ସୁଧୁରିବ ମାଷ୍ଟରକ୍ୟାଣ୍ଟିନ୍‌ ବସ୍‌ଷ୍ଟାଣ୍ଡ୍‌ ସଂଲଗ୍ନ ରାସ୍ତା

 ସୁଧୁରିବ ମାଷ୍ଟରକ୍ୟାଣ୍ଟିନ୍‌ ବସ୍‌ଷ୍ଟାଣ୍ଡ୍‌ ସଂଲଗ୍ନ ରାସ୍ତା

 ସୁଧୁରିବ ମାଷ୍ଟରକ୍ୟାଣ୍ଟିନ୍‌ ବସ୍‌ଷ୍ଟାଣ୍ଡ୍‌ ସଂଲଗ୍ନ ରାସ୍ତା

  ସୁଧୁରିବ ମାଷ୍ଟରକ୍ୟାଣ୍ଟିନ୍‌ ବସ୍‌ଷ୍ଟାଣ୍ଡ୍‌ ସଂଲଗ୍ନ ରାସ୍ତା

 

ଭୁବନେଶ୍ୱର: ଅଢ଼େଇ ବର୍ଷ ଯମ ଯନ୍ତ୍ରଣା ଦେବା ପରେ ଉନ୍ନତ ହେବ ମାଷ୍ଟରକ୍ୟାଣ୍ଟିନ୍‌ ବସ୍‌ଷ୍ଟାଣ୍ଡ୍‌ ସଂଲଗ୍ନ ରାସ୍ତା। ବିଡିଏ ପକ୍ଷରୁ ରାସ୍ତାର ଉନ୍ନତି ପାଇଁ ଗତ ୨୭ ତାରିଖରେ ୪୧ ଲକ୍ଷ ୪୭ହଜାର ୯୮୨ଟଙ୍କାର ଟେଣ୍ଡର ଡକା ହୋଇଛି। ଖୁବ୍‌ଶୀଘ୍ର ରାସ୍ତା କାମ ହେବ ବୋଲି ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ କହିଛନ୍ତି। ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ବର୍ଷ ବର୍ଷ ଧରି ସହରର ସବୁଠୁ ଜନଗହଳିପୂର୍ଣ୍ଣ ବସ୍‌ଷ୍ଟାଣ୍ଡ୍‌ର ଦୟନୀୟ ସ୍ଥିତି ରାଜଧାନୀର ବିକାଶକୁ ଉପହାସ କରୁଛି। ବିଏମ୍‌ସି ଓ ପୂର୍ତ୍ତ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ସହରର ଛାତି ଉପରେ ଥିବା ଏହି ବସ୍‌ଷ୍ଟାଣ୍ଡ୍‌ ଅବହେଳିତ ହୋଇ ପଡ଼ିରହିଛି। ପ୍ରତିଦିନ ଖଣ୍ଡିଆଖାବରା ରାସ୍ତା, ଆବର୍ଜନାମୟ ଓ ପୂତିଗନ୍ଧମୟ ପରିବେଶ ଭିତରେ ଶହ ଶହ ଯାତ୍ରୀ ଏଠାରୁ ଯାତାୟାତ କରୁଛନ୍ତି। ‘ଆମ ବସ୍’ ସମେତ ଘରୋଇ ବସ୍‌ ମଧ୍ୟ ଏଠାରୁ ଭୁବନେଶ୍ବରର ବିଭିନ୍ନ ସ୍ଥାନ ସହ ପୁରୀ, କଟକ, ବାଙ୍କି, ଖୋର୍ଦ୍ଧା ଆଦି ସ୍ଥାନକୁ  ଚଳାଚଳ କରୁଛି। କିନ୍ତୁ ଏହାର ପ୍ରବେଶରୁ ପ୍ରସ୍ଥାନ ପର୍ଯ୍ୟନ୍ତ ବିରାଟ ବିରାଟ ଖାଲ ରହିଛି। ରାସ୍ତା ଫାଟି ଆଁ କଲାଣି। ବର୍ଷାରେ ପାଣି ଭରି ଯାତ୍ରୀଙ୍କୁ ଅସୁବିଧାରେ ପକାଉଛି। ବାରମ୍ୱାର ଅଭିଯୋଗ ପରେ ମଧ୍ୟ ସ୍ଥିତିରେ ପରିବର୍ତ୍ତନ ହେଉନାହିଁ ବୋଲି ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ବସ୍‌ଷ୍ଟାଣ୍ଡ୍‌ର ପରିମଳ କଥା ନ କହିବା ଭଲ। ଚାରିଆଡ଼େ କୁଢ଼କୁଢ଼ ଆବର୍ଜନା ଗଦା ହୋଇ ରହିଛି। ଶୌଚାଳୟର ସ୍ଥାନେ ସ୍ଥାନେ ଭାଙ୍ଗି ଯାଇଥିବା ବେଳେ ଶୌଚ ପାଣି ବାହାରେ ଭାସୁଛି। ବସ୍‌ଷ୍ଟାଣ୍ଡର ଚାରିଆଡ଼ ଅସ୍ଥାୟୀ ଶୌଚାଳୟ ପାଲଟିଛି। ପରିସରରେ ପଶିବା ମାତ୍ରେ ନାକରେ ରୁମାଲ ବାନ୍ଧିବାକୁ ପଡ଼ୁଛି।