ ଅଧିକ ବର୍ଷା

ବିଗାଡ଼ି ଦେଇଛି ଚାଷୀଙ୍କ ଚାଷ ଗଣିତ: ଅନୁମାନଠାରୁ ଅଧିକ ବର୍ଷା

ବିଗାଡ଼ି ଦେଇଛି ଚାଷୀଙ୍କ ଚାଷ ଗଣିତ: ଅନୁମାନଠାରୁ ଅଧିକ ବର୍ଷା

ବିଗାଡ଼ି ଦେଇଛି ଚାଷୀଙ୍କ ଚାଷ ଗଣିତ: ଅନୁମାନଠାରୁ ଅଧିକ ବର୍ଷା

 

କେନ୍ଦୁଝର: ପ୍ରଥମେ ବର୍ଷାଭାବ, ପରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା। କେବେ ଆକାଶକୁ ଚାହିଁଚାହିଁ ବିତିଗଲା ତ କେବେ ଅତ୍ୟଧିକ ବର୍ଷାରେ ବିଲବାଡ଼ି ଉବୁଟୁବୁ ହେଲା। ମୌସୁମୀର ଲୁଚକାଳି ଖେଳ ଓ ଲଘୁଚାପଜନିତ ଲଗାଣ ବର୍ଷା ଚଳିତବର୍ଷ କେନ୍ଦୁଝର ଜିଲ୍ଲାର ଚାଷୀଙ୍କ ଚାଷ ଗଣିତକୁ ବିଗାଡ଼ି ଦେଇଛି। ଆବଶ୍ୟକ ସମୟରେ ବର୍ଷା ନ ହେବାରୁ ଚାଷକାମ ବିଳମ୍ବିତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଅଧିକ ବର୍ଷା ପାଇଁ ଚାଷ ପ୍ରଭାବିତ ହୋଇଛି। ଏବେ ଅମଳ ସମୟ ପାଖେଇ ଆସୁଥିବାବେଳେ ଫସଲ କେତେ ଘରକୁ ଆସିବ ଅପେକ୍ଷା କରିଛନ୍ତି ଚାଷୀକୁଳ।ଜଳସେଚନ ଅଭାବ ଯୋଗୁଁ କେନ୍ଦୁଝର ଜିଲ୍ଲାର ଅଧିକାଂଶ ଚାଷୀ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ। ବର୍ଷାର ପରିମାଣ ଅପେକ୍ଷା ଠିକ୍‌ ସମୟରେ ବର୍ଷା ହେବା ଚାଷ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଚଳିତବର୍ଷ ମୌସୁମୀ ଆରମ୍ଭରୁ ଅନିୟମିତ ବର୍ଷା ହୋଇଥିଲା। ଜୁନ୍‌ରେ ନିଅଣ୍ଟିଆ ବର୍ଷା ଯୋଗୁଁ ତଳିରୁଆ କାମ ପ୍ରଭାବିତ ହୋଇଥିଲା। କେତେକ ଅଞ୍ଚଳରେ ତଳି ହଳଦିଆ ପଡ଼ିଯିବା ସହ ଚାଷୀଙ୍କୁ ଜମିରେ ପାଣି ମଡ଼ାଇବା ପାଇଁ ନାନା ସମସ୍ୟାର ସାମନା କରିବାକୁ ପଡ଼ିଥିଲା। ପରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ବର୍ଷା ଆଣିଥିଲେ ମଧ୍ୟ ତାହା ଅନିୟମିତ ଭାବେ ହୋଇଥିଲା। ଚଳିତବର୍ଷ ଜୁନ୍‌ରେ ୧୯୬୩ ମିମି ବର୍ଷା ଏବଂ ହାରାହାରି ୧୫୧.୪୭ ମିମି ବର୍ଷା ହୋଇଛି। ଜୁଲାଇରେ ୯୦୬୫ ମିମି ଓ ହାରାହାରି ୬୯୭.୭୭ ମିମି, ଅଗଷ୍ଟରେ ୭୫୯୫ ମିମି ଓ ହାରାହାରି ୫୮୪.୯୧ ମିମି ଏବଂ ସେପ୍ଟେମ୍ବରରେ ୪୨୩୫ ମିମି ଓ ହାରାହାରି ୩୫୬.୩ ମିମି ବର୍ଷା ରେକର୍ଡ ହୋଇଛି।ଅନ୍ୟପକ୍ଷରେ ୨୦୨୫ ଜୁନ୍‌ରେ ୪୩୦୦ ମିମି ଓ ହାରାହାରି ୩୩୧.୩୧ ମିମି, ଜୁଲାଇରେ ୬୪୬୬ ମିମି ଓ ହାରାହାରି ୪୯୭.୯୨ ମିମି, ଅଗଷ୍ଟରେ ୩୩୫୭ ମିମି ଓ ହାରାହାରି ୨୫୮.୪୭ ମିମି ଏବଂ ସେପ୍ଟେମ୍ବରରେ ୪୧୩୨ ମିମି ଓ ହାରାହାରି ୧୭୮.୨୪ ମିମି ବର୍ଷା ହୋଇଥିଲା। ସେହିପରି ୨୦୨୪ ଜୁନ୍‌ରେ ୧୪୨୧ ମିମି, ଜୁଲାଇରେ ୨୬୯୭ ମିମି, ଅଗଷ୍ଟରେ ୩୯୧୭ ମିମି ଓ ସେପ୍ଟେମ୍ବରରେ ୩୨୫୪ ମିମି ଏବଂ ୨୦୨୩ରେ ଜୁନ୍‌ରେ ୨୭୬୨ ମିମି, ଜୁଲାଇରେ ୩୫୬୩ ମିମି, ଅଗଷ୍ଟରେ ୫୦୯୫ ମିମି ଓ ସେପ୍ଟେମ୍ବରରେ ୩୪୫୫ ମିମି ବର୍ଷା ହୋଇଥିଲା। ୨୦୨୨ ଜୁନ୍‌ରେ ୧୭୮୯ ମିମି, ଜୁଲାଇରେ ୪୨୫୦.୩ ମିମି, ଅଗଷ୍ଟରେ ୬୯୩୯.୯୯ ମିମି ଓ ସେପ୍ଟେମ୍ବରରେ ୨୨୮୧ ମିମି ବର୍ଷା ହୋଇଥିଲା। ପାଞ୍ଚବର୍ଷର ତଥ୍ୟ ଅନୁସାରେ, ଅନିୟମିତ ବର୍ଷା ଚାଷୀଙ୍କ ଚିନ୍ତାର କାରଣ ହୋଇଛି। ଜୁନ୍‌ରେ ବର୍ଷା ଅଭାବ ପାଇଁ ଚାଷ ପ୍ରଭାବିତ ହେଉଥିବାବେଳେ ଜୁଲାଇ ଓ ଅଗଷ୍ଟରେ ଲଘୁଚାପଜନିତ ଅଧିକ ବର୍ଷା ଚାଷକାମରେ ବାଧା ସୃଷ୍ଟି କରୁଛି। ଅତ୍ୟଧିକ ବର୍ଷା ଯୋଗୁଁ ଚାଷୀଙ୍କୁ ଯେଉଁ ଆଶ୍ୱସ୍ତି ମିଳିବା କଥା, ତାହା ମିଳିପାରି ନାହିଁ। କାରଣ ଚାଷପାଇଁ ଉପଯୁକ୍ତ ସମୟରେ ବର୍ଷା ନହେଲେ ଭଲ ଅମଳ ନିଶ୍ଚିତ ହୁଏ ନାହିଁ। ଏବେ ଧାନ ଅମଳକୁ ନେଇ ଚାଷୀମାନେ ଆଶା ଓ ଆଶଙ୍କାରେ ରହିଛନ୍ତି। ବିଳମ୍ବରେ ଚାଷ ଆରମ୍ଭ, ଅନିୟମିତ ବର୍ଷା ଓ ଅତ୍ୟଧିକ ବର୍ଷାର ପ୍ରଭାବ ଫସଲର ଅଭିବୃଦ୍ଧିକୁ କେତେ ପ୍ରଭାବିତ କରିଛି, ତାହା ଅମଳ ସମୟରେ ସ୍ପଷ୍ଟ ହେବ।