ବିବିଧତା ଓ ଅନ୍ତର୍ଭୁକ୍ତିର ଭିନ୍ନକ୍ଷମ ଚଳଚ୍ଚିତ୍ର ଉତ୍ସବ ଫ୍ଲୋ-ଧ୍ୱନି : Ommtv
ଭିନ୍ନକ୍ଷମ ଚଳଚ୍ଚିତ୍ରଗୁଡ଼ିକ ସମାଜ ପାଇଁ ଅନେକ ସନ୍ଦେଶ ପ୍ରଦାନ କରେ: ମୁଖ୍ୟ ସଚିବ ପ୍ରଦୀପ ଜେନା
: ଅକ୍ଷମତା ବୋଲି ସେମିତି କିଛି ଶବ୍ଦ ନାହିଁ । ଅକ୍ଷମ ଶବ୍ଦପ୍ରତି କେହି ଘୃଣାଭାବ ସୃଷ୍ଟି କରନ୍ତୁ ନାହିଁ ।
ଭିନ୍ନକ୍ଷମମାନଙ୍କ ନିମନ୍ତେ ହେଉଥିବା ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ, ସେ ଫିଲ୍ମୋତ୍ସବ କି ଯେକୌଣସି ପ୍ରକାର ଗଣମାଧ୍ୟମଜନିତହେଉ, ବିଶାଳ ହୃଦୟବତ୍ତାର ସହ ହେବା ଉଚିତ ବୋଲି ଆଜି ବିଶ୍ୱ ଡାଉନସିଣ୍ଡ୍ରମ୍ ଦିବସ ପାଳନ ଅବସରରେ ଫ୍ଲୋ-ଧ୍ୱନିର ଭିନ୍ନକ୍ଷମ ଚଳଚ୍ଚିତ୍ର ଉତ୍ସବର ୯ମ
ସଂସ୍କରଣକୁ ଉଦଘାଟନ କରି ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ ଜେନା ମତବ୍ୟକ୍ତ କରିଛନ୍ତି । ବତ୍ତର୍ମାନ ପୃଥିବୀବ୍ୟାପୀ ବିବିଧତା ଓ ଅନ୍ତର୍ଭୁକ୍ତି ବିଷୟ ତୀବ୍ରଗତିରେ ପ୍ରସାର ହେବାରେ ଲାଗିଛି । ତାହାପୁଣି ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ହୋଇଥିବା ଯୋଗୁଁ ଏପ୍ରକାର ଭିନ୍ନକ୍ଷମ ଚଳଚ୍ଚିତ୍ରଗୁଡ଼ିକର ମହତ୍ୱ ସମାଜ ପାଇଁ ଅନେକ ସନ୍ଦେଶ ପ୍ରଦାନ କରୁଛି । ଏହା ସହ ଆଇନା ଦ୍ୱାରା ପ୍ରସ୍ତୁତ ଅନେକ ଭିନ୍ନକ୍ଷମଭିତ୍ତିକ ଚଳଚ୍ଚିତ୍ର ଏହି ମନୋଭାବର ଏକସକାରାତ୍ମକ ପ୍ରତୀୟମାନ ବୋଲି ସେ ବ୍ୟକ୍ତ କରିଥିଲେ । ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଆରମ୍ଭ ହୋଇଥିବା ଦିୁଇଦିନିଆ ଭିନ୍ନକ୍ଷମ ଚଳଚ୍ଚିତ୍ର ଉତ୍ସବ ଫ୍ଲୋ-ଧ୍ୱନି ଉଦ୍ଘାଟନ ଅବସରରେ ଆଇନାର ସଭାପତି ଲଳିତା ମିଶାଲଙ୍କ ସ୍ୱାଗତ ଅଭିଭାଷଣ ପରେ ଉତ୍ସବ କମିଟିର ଅଧ୍ୟକ୍ଷ ଜିତେନ୍ଦ୍ର ବିଶ୍ୱାଳ ଉକ୍ତ ସ୍ୱତନ୍ତ୍ର ଚଳଚ୍ଚିତ୍ର ସମାରୋହ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜି-୨୦ର ପ୍ରତିନିଧି ତଥା ଫ୍ଲୋରୋ-ଫିକିର ଅଧ୍ୟକ୍ଷା ନମ୍ରିତା ଚହଲ ଉକ୍ତ ଚଳଚ୍ଚିତ୍ର ସମାରୋହର ବିଭିନ୍ନ ଅଂଶଗ୍ରହଣକାରୀଙ୍କ ଭୂମିକା ସଂକ୍ରାନ୍ତରେ ଅବତାରଣା କରିବା ସହ ଭିନ୍ନକ୍ଷମମାନଙ୍କ ଅନ୍ତର୍ଭୁକ୍ତି ଓ ସକ୍ଷମତା ସେମାନଙ୍କୁ ନିଜର ନିର୍ଣ୍ଣୟ ସ୍ଥାନରେ ପହଂଚେଇବାରେ ଆମେମାନେ ଏକ ସେତୁବନ୍ଧଟିଏ ମାତ୍ର ବୋଲି ଗୁରୁତ୍ୱ ଦେଇଥିଲେ । ପ୍ରତ୍ୟେକଟି ଭିନ୍ନକ୍ଷମ ଜଣେ ଜଣେ ସଶକ୍ତଓ ସକ୍ଷମ ବ୍ୟକ୍ତି । ସମସ୍ତଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣକୁ ସମ୍ମାନ ଦେବା ଦରକାର । ବିଗତଦିନର ପ୍ରସିଦ୍ଧ ଓଡ଼ିଆ ସିନେଅଭିନେତ୍ରୀ ଡଲି ଜେନା ପ୍ରମୁଖ ଅତିଥିଭାବେ ଯୋଗଦେଇ ଭିନ୍ନ୍କ୍ଷମଙ୍କ ଦୃଢ଼ ମାନସିକତା ସମ୍ପର୍କରେ ଅନେକ ଶିକ୍ଷାଲାଭ କରିଥିବା ଏବଂ ବିବିଧ ଗଣମାଧ୍ୟମ ଦ୍ୱାରା ଭିନ୍ନକ୍ଷମମାନଙ୍କ ସଚେତନତାରେ ଅନେକ ବାର୍ତ୍ତା ରହୁଛି ଓ ଏହା ହିଁ ସେମାନଙ୍କୁ ଦୃଢ଼ପରିକର କରାଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଓଡ଼ିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି ନିଜ ବକ୍ତବ୍ୟରେ ବିଭିନ୍ନ ମାଧ୍ୟମରେ ସଚେତନତା କରିବାର ସମସ୍ତଙ୍କର
ଅଧିକାର ରହିଛି ଏବଂ ତାହା ସକାରାତ୍ମକ ଭାବେ ପ୍ରସ୍ଫୁଟିତ ହେବା ଦରକାର ବୋଲି ସୂଚନା ଦେଇଥିଲେ ।
ଭିନ୍ନକ୍ଷମମାନେ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସାମର୍ଥ୍ୟତା ପ୍ରକଟ କରନ୍ତି ବୋଲି ବିଶିଷ୍ଟ ନାଟ୍ୟକାର ଅନନ୍ତ ମହାପାତ୍ର କହିଥିଲେ । ଆଇନା ସମ୍ପାଦିକା ଧନ୍ୟବାଦ ଅର୍ପଣ କରିବା ପରେ ଦ୍ୱିତୀୟ ଅଧିବେଶନରେ ବିଶିଷ୍ଟ ସିନେ ସମୀକ୍ଷକ ସୂର୍ଯ୍ୟଦେଓଙ୍କ ଆବାହକତ୍ୱରେ ଫିଲ୍ମନିର୍ମାତା ସ୍ନେହାଶୀଷ ଦାସ, ସନ୍ତୋଷ ପଣ୍ଡା ଏବଂ ଅମ୍ବୁଜ ଶତପଥୀଙ୍କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ପରେ ପରେ ପ୍ରତିଯୋଗିତାଭିତ୍ତିକ ଏକ ମିନିଟ, ପାଂଚ ମିନିଟ ଓ ତିରିଶ ମିନିଟ ବଗ ର୍ରେ ୨୫ଟି ସୁନିର୍ବାଚିତ ଚଳଚ୍ଚିତ୍ରର ସ୍କ୍ରିନିଂ ହୋଇଥିଲା। ୨୨ ତାରିଖ ଦିନ ପୁରସ୍କାର ବିତରଣ ସମାରୋହ ସହ ବିଜେତାଙ୍କୁ ନଗଦ ଅର୍ଥରାଶି ପ୍ରଦାନ କରାଯିବ । ଏହା ସହ “ଭିନ୍ନକ୍ଷମ ଓ ବିବିଧତା ଓ ଅନ୍ତର୍ଭୁକ୍ତି”ଶୀର୍ଷକ ମହାବିଦ୍ୟାଳୟସ୍ତରୀୟ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।