କେନ୍ଦୁଝରରେ ମାତୃସେବାର ଐତିହାସିକ ଅଧ୍ୟାୟ: ୮୦ ବର୍ଷ ତଳେ ନିର୍ମାଣ ହୋଇଥିଲା ପ୍ରସୂତି ୱାର୍ଡ

 କେନ୍ଦୁଝରରେ ମାତୃସେବାର ଐତିହାସିକ ଅଧ୍ୟାୟ: ୮୦ ବର୍ଷ ତଳେ ନିର୍ମାଣ ହୋଇଥିଲା ପ୍ରସୂତି ୱାର୍ଡ

 କେନ୍ଦୁଝରରେ ମାତୃସେବାର ଐତିହାସିକ ଅଧ୍ୟାୟ: ୮୦ ବର୍ଷ ତଳେ ନିର୍ମାଣ ହୋଇଥିଲା ପ୍ରସୂତି ୱାର୍ଡ

 କେନ୍ଦୁଝରରେ ମାତୃସେବାର ଐତିହାସିକ ଅଧ୍ୟାୟ: ୮୦ ବର୍ଷ ତଳେ ନିର୍ମାଣ ହୋଇଥିଲା ପ୍ରସୂତି ୱାର୍ଡ

 

କେନ୍ଦୁଝର: ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ସହ ସୁରକ୍ଷିତ ପ୍ରସବକୁ ଗୁରୁତ୍ବ ଦେଉଛନ୍ତି ସରକାର। ଏଥିପାଇଁ ବିଭିନ୍ନ ଯୋଜନା ହାତକୁ ନିଆଯାଉଛି। ତେବେ ୮୦ ବର୍ଷ ତଳେ କେନ୍ଦୁଝରରେ ଏ ଦିଗରେ ଦୂରଦର୍ଶୀ ପଦକ୍ଷେପ ନିଆଯାଇଥିଲା। ରାଣୀ ମନୋଜମଞ୍ଜରୀଙ୍କ ଆର୍ଥିକ ସହାୟତା ଓ ତତ୍କାଳୀନ ମେଡିକାଲ ଅଫିସର ଡାକ୍ତର ଗୌରାଙ୍ଗ ଚନ୍ଦ୍ର ପଟ୍ଟନାୟକଙ୍କ ଉଦ୍ୟମରେ ଏହା ସମ୍ଭବ ହୋଇପାରିଥିଲା। କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ପ୍ରସୂତିଙ୍କ ପାଇଁ ନିର୍ମାଣ ‌ହୋଇଥିଲା ସ୍ୱତନ୍ତ୍ର ୱାର୍ଡ। ରାଜ ପରିବାରର ଏହି ଅବଦାନ ଆଜି ବି କେନ୍ଦୁଝରର ଚିକିତ୍ସା ଇତିହାସରେ ସ୍ମରଣୀୟ ହୋଇ ରହିଛି। ସେତେବେଳେ କେନ୍ଦୁଝର ଥିଲା ଗଡ଼ଜାତ ରାଜ୍ୟ। ଗମନାଗମନ ବ୍ୟବସ୍ଥା ଭଲ ନଥିବାରୁ ଗ୍ରାମାଞ୍ଚଳର ରୋଗୀଙ୍କୁ ଡାକ୍ତରଖାନା ନେବା ସହଜ ନଥିଲା। ଲୋକମାନେ ପାରମ୍ପରିକ ଚିକିତ୍ସା ଓ ଧାଈଙ୍କ ଉପରେ ନିର୍ଭର କରୁଥିଲେ। ପ୍ରସବ ସମୟରେ ମହିଳାମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଜଟିଳ ପରିସ୍ଥିତିରେ ତୁରନ୍ତ ଡାକ୍ତରୀ ସହାୟତା ମିଳିବା ଥିଲା କଷ୍ଟକର। ତତ୍କାଳୀନ କେନ୍ଦୁଝର ରାଜ୍ୟର ଶାସନ ଭାର ଗ୍ରହଣ କରିଥିବା ରାଜା ବଳଭଦ୍ର ଭଞ୍ଜଦେଓଙ୍କ ସମୟରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା। ୧୯୩୯ରେ ଡାକ୍ତର ଗୌରାଙ୍ଗ ଚନ୍ଦ୍ର ପଟ୍ଟନାୟକ କେନ୍ଦୁଝରଗଡ଼ରେ ମେଡିକାଲ ଅଫିସର ଭାବେ ଯୋଗଦେବା ପରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ରାଜ ପରିବାରଙ୍କୁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ପ୍ରସୂତିଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ନଥିବାରୁ ଏ ଦିଗରେ ପଦକ୍ଷେପ ଚାହୁଁଥିଲେ। ଏକଦା ରାଣୀ ମନୋଜମଞ୍ଜରୀ ଅସୁସ୍ଥ ହୋଇପଡ଼ିବାରୁ ଚିକିତ୍ସା ଦାୟିତ୍ୱ ଡାକ୍ତର ପଟ୍ଟନାୟକ ନେଇଥିଲେ।ରାଣୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ କଲିକତାରୁ ଜଣେ ଚିକିତ୍ସକଙ୍କୁ ଆଣିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ୧୦ ହଜାର ଟଙ୍କା ପାରିଶ୍ରମିକ ଦାବି ହେବାରୁ ଡାକ୍ତର ପଟ୍ଟନାୟକ ରାଣୀଙ୍କ ଚିକିତ୍ସା ଜାରି ରଖିଥିଲେ। ପରବର୍ତ୍ତୀ ସମୟରେ ରାଣୀ ସୁସ୍ଥ ହୋଇ ଡାକ୍ତରଙ୍କୁ ପୁରସ୍କୃତ କରିବାକୁ ଚାହିଁଥିଲେ। ଡାକ୍ତର ପଟ୍ଟନାୟକ ପୁରସ୍କାର ଗ୍ରହଣ କରିବା ପରିବର୍ତ୍ତେ କେନ୍ଦୁଝରରେ ମହିଳାଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ପ୍ରସୂତି ୱାର୍ଡର ଆବଶ୍ୟକତା ଥିବା କହିଥିଲେ। ଏହି ପ୍ରସ୍ତାବକୁ ରାଣୀ ଗ୍ରହଣ କରି ୧୦ ହଜାର ଟଙ୍କା ପ୍ରଦାନ କରି ୱାର୍ଡ ନିର୍ମାଣ ନିର୍ଦ୍ଦେଶ ଦେଇଥିଲେ। ରାଜା ସାହେବ ଅଧିକ ୨ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ଏହି ପଦକ୍ଷେପ ସେତେବେଳେ କେନ୍ଦୁଝରର ମହିଳା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଥିଲା।କେନ୍ଦୁଝରର ଐତିହ୍ୟ ଗବେଷକ ନିରଞ୍ଜନ ବାରିକ କହନ୍ତି, ଭଞ୍ଜ ରାଜପରିବାରଙ୍କ ବିଭିନ୍ନ ପଦକ୍ଷେପ ବିକାଶ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ସଂଗ୍ରାହକ ସୁଜିତ ପଟ୍ଟନାୟକଙ୍କ କହିବା ମୁତାବକ ମହିଳାଙ୍କୁ ସ୍ବାସ୍ଥ୍ୟସେବା ରାଣୀ ମନୋଜମଞ୍ଜରୀଙ୍କର ଏକ ଦୂରଦର୍ଶୀ ପଦକ୍ଷେପ ଥିଲା। ରାଜାରାଣୀଙ୍କ ଅବଦାନର ସ୍ମୃତି ବହନ କରୁଥିବା କେନ୍ଦୁଝରର ପୁରୁଣା କୋଠା ଓ ସ୍ଥାପତ୍ୟ ଆଜି ବି ଅତୀତର ବିକାଶମୂଳକ ଚିନ୍ତାଧାରାକୁ ମନେ ପକାଇ ଦିଏ।