ସୀମା ଟପିଲାଣି ଲଘୁଖଣିଜ ଲୁଟ୍‌: ୧୧ ମାସରେ ଗୋଟିଏ ଟିପିରେ ବାଲି ପରିବହନ

ସୀମା ଟପିଲାଣି ଲଘୁଖଣିଜ ଲୁଟ୍‌: ୧୧ ମାସରେ ଗୋଟିଏ ଟିପିରେ ବାଲି ପରିବହନ

ସୀମା ଟପିଲାଣି ଲଘୁଖଣିଜ ଲୁଟ୍‌: ୧୧ ମାସରେ ଗୋଟିଏ ଟିପିରେ ବାଲି ପରିବହନ

 ସୀମା ଟପିଲାଣି ଲଘୁଖଣିଜ ଲୁଟ୍‌: ୧୧ ମାସରେ ଗୋଟିଏ ଟିପିରେ ବାଲି ପରିବହନ

 

ଆନନ୍ଦପୁର/ଘସିପୁରା: କେନ୍ଦୁଝର ଜିଲ୍ଲାରେ ଚାଲିଛି ବେଧଡ଼କ ଲଘୁଖଣିଜ ଲୁଟ୍। ଅନୁମତି ନଥିବା ଖାଦାନଗୁଡ଼ିକରୁ ବିପୁଳ ପରିମାଣର ପଥର ଓ ବାଲି ଚୋରାଚାଲାଣ ହୋଇଛି। ୧୧ ମାସ ଧରି ଗୋଟିଏ ଟ୍ରାନ୍‌ଜିଟ୍‌ ପାସ୍‌ (ଟିପି)ରେ ବାଲି ପରିବହନ ହୋଇଛି। ସେହିପରି ୧୫ ମାସ ଧରି ଗୋଟିଏ ଟିପି‌ରେ ପଥର ପରିବହନ ହୋଇଛି। କେବଳ ଆନନ୍ଦପୁର ଉପଖଣ୍ତରେ ୫ ହଜାର କୋଟି ଟଙ୍କାର ଲଘୁ ଖଣିଜ ଲୁଟ୍ ହୋଇଥିବା ଦୁର୍ନୀତି ବିରୋଧୀ ପ୍ରଗତିଶୀଳ ମଞ୍ଚ ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି। ଘସିପୁରାରେ ସାମାଜିକ କର୍ମୀ ହିମାଂଶୁ ଶେଖର ନାୟକ ଓ ଯଜ୍ଞପ୍ରସାଦ ସାହୁ ସାମ୍ବାଦିକ ସମ୍ମିଳନୀ କରି ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି।
ଶ୍ରୀ ନାୟକ କହିଛନ୍ତି, ଘସିପୁରା ତହସିଲ ଅଧୀନ କଲାବିଲା ପଥର ଖାଦାନକୁ ସରକାର ୫ ବର୍ଷ ପାଇଁ ନିରଞ୍ଜନ ସାହୁଙ୍କୁ ଲିଜ୍‌ ଦେଇଥିଲେ। ଏହାର ଲିଜ୍‌ ଅବଧି ଚଳିତ ମାସ ୨୫ ତାରିଖରେ ଶେଷ ହେବ। ବିଭାଗୀୟ ଅନୁମତି ନ ନେଇ ଏଠାରୁ ପଥର ଉତ୍ତୋଳନ ଓ ପରିବହନ କରାଯାଇଛି। ରେମାଳ ନଦୀର ଅଁଳାପାଳ ଘାଟ ନିରଞ୍ଜନଙ୍କ ନାମରେ ଥିଲା। ଏହାର ଲିଜ୍‌ ଅବଧି ୧୮ ଏପ୍ରିଲରୁ ଶେଷ ହୋଇଯାଇଛି। ୨୦୨୫ ଜାନୁଆରି ୧ରୁ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ମାତ୍ର ଗୋଟିଏ ଟିପି ବ୍ୟବହାର କରାଯାଇ ବାଲି ପରିବହନ ହୋଇଛି। ଅର୍ଥାତ ୧୧ ମାସରେ ମାତ୍ର ଗୋଟିଏ ଟ୍ରିପ୍‌ ବାଲି ଉତ୍ତୋଳନ ଓ ପରିବହନ କରାଯାଇଥିବା ଦର୍ଶାଯାଇଛି। ବାସ୍ତବରେ ଏହି ଘାଟରୁ ପ୍ରତିଦିନ ଶହଶହ ଟ୍ରିପ୍‌ ବାଲି ପରିବହନ ହେଉଛି। ଏହି ଲୁଟ୍‌ ପଛରେ ସେତେବେଳର ଖଣି ଅଧିକାରୀ ତାରିଣୀ ସିଂ ସମ୍ପୃକ୍ତ ଥିବା ଶ୍ରୀ ନାୟକ ଅଭିଯୋଗ କରିଛନ୍ତି।ଘସିପୁରା ତହସିଲ ଅଧୀନ ଓସ୍ତପୁରା ମୌଜାରେ ଥିବା ପଥର ଖାଦାନ ଏମ୍ଏସ୍‌ ଜେନା ମିନେରାଲ୍ସ ପ୍ରାଇଭେଟ ଲିମିଟେଡକୁ ଲିଜ୍‌ ଦିଆଯାଇଛି। ୨୦୨୫ ଜୁଲାଇ ୧ରେ ଖଣି ଅଧିକାରୀ ନିଜ ଚିଠିରେ ଦର୍ଶାଇଥିଲେ ଯେ ଏହି ଅଞ୍ଚଳରେ ରାଜସ୍ୱ ଓ ବନ ବିଭାଗ ପକ୍ଷରୁ ମିଳିତ ଯାଞ୍ଚ ହୋଇଥିଲା। ପୂର୍ବ ଲିଜ୍‌ଧାରୀ ମାତ୍ରାଧିକ ଖନନ କରିନଥିବା ଚିଠିରେ ଦର୍ଶାଯାଇଥିଲା। ଗତ ଦେଢ଼ବର୍ଷ ଭିତରେ ଏଠାରେ ମାତ୍ରାଧିକ ଖନନ ହୋଇଛି। ଯାହାର ଗଭୀରତା ୩୦୦ ଫୁଟ ହେବ ବୋଲି କୁହାଯାଇଛି। ଏହି ଖାଦାନରେ ବୁଡ଼ି ଜୁନ୍ ୧୪ରେ ଜଣେ ଛାତ୍ରଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା। ଖାଦାନର ବାର୍ଷିକ ଉତ୍ତୋଳନ କ୍ଷମତା ୩ ହଜାର ୨୪ ଘନମିଟର ରହିଛି। ହେଲେ ମାତ୍ରାଧିକ ପଥର ଖନନ ଓ ଉତ୍ତୋଳନ କରାଯାଇଥିବା ଶ୍ରୀ ନାୟକ କହିଛନ୍ତି। ପଥର ଲୁଟ୍ ଘଟଣାରେ ଘସିପୁରା ପୁଲିସ ନିରଞ୍ଜନ ସାହୁଙ୍କ ସମେତ ମୋଟ ୮ ଜଣଙ୍କୁ ଗିରଫ କରିଥିଲା। ଓସ୍ତପୁରା ଖାଦାନର ଲିଜ୍‌ଧାରୀଙ୍କୁ ପୁଲିସ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହୋଇଛି। ପୂର୍ବରୁ ଏହି ଲିଜ୍‌ଧାରୀଙ୍କ ବିରୋଧରେ ୫୦ କୋଟିରୁ ଅଧିକ ଟଙ୍କା ଜରିମାନା ରାଶି ଅନାଦାୟ ରହିଛି। ଲଘୁଖଣିଜ ଲୁଟ୍‌ର ତଦନ୍ତ ଦାୟିତ୍ୱ ସରକାର ଏକ ନିରପେକ୍ଷ ସଂସ୍ଥା ଦ୍ବାରା କରିବାକୁ ମଞ୍ଚର ଆବାହକ ଯଜ୍ଞପ୍ରସାଦ ସାହୁ ଦାବି କରିଛନ୍ତି। ସେହିପରି ଗଡ଼ବାନ୍ଧଗୋଡ଼ାରେ ଜବତ ହୋଇଥିବା ୩୦୦ ଟ୍ରିପ୍‌ ପଥର କେଉଁଠାରୁ ଆସିଥିଲା ବୋଲି ଯଜ୍ଞପ୍ରସାଦ ପ୍ରଶ୍ନ କରିଛନ୍ତି। ତତ୍କାଳୀନ ଲଘୁଖଣିଜ ଅଧିକାରୀ ତାରିଣୀ ସିଂହଙ୍କୁ ପଚାରିବାରୁ, ଅଁଳାପାଳ ବାଲିଘାଟରୁ ବିଶେଷ ବାଲି ଉଠିନି। ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି।