କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ: ୬୩୦ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ
କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ: ୬୩୦ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ
କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ: ୬୩୦ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ
କେନ୍ଦୁଝର: ଆଜି କେନ୍ଦୁଝର ମାଟିରୁ ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ଭିତ୍ତିଭୂମି କ୍ଷେତ୍ରରେ ଏକ ଐତିହାସିକ ପରିବର୍ତ୍ତନର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୬୩୦ଟି ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିରେ କେନ୍ଦୁଝର ଜିଲ୍ଲାର ୩୫ଟି ବିଦ୍ୟାଳୟ ରହିଛି। ୪୦୦୦ କୋଟି ଟଙ୍କା ବ୍ୟୟରେ ଏହି ସମସ୍ତ ବିଦ୍ୟାଳୟ ନିର୍ମାଣ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୪ କୋଟି ଟଙ୍କା ବ୍ୟୟରେ ଧରଣୀଧର ବିଶ୍ୱବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସ ଉଦ୍ଘାଟନ କରିଥିଲେ। ଉତ୍ତର ଓଡ଼ିଶାର ସବୁଠାରୁ ଆଧୁନିକ ବୈଷୟିକ ବାଣିଜ୍ୟିକ ପ୍ରତିଷ୍ଠାନ ଟେକ୍-ବିଜନେସ୍ ପାର୍କର ମଧ୍ୟ ଆଜି ଶିଳାନ୍ୟାସ ହୋଇଛି। ୫.୫୧ ଏକର ଜମିରେ ୨୩୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୧୫ ମହଲା ବିଶିଷ୍ଟ ଏହି ଟେକ୍-ବିଜନେସ୍ ପାର୍କ ଉତ୍ତର ଓଡ଼ିଶାରେ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଧରଣୀଧର ମେଡିକାଲ କଲେଜ ପରିସରରେ ଡିଏମ୍ଏଫ୍ ସହଯୋଗରେ ୬ କୋଟି ଟଙ୍କା ବ୍ୟୟରେ ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାଭିତ୍ତିକ ‘ପ୍ରିଭେଣ୍ଟିଭ୍ କ୍ୟାନ୍ସର ସ୍କ୍ରିନିଂ କେନ୍ଦ୍ର’ ଲୋକାର୍ପିତ ହୋଇଛି। ଏଠାରେ ସମସ୍ତ ସେବା ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ। ୫୮ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ୭ମହଲା ବିଶିଷ୍ଟ ଡେଣ୍ଟାଲ୍ କଲେଜ ଏବଂ ୬୩ କୋଟି ଟଙ୍କା ବ୍ୟୟରେ ୧୦ ମହଲା ବିଶିଷ୍ଟ ନର୍ସିଂ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ୧୦ କୋଟି ଟଙ୍କାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗ, ୩୨ କୋଟି ଟଙ୍କାର ମଡୁଲାର ଓଟି କମ୍ପ୍ଲେକ୍ସ, ମଲ୍ଟି-ୟୁଟିଲିଟି ସେଣ୍ଟର, ପୁଲିସ ଆଉଟପୋଷ୍ଟ ଏବଂ ବାରାକ୍ ମଧ୍ୟ ଲୋକାର୍ପିତ ହୋଇଛି। ସେହିପରି ଜିଲ୍ଲାର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ୧୨୯୨ କୋଟି ଟଙ୍କା ବ୍ୟୟରେ ୩୩୦ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ସ୍ଥାପନ କରିଛନ୍ତି।ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ଓଡ଼ିଶା ପାଇଁ ସେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି, କିନ୍ତୁ କେନ୍ଦୁଝରବାସୀଙ୍କ ପାଇଁ ସେ ସେହି ପୁରୁଣା ‘ମୋହନ ଭାଇ’। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ହେଉଛି ତାଙ୍କର ମାନସ ସନ୍ତାନ। ସେ ବିଧାୟକ ଥିବାବେଳେ ପ୍ରାଥମିକସ୍ତରରେ ଦିଆଯାଉଥିବା ଶିକ୍ଷାଦାନ ଯଥେଷ୍ଟ ଏବଂ ଗୁଣାତ୍ମକ ନୁହେଁ ବୋଲି ଅନୁଭବ କରି ସରକାରଙ୍କୁ ଅବଗତ କରାଇଥିଲେ। ସେ ବ୍ୟକ୍ତିଗତ ଭାବେ ଡିଏମ୍ଏଫ୍ ସହଯୋଗରେ ଏହାକୁ ନିଜ ନିର୍ବାଚନମଣ୍ଡଳୀ ଏବଂ ପରେ ଜିଲ୍ଲାରେ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିଥିଲେ। ଶ୍ରୀଜଗନ୍ନାଥଙ୍କ ଇଚ୍ଛା କେବଳ କେନ୍ଦୁଝର ନୁହେଁ, ବରଂ ସାରା ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଥିଲା। ଏହି ଯୋଜନା ଅନ୍ତର୍ଗତ ବିଦ୍ୟାଳୟଗୁଡ଼ିକ ପ୍ରାୟ ପାଞ୍ଚ ଏକର ପରିମିତ ଜମିରେ ଏକଦମ୍ ନୂଆ, ବିଶ୍ୱସ୍ତରୀୟ ଢାଞ୍ଚାରେ ନିର୍ମିତ ହେବ। ପ୍ରତି ସ୍କୁଲ ପିଛା ୫ରୁ ୮ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏହି ଯୋଜନାରେ ପ୍ରତ୍ୟେକ ପଞ୍ଚାୟତର ଗୋଟିଏ ପ୍ରାଥମିକ ବିଦ୍ୟାଳୟକୁ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବେ ବିକଶିତ କରାଯାଉଛି। ମୁଖ୍ୟମନ୍ତ୍ରୀ ଧରଣୀଧର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଏହି କାର୍ଡ ପ୍ରଦାନ କରିଛନ୍ତି। ଡିଏମ୍ଏଫ୍ରୁ ୨୩ଟି ନୂତନ ଆମ୍ବୁଲାନ୍ସ, କେନ୍ଦୁଝର, ଯୋଡ଼ା ଓ ବଡ଼ବିଲ ପୌରପାଳିକାକୁ ୨୬ଟି ପରିମଳ ସାମଗ୍ରୀ, ଏଲ୍ସିଭି ଗାଡ଼ି, ଟ୍ରାକ୍ଟର, ସ୍ପ୍ରିଙ୍କ୍ଲର ଓ ସେସ୍ପୁଲ୍ ଗାଡ଼ି ପ୍ରଦାନ କରାଯାଇଛି। ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କଟକ ବେଣ୍ଟକାର ଉଚ୍ଚବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ସ୍ମୃତିରଞ୍ଜନ ସାହୁ ଏବଂ ଭଦ୍ରକ ଧାମନଗର ପିଏମ୍ଶ୍ରୀ ସହିଦନଗର ହାଇସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ର ଆଶୁତୋଷ କରଙ୍କ ସହିତ କଥା ହୋଇଥିଲେ। ଏହି ରାଜ୍ୟସ୍ତରୀୟ ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, କେନ୍ଦୁଝର ସାଂସଦ ଅନନ୍ତ ନାୟକ, କେନ୍ଦୁଝର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଡାକ୍ତର ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, କେନ୍ଦୁଝର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମମିତା ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିସନର ତଥା ଶାସନ ସଚିବ ଡ. ଏନ୍. ତିରୁମାଲା ନାଏକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ ଧନ୍ୟବାଦ ଦେଇଥିଲେ।

