ବିଡିଏର ବିକାଶ ଯୋଜନା ବାଟବଣା

ବିଡିଏର ବିକାଶ ଯୋଜନା ବାଟବଣା

ବିଡିଏର ବିକାଶ ଯୋଜନା ବାଟବଣା

ବିଡିଏର ବିକାଶ ଯୋଜନା ବାଟବଣା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ରହିବାର ନିଶା ଲୋକଙ୍କୁ ଘାରିଛି। ଯେହେତୁ ଭୁବନେଶ୍ବର ସହର ଭିତରେ ଜାଗାର ଅଭାବ ଦେଖାଦେଇଛି, ଲୋକେ ଉପକଣ୍ଠ ଅଞ୍ଚଳରେ ଜାଗା କିଣି ଘରକଲେଣି। ଏଣୁ ମନଇଚ୍ଛା ଘର କରି ଭୁବନେଶ୍ବରକୁ ବିକୃତ କରିବା ବଦଳରେ ବ୍ୟବସ୍ଥିତ ଢଙ୍ଗରେ ସହରାଞ୍ଚଳର ବିକାଶ ପାଇଁ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଅଧୀନରେ ଅନେକ ଗ୍ରାମାଞ୍ଚଳକୁ ମିଶ୍ରଣ କରାଯାଇଛି। ଏଠାକୁ ଚଉଡ଼ା ରାସ୍ତା ସଂଯୋଗୀକରଣଠାରୁ ଆରମ୍ଭ କରି ଅନେକ ବିକାଶମୂଳକ କାମ କରି ସହରାଞ୍ଚଳର ରୂପ ଦେବା ପାଇଁ ବିଡିଏ ପକ୍ଷରୁ ୨୦୧୦ ମସିହାରୁ ସିଡିପି (ବିସ୍ତୃତ ଉନ୍ନୟନ ଯୋଜନା) ଉପରେ ଗୁରୁତ୍ବ ଦିଆଯାଇ ଆସୁଛି। କିନ୍ତୁ ଏହା କେବଳ ପ୍ରହସନ ପାଲଟିଛି।୨୦୧୦ ମସିହାର ସିଡିପି ଅଦ୍ୟାବଧି ପୂର୍ଣ୍ଣ ରୂପ ନେଇପାରିନି। ଯେଉଁ ଗାଁ ସବୁ ସିଡିପି ଅଧୀନକୁ ଆସିଥିଲା, ସେଠାରେ ଅଦ୍ୟାବଧି ରାସ୍ତାଘାଟ ବିକାଶ କାମ ହୋଇପାରିନି। କେବଳ ସିଡିପି ଅଞ୍ଚଳ ଚିହ୍ନିତ କରି ବିଡିଏ ନିରବ ବସିଛି। ସେପଟେ ପ୍ରତି ୧୦ବର୍ଷରେ ଥରେ ନୂଆ ସିଡିପି ହେବା କଥା; ତା’ ବି ହୋଇନି। ୧୬ ବର୍ଷ ପରେ ନୂଆ ସିଡିପି ପାଇଁ ଚିଠା ସିଡିପି ପ୍ରସ୍ତୁତି ନିମନ୍ତେ ଆଇବିପି ଗ୍ରୁପ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ସଂସ୍ଥାକୁ ନିୟୋଜିତ କରାଯାଇଛି। ଅଢ଼େଇ ବର୍ଷରେ ଚିଠା ସିଡିପି ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ସଂପୃକ୍ତ ସଂସ୍ଥା ଅଦ୍ୟାବଧି ସର୍ଭେ ଆରମ୍ଭ କରିନି।

ନୂଆ ସିଡିପି ପ୍ରସ୍ତୁତି ନେଇ ଅନିଶ୍ଚିତତା

ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ନିଜ ଅଞ୍ଚଳର ବ୍ୟବସ୍ଥିତ ବିକାଶ ପାଇଁ ଭୁବନେଶ୍ବର ଉନ୍ନୟନ ଯୋଜନା ଅଞ୍ଚଳ (ବିଡିପିଏ) ଚିହ୍ନଟ କରିଛି। ଏହି ଅଞ୍ଚଳର ବିକାଶ ପାଇଁ ସିଡିପି ପ୍ରସ୍ତୁତ କରୁଛି। ସିଡିପିର ମୁଖ୍ୟ ଉଦ୍ଦେଶ୍ୟ, ଭୁବନେଶ୍ୱର ଆଖପାଖ ଅଞ୍ଚଳଗୁଡ଼ିକୁ ସହରାଞ୍ଚଳର ରୂପ ଦେବା। ୨୦୧୦ ମସିହାରେ ପ୍ରଥମ ଥର ବିଡିପିଏ ପାଇଁ ସିଡିପି ପ୍ରସ୍ତୁତ କରାଯାଇଥିଲା। ଆଇଆଇଟି ଦ୍ବାରା ସର୍ଭେ ପରେ ୨୦୧୦ ଏପ୍ରିଲ ୮ରେ ଏହାର ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେ ସମୟରେ ୨୦୫ ଗାଁକୁ ନେଇ ଏହି ସିଡିପି ହୋଇଥିଲା। ୨୦୩୦ ମସିହାକୁ ଆଖି ଆଗରେ ରଖି ସିଡିପି ପ୍ରସ୍ତୁତ ହୋଇଥିଲା। ୨୦୧୧ ମସିହାରେ ବିଡିଏରେ ଆଉ ୩୬୧ଟି ଗାଁକୁ ସମ୍ମିଶ୍ରଣ କରାଯାଇଥିଲା। ଯାହା ୬୯୧ ବର୍ଗ କିଲୋମିଟର ବ୍ୟାପ୍ତ ଥିଲା। ୨୦୧୧ ଜୁଲାଇ ୧୮ରେ ଏହାର ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାର ୧୪ ବର୍ଷ ପରେ ଯୋଡ଼ି ହୋଇଥିବା ନୂଆ ଗାଁଗୁଡ଼ିକର ଚିଠା ସିଡିପି ପ୍ରସ୍ତୁତ କରାଯାଇଥିଲା।୨୦୨୪ ମାର୍ଚ୍ଚ ୨ ଓ ୨୦୨୫ ଅକ୍ଟୋବର ୧୬ରେ ଏହାର ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏ ଉପରେ ଆପତ୍ତି ଓ ପ୍ରସ୍ତାବ ଗ୍ରହଣ ପ୍ରକ୍ରିୟା ନେଇ ବି ବିଜ୍ଞପ୍ତି ଜାରି ହେଲା। କିନ୍ତୁ ୨ ବର୍ଷ ହେଲାଣି ଏହା ଉପରେ ଗ୍ରହଣ କରାଯାଇଥିବା ଆପତ୍ତି ଓ ପ୍ରସ୍ତାବ ବୋର୍ଡ ଦ୍ବାରା ସମୀକ୍ଷା ସରିନି।  ସେପଟେ ୨୦୧୦ ମସିହାରେ ଯେଉଁ ସିଡିପି ପ୍ରସ୍ତୁତ ହୋଇଥିଲା ଓ ଏଥିପାଇଁ ଯେଉଁ ଅଞ୍ଚଳ ଦେଇ ଚଉଡ଼ା ରାସ୍ତା ଯିବାକୁ ଯୋଜନା ହୋଇଥିଲା, ସେ ଜମି ଅଦ୍ୟାବଧି ଅଧିଗ୍ରହଣ ହୋଇନି କି ରାସ୍ତା କାମ ଆଗେଇନି। କେବଳ ରାସ୍ତା ପାଇଁ ଯିବାକୁ ଥିବା ଜମିଚିହ୍ନଟ କରି ଛାଡ଼ି ଦିଆଯାଇଛି; ଯାହା ଜନସାଧାରଣଙ୍କୁ ଅସୁବିଧାରେ ପକାଇଛି। ଏହାର ପୂର୍ଣ୍ଣ ଫାଇଦା ନେଉଛନ୍ତି, କିଛି ନ୍ୟସ୍ତସ୍ବାର୍ଥ ଅଧିକାରୀ। ଯେଉଁଠି ୨୦୧୦ ମସିହା ସିଡିପି ପୂର୍ଣ୍ଣ ରୂପ ନେଇପାରିନି, ସେଠି ନୂଆ ସିଡିପି ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। ଏ ସମ୍ପର୍କରେ ବିଡିଏ ସଚିବ ମାନସ ପାଢ଼ୀ କହିଛନ୍ତି, ଆମେ ବିସ୍ତୃତ ଉନ୍ନୟନ ଯୋଜନା (ସିଡିପି) ନୂଆ ଭାବେ ପ୍ରସ୍ତୁତ କରୁଛୁ। ଅଢ଼େଇ ବର୍ଷ ମଧ୍ୟରେ ସର୍ଭେ ପ୍ରକ୍ରିୟା ଶେଷ ହେବ। ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।