ତପୁ ନାଏକ ହତ୍ୟାକାଣ୍ଡ ମାମଲା: ହେଲାନି ବନ୍ଧୁକ ବେପାରର ପର୍ଦ୍ଦାଫାସ
ତପୁ ନାଏକ ହତ୍ୟାକାଣ୍ଡ ମାମଲା: ହେଲାନି ବନ୍ଧୁକ ବେପାରର ପର୍ଦ୍ଦାଫାସ
ତପୁ ନାଏକ ହତ୍ୟାକାଣ୍ଡ ମାମଲା: ହେଲାନି ବନ୍ଧୁକ ବେପାରର ପର୍ଦ୍ଦାଫାସ
ଧଉଳି: ଶିଶୁପାଳଗଡ଼ ବଡ଼ଟାଙ୍ଗୀରେ ଘଟିଥିବା ଗୁଳିକାଣ୍ଡରେ ଖଣ୍ଡଗିରି ତପୋବନବସ୍ତିର ତପୁ ନାଏକ(୨୬)ଙ୍କ ମୃତ୍ୟୁ ହେଲା। ଧଉଳି ଥାନା ପୁଲିସ ଏହି ମାମଲାରେ ଠିକାଦାର ଉମେଶ ପଟ୍ଟନାୟକ ଓ ତା’ର ୭ ସହଯୋଗୀଙ୍କୁ ଗିରଫ କଲା। ଅଭିଯୁକ୍ତମାନଙ୍କ ସ୍ବୀକାରୋକ୍ତି ଅନୁସାରେ ପୁଲିସ ସୂଚନା ଦେଲା ଯେ ସେମାନେ ନୂଆ ବନ୍ଧୁକ କିଣିବା ଖୁସିରେ ସେଲିବ୍ରେସନ୍ କରୁଥିବା ବେଳେ ଆକସ୍ମିକ ଭାବେ ଗୁଳି ଫୁଟିଯିବାରୁ ତପୁଙ୍କ ଛାତିରେ ଗୁଳି ପଶିଯାଇଥିଲା। ଏମିତିକି ସେମାନେ ପୁରୀରୁ ବନ୍ଧୁକ କିଣିଥିଲେ ବୋଲି ପୁଲିସକୁ ବୟାନ ଦେଇଥିଲେ। କିନ୍ତୁ ପୁରୀରୁ ଶିଶୁପାଳଗଡ଼ ପର୍ଯ୍ୟନ୍ତ ବନ୍ଧୁକ ବେପାର ଚଳାଉଥିବା ରୢାକେଟ୍କୁ ପୁଲିସ ଠାବ କରିନାହିଁ। ସେହିଭଳି ମୃତ ତପୁଙ୍କ ସ୍ତ୍ରୀ ମାନସୀଙ୍କ ଅଭିଯୋଗକୁ ପୁଲିସ ନଜରଅନ୍ଦାଜ କରି ଅଭିଯୁକ୍ତମାନଙ୍କ ସଫେଇରେ ଭାସିଛି ବୋଲି ଚର୍ଚ୍ଚା ଲାଗିରହିଛି। ଘଟଣା ଦିନ ରାତିରେ ଅଭିଯୁକ୍ତମାନେ ମିଛ କହି ପୁଲିସକୁ ଭୁଆଁ ବୁଲାଇଥିଲେ। କିନ୍ତୁ ପୁଲିସ ମାରାଥନ ଜେରା କରିବା ପରେ ସେମାନେ ବନ୍ଧୁକ କିଣା ଓ ସେଲିବ୍ରେସନ୍ କଥା କହିଥିଲେ। ତେଣୁ ଧରାପଡ଼ିବା ପରେ ସେମାନେ ମାମଲାକୁ ମୋଡ଼ିମାଡ଼ି ଦୁର୍ବଳ କରିବା ଲାଗି ପୁଣି ମିଛ ନାଟକ ରଚନା କରିଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି। ମୁଖ୍ୟ ଅଭିଯୁକ୍ତ ଠିକାଦାର ଉମେଶ ପଟ୍ଟନାୟକ ହିଁ ବନ୍ଧୁକ କିଣିଥିବା ଜଣାପଡ଼ିଛି। ଧଉଳି ଅଞ୍ଚଳରେ ହେଉଥିବା ଚର୍ଚ୍ଚା ଅନୁସାରେ ଉମେଶ କୋଠାବାଡ଼ି ନିର୍ମାଣ କାମ ସହିତ ଜାଗାବାଡ଼ି ଦଖଲ କରାଇବା, ଖାଲି କରାଇବା ଭଳି କାମରେ ଲିପ୍ତ ଥିବା କୁହାଯାଉଛି। ଏଭଳି କାମ ପାଇଁ ବାହୁବଳ ଆବଶ୍ୟକ ହେଉଥିବାରୁ ସେ ଏକ ଗ୍ୟାଙ୍ଗ୍ ଗଢ଼ିଥିଲା। ଗ୍ୟାଙ୍ଗର ସଦସ୍ୟ ମାନେ ଉପରକୁ ସଂସ୍ଥାର କର୍ମଚାରୀ ଭାବେ ଜଣାପଡ଼ୁଥିଲେ। କିନ୍ତୁ ସେମାନେ ଠିକାଦାର ଉମେଶ ପାଇଁ ବାହୁବଳୀ ଭାବେ କାମ କରୁଥିଲେ। ଦିନକୁ ଦିନ ଉମେଶର ବେପାର ବଢ଼ିବା ସହ ଶତ୍ରୁ ବି ବଢ଼ୁଥିଲେ। ତେଣୁ ସେ ବନ୍ଧୁକ ବେପାରୀଙ୍କ ସମ୍ପର୍କରେ ଆସିଥିଲା ଏବଂ ନିଜ ପାଇଁ ଆଗ୍ନେୟାସ୍ତ୍ର କିଣିଥିଲା। ବିଶେଷକରି ଦୀପାବଳି ସମୟରେ ସବୁଆଡ଼େ ବାଣ ଫୁଟା ହେଉଥିବାରୁ ବନ୍ଧୁକ ବେପାରକୁ ସୁହାଇଥାଏ। ଅପରପକ୍ଷେ ମାନସୀଙ୍କ ଅଭିଯୋଗ ଅନୁସାରେ ରାତି ପ୍ରାୟ ୯ଟା ବେଳେ ଫୋନ୍ କଲ ଆସିବାରୁ ତପୁ ୮୦ ହଜାର ଟଙ୍କା ନେଇ ଶିଶୁପାଳଗଡ଼ ଯାଇଥିଲେ। ତେଣୁ ବନ୍ଧୁକ କିଣା ଖୁସିରେ ସେଲିବ୍ରେସନ୍ ହେବାର ଥିଲେ, ଦିନରୁ ଯୋଜନା ହୋଇଥାଆନ୍ତା ଏବଂ ତପୁ ସନ୍ଧ୍ୟା ବେଳଠୁ ଶିଶୁପାଳଗଡ଼ରେ ଉମେଶ କାର୍ଯ୍ୟାଳୟରେ ଥାଆନ୍ତେ। ଏଣୁ ବାକି ଟଙ୍କା ନେଇକି ଯିବା ପାଇଁ ଉମେଶ ଫୋନ୍ କରିଥିଲା ଏବଂ ତପୁ ତରବରରେ ଯାଇଥିଲେ। ସେଠାରେ ଟଙ୍କା ଦେଣନେଣକୁ ନେଇ ରାଗରେ ତପୁଙ୍କୁ ଗୁଳି କରାଯାଇଛି ବୋଲି ମାନସୀ ଅଭିଯୋଗ କରିଆସୁଛନ୍ତି। ମାତ୍ର ପୁଲିସ ସେଦିଗରେ ତଦନ୍ତ କରିନାହିଁ।

