ତୁଚ୍ଛ ହେଉଛି ମଣିଷ ଜୀବନ, ରାଜପଥକୁ କବଜା କରୁଛି ଶିଳ୍ପ ଗାଡ଼ି
ତୁଚ୍ଛ ହେଉଛି ମଣିଷ ଜୀବନ, ରାଜପଥକୁ କବଜା କରୁଛି ଶିଳ୍ପ ଗାଡ଼ି
ତୁଚ୍ଛ ହେଉଛି ମଣିଷ ଜୀବନ, ରାଜପଥକୁ କବଜା କରୁଛି ଶିଳ୍ପ ଗାଡ଼ି
ସମ୍ବଲପୁର: ଜାତୀୟ ଓ ରାଜ୍ୟ ରାଜପଥମାନଙ୍କରେ ବିଭିନ୍ନ ଖଣି ଓ ଶିଳ୍ପ କାରଖାନାର ଭାରୀ ତଥା ମାଲବାହୀ ଯାନଗୁଡ଼ିକ ବିପଜ୍ଜନକ ପାର୍କିଂ କରିବା ଯୋଗୁଁ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ଏଥିରେ କୁହାଯାଇଛି, ରାଜ୍ୟରେ ଖଣି ଓ ଶିଳ୍ପ କରିଡର୍ଗୁଡ଼ିକରେ ଟ୍ରକ୍ଗୁଡ଼ିକ ବେଆଇନ ଓ ବିପଜ୍ଜନକ ଭାବରେ ପାର୍କିଂ କରୁଛନ୍ତି। ଯାହାଫଳରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି। ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଏଭଳି ଘଟଣା ଦେଖିବାକୁ ମିଳୁଥିବା ବେଳେ ଖଣି କମ୍ପାନିଗୁଡ଼ିକ ଦ୍ୱାରା ଲଜିଷ୍ଟିକ୍ସ ଶୃଙ୍ଖଳାର ଅଭାବ କିମ୍ବା ନିର୍ଦ୍ଦିଷ୍ଟ ପାର୍କିଂ ନଥିବାରୁ ସଡ଼କ ସୁରକ୍ଷା ବିପନ୍ନ ହେଉଛି। ଏହାର ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ପାଖରେ ସିଧାସଳଖ ସାମ୍ବିଧାନିକ ଆଦେଶ ଏବଂ ଦୃଢ଼ ଆଇନଗତ କ୍ଷମତା ରହିଛି। ପ୍ରଥମତଃ ସୁପ୍ରିମକୋର୍ଟ ଗତ ଏପ୍ରିଲ ୧୩, ୨୦୨୬ର ଆଦେଶରେ ସ୍ପଷ୍ଟ ରାୟ ଦେଇଛନ୍ତି ଯେ ସମ୍ବିଧାନର ଧାରା ୨୧ ଅନ୍ତର୍ଗତ ଜୀବନ ଅଧିକାରର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ରାଜପଥରେ ନିରାପଦ ଯାତାୟାତ। ସମ୍ବିଧାନର ଧାରା ୧୪୨ ଅଧୀନରେ ଥିବା କ୍ଷମତାର ବ୍ୟବହାର କରି ସର୍ବୋଚ୍ଚ ଅଦାଲତ ବାଧ୍ୟତାମୂଳକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିଛନ୍ତି ଯେ ନିର୍ଦ୍ଦିଷ୍ଟ ପାର୍କିଂ ରହଣି ବ୍ୟତୀତ କୌଣସି ଜାତୀୟ ରାଜପଥ ବା ଗାଡ଼ି ଚଳାଚଳ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ବଡ଼ ଓ ବାଣିଜ୍ୟିକ ଯାନ ପାର୍କିଂ କରିପାରିବେ ନାହିଁ।ଏଥିସହ ୨୪ ଘଣ୍ଟିଆ ପାଟ୍ରୋଲିଂ ଟିମ୍, ଅଟୋମେଟେଡ୍ ଇ-ଚାଲାଣ ବ୍ୟବସ୍ଥା ଏବଂ ଜିଲ୍ଲାସଡ଼କ ସୁରକ୍ଷା ଟାସ୍କଫୋର୍ସ ଜରିଆରେ ବେଆଇନ ପାର୍କିଂ ହଟାଇବା ନେଇ ଜିଲ୍ଲାପାଳ ଓ ଏସ୍ପି ଉତ୍ତରଦାୟୀ ରହିବେ ବୋଲି ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ରହିଛି। ଦ୍ୱିତୀୟତଃ ଓଡ଼ିଶା ରାଜ୍ୟ ରାଜପଥ କର୍ତ୍ତୃପକ୍ଷ ଆଇନ, ୨୦୨୫ ନିୟମ ଭଙ୍ଗ କରୁଥିବା ଡ୍ରାଇଭର, ପରିବହନ ଅପରେଟର୍ ଏବଂ ଶିଳ୍ପ କମ୍ପାନିଗୁଡ଼ିକ ବିରୋଧରେ କଠୋର ପ୍ରଶାସନିକ, ଆର୍ଥିକ ଏବଂ ଆପରାଧିକ ଦଣ୍ଡର ବ୍ୟବସ୍ଥା ରହିଛି। ସେକ୍ସନ୍ ୨୮ ଅନୁଯାୟୀ ରାସ୍ତାରେ ବିପଜ୍ଜନକ ଭାବେ ଗାଡ଼ି ନେଉଥିବା ବ୍ୟକ୍ତିଙ୍କ ବିରୋଧରେ ୧,୦୦୦ ଟଙ୍କାରୁ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ବାଧ୍ୟତାମୂଳକ ଜରିମାନା ଲଗାଇ ପାରିବେ। ଏହାବ୍ୟତୀତ, ଆଇନର ସେକ୍ସନ ୭୨ ଓ ୭୩ ଅଧିକାରୀମାନଙ୍କୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରିଥାଏ ଯେ ସେମାନେ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ିଗୁଡ଼ିକୁ ସେଥିରେ ଥିବା ମାଲପତ୍ର ସହିତ ଜବତ କରି ଘଣ୍ଟା ପ୍ରତି ପାର୍କିଂ ଶୁଳ୍କ ଆଦାୟ କରିପାରିବେ। ସେହିପରି ସେକ୍ସନ ୬୯ ଅନୁଯାୟୀ, ଅସୁରକ୍ଷିତ ଭାବେ ଗାଡ଼ି ଚାଳନା ଓ ଓଭର୍ଲୋଡିଂ କରୁଥିବା ବ୍ୟକ୍ତିଙ୍କ ପାଇଁ ଛଅ ମାସ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି।ସେକ୍ସନ୍ ୭୬ ଅନୁଯାୟୀ, କମ୍ପାନିଗୁଡ଼ିକର କର୍ପୋରେଟ୍ ଅବହେଳା କିମ୍ବା ପରିବହନ ଅବ୍ୟବସ୍ଥା (ଲଜିଷ୍ଟିକ୍ସ ମ୍ୟାନେଜମେଣ୍ଟରେ ତ୍ରୁଟି) ଯୋଗୁଁ ଅଘଟଣ ଘଟିଲେ, ସେହି କମ୍ପାନିର ବ୍ୟବସାୟିକ ଦାୟିତ୍ୱରେ ଥିବା ପ୍ରତ୍ୟେକ ଅଧିକାରୀ ବା ନିର୍ଦ୍ଦେଶକ ଦୋଷୀ ବିବେଚିତ ହେବେ। ସେମାନଙ୍କ ବିରୋଧରେ ଦୃଢ଼ ଆଇନଗତ ମାମଲା ରୁଜୁ କରାଯିବ। ରାଜ୍ୟରେ ଶୃଙ୍ଖଳା ଫେରାଇ ଆଣିବା, ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ଓ ଦାୟିତ୍ୱବୋଧ କଡ଼ାକଡ଼ି କରିବା ପାଇଁ ସାଂସଦ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଓଡ଼ିଶା ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗକୁ ଜନସଚେତନତା ନୋଟିସ୍ ଜାରି କରିବା ସହ ସେକ୍ସନ ୭୨ ଅଧୀନରେ ଗାଡ଼ି ଜବତ କରିବାକୁ କଡ଼ା ନିର୍ଦ୍ଦେଶ ଦେବା ପାଇଁ ଶ୍ରୀ ପ୍ରଧାନ ପତ୍ରରେ ଅନୁରୋଧ କରିଛନ୍ତି।

