କନ୍ଧମାଳରେ ୧୨ହଜାର ୨୫୬ ପ୍ରଭାବିତ: ରାଇକିଆ ଅଧିକ କ୍ଷତିଗ୍ରସ୍ତ, ୩ ମୃତ
କନ୍ଧମାଳରେ ୧୨ହଜାର ୨୫୬ ପ୍ରଭାବିତ: ରାଇକିଆ ଅଧିକ କ୍ଷତିଗ୍ରସ୍ତ, ୩ ମୃତ
କନ୍ଧମାଳରେ ୧୨ହଜାର ୨୫୬ ପ୍ରଭାବିତ: ରାଇକିଆ ଅଧିକ କ୍ଷତିଗ୍ରସ୍ତ, ୩ ମୃତ
ଫୁଲବାଣୀ: ‘ଅର୍ଣ୍ଣବ’ ପ୍ରଭାବରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲାର ମୋଟ ୧୨,୨୫୬ ଜଣ ପ୍ରଭାବିତ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ କେବଳ ରାଇକିଆ ବ୍ଲକର ୧୧,୨୭୯ ଜଣ ରହିଛନ୍ତି। ୧୫୮ ଘର ଭାଙ୍ଗିଯାଇଥିବା ବେଳେ ୨୭ଟି ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା। ୩୧ଟି ପୋଲ ଓ ୩୯ଟି ରାସ୍ତା ଧୋଇଯାଇଥିବା ବେଳେ ପାଞ୍ଚଟି ସ୍ଥାନରେ ବଡ଼ଧରଣର ଭୂସ୍ଖଳନ ହୋଇଛି। କେତେକ ସ୍ଥାନରେ ମାଟିଅତଡ଼ା ଖସିଥିବା ସୂଚନା ମିଳିଛି। ସେହିପରି କୃଷି ବିଭାଗର ସୂଚନା ଅନୁସାରେ, ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାରେ ୮୦୭ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି। ଦାରିଙ୍ଗବାଡ଼ି ବ୍ଲକରେ ସର୍ବାଧିକ ୩୫୦ ହେକ୍ଟର ଓ ରାଇକିଆ ବ୍ଲକରେ ୩୦୦ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ଅଳ୍ପ ସମୟରେ ପ୍ରବଳ ବର୍ଷା ହେବା ଯୋଗୁଁ ଏଭଳି ବିପର୍ଯ୍ୟୟ ଘଟିଲା ବୋଲି ଜିଲ୍ଲାପାଳ କହିଛନ୍ତି। ତେବେ ଆଗାମୀ ଲଘୁଚାପଜନିତ ବର୍ଷା ଓ ସାମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଇକିଆର ପାହାଡ଼ତଳି ଅଞ୍ଚଳର ଲୋକମାନଙ୍କୁ ରିଲିଫ୍ କେନ୍ଦ୍ରକୁ ଅଣାଯିବାର ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି।ରାଇକିଆ ବ୍ଲକର ଇନ୍ଦ୍ରଗଡ଼ ଓ ମାଣିକେଶ୍ବର ପଞ୍ଚାୟତ ଏବଂ ଘୁ.ଉଦୟଗିରି ଅଞ୍ଚଳରେ ଭୂସ୍ଖଳନରେ ଧୋଇ ହୋଇଯାଇଥିବା ରାସ୍ତାଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ପୁନଃ କାର୍ଯ୍ୟକ୍ଷମ କରାଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଉଦ୍ଧାର ଓ ରିଲିଫ ପ୍ରଦାନକୁ ପ୍ରାଥମିକତା ଦିଆଯାଉଛି। ଭୂସ୍ଖଳନରେ ୩ ଜଣ ପ୍ରାଣ ହରାଇଛନ୍ତି। ୧୫୦୨ ଜଣଙ୍କୁ ସୁରକ୍ଷିତ ଭାବେ ବିଭିନ୍ନ ଆଶ୍ରୟସ୍ଥଳରେ ରଖାଯାଇଛି। ଏଥି ମଧ୍ୟରୁ କେବଳ ରାଇକିଆ ବ୍ଲକର ୧୧୩୦ ଜଣ ରହିଛନ୍ତି।

