ମାଟି ‌ଚୋରି ପ୍ରସଙ୍ଗରେ ସତ ମାନିଲା ଓବିସିସି: ‘କେବଳ ୬ ହଜାର ଘନମିଟର ହିଁ ନେଇଛୁ’

ମାଟି ‌ଚୋରି ପ୍ରସଙ୍ଗରେ ସତ ମାନିଲା ଓବିସିସି: ‘କେବଳ ୬ ହଜାର ଘନମିଟର ହିଁ ନେଇଛୁ’

ମାଟି ‌ଚୋରି ପ୍ରସଙ୍ଗରେ ସତ ମାନିଲା ଓବିସିସି: ‘କେବଳ ୬ ହଜାର ଘନମିଟର ହିଁ ନେଇଛୁ’

 ମାଟି ‌ଚୋରି ପ୍ରସଙ୍ଗରେ ସତ ମାନିଲା ଓବିସିସି: ‘କେବଳ ୬ ହଜାର ଘନମିଟର ହିଁ ନେଇଛୁ’

 

ସମ୍ବଲପୁର: ହୀରାକୁଦ ଥାନା ଅନ୍ତର୍ଗତ ଲମ୍‌ଡୁଙ୍ଗୁରି ପାହାଡ଼ କାଟି ମୋରମ୍ ଚୋରାଚାଲାଣ କରାଯିବା ଘଟଣାରେ ‘ସମ୍ବାଦ’ରେ ସିରିଜ୍ ଖବର ପ୍ରକାଶ ପାଇଆସୁଛି। ପ୍ରଶାସନର ନଜରରେ ରହି କିଭଳି ଏକ ପାହାଡ଼ କାଟି ସଫାକରି ଦିଆଗଲା, ସେ ନେଇ ପୂରା ଘଟଣାକ୍ରମ ପ୍ରକାଶ ପାଇବା ପରେ ଓଡ଼ିଶା ବ୍ରିଜ୍ ଆଣ୍ଡ କନ୍‌ଷ୍ଟ୍ରକସନ୍ କର୍ପୋରେସନ୍ (ଓବିସିସି) ଲିମିଟେଡ୍‌ ସତ ମାନିଛି। ଖଣି ବିଭାଗଠାରୁ ଅନୁମତି ନ ନେଇ ଓବିସିସି ହିଁ ଲମ୍‌ଡୁଙ୍ଗୁରି ପାହାଡ଼ କାଟିଥିବା ଓବିସିସି ଜିଏମ୍ (ହେରିଟେଜ୍) ସୁଜିତ କୁମାର ସ୍ବୀକାର କରିଛନ୍ତି। ତେବେ ପାହାଡ଼ରୁ କଟାଯାଇଥିବା ସମସ୍ତ ମାଟି ନୁହେଁ, କେବଳ ୬ ହଜାର ଘନମିଟର ମାଟି ବିନା ଅନୁମତିରେ ଓବିସିସି ଆଣିଥିବା ସେ କହିଛନ୍ତି। ପ୍ରଶାସନ ଚାହିଁଲେ ଡମ୍ପିଂସାଇଟ୍‌ ଯାଇ ପକାଯାଇଥିବା ମୋରମ୍ ମାପୁ, କିନ୍ତୁ ଅନ୍ୟ କିଏ କିଏ ମାଟି ନେଇଛନ୍ତି ତାହାର ବି ତଦନ୍ତ ହେଉ ବୋଲି ଓବିସିସି ଜିଏମ୍ ଶ୍ରୀ କୁମାର କହିଛନ୍ତି। ସେପଟେ, ଓବିସିସି ମାଟି ଚୋରି କରିଥିବା ଘଟଣା ସ୍ବୀକାର କରିବା ପରେ ଜିଲ୍ଲା ପ୍ରଶାସନ ସରକାରୀ ଚୋରଙ୍କୁ ଧରିବ ତ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସଂପର୍କରେ ଉପଜିଲ୍ଲାପାଳ ଡ.ପୁଷ୍ପାଞ୍ଜଳି ପଣ୍ଡାଙ୍କୁ ପଚାରିବାରୁ, ସୋମବାର ଜିଲ୍ଲା ଖଣି ଅଧିକାରୀଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଖଣି ଅଧିକାରୀ ଓ ତହସିଲଦାର ଘଟଣାସ୍ଥଳରେ ମାପଚୁପ କରି ଯୁଗ୍ମ ରିପୋର୍ଟ ପ୍ରଦାନ କରିବା ପରେ ଜରିମାନା କରାଯିବ ବୋଲି କହିଛନ୍ତି। ସମ୍ବଲପୁର ତହସିଲଦାରଙ୍କୁ ଗତ ଜୁନ୍ ୧୦ ତାରିଖରେ ଲରପଙ୍କ ରାଜସ୍ବ ନିରୀକ୍ଷକ ଦେଇଥିବା ଫିଜିବିଲିଟି ରିପୋର୍ଟରେ ଲମ୍‌ଡୁଙ୍ଗୁରି ପାହାଡ଼ରୁ ଖାତା ନଂ ୨୧୭ ଅନ୍ତର୍ଗତ ପ୍ଲଟ୍‌ ନଂ ୪୯୫ରୁ ୨ ଏକର ଏବଂ ଏକ ପାର୍ଟପ୍ଲଟ୍‌ରୁ ୨ ଏକର ଜମିରୁ ମାଟି ନେଇ ହେବ ବୋଲି ଦର୍ଶାଇଥିଲେ। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଓବିସିସି କେବଳ ୬ ହଜାର ଘନମିଟର ମାଟିର ଆବଶ୍ୟକତା ଦର୍ଶାଇଥିବା ବେଳେ ଲରପଙ୍କ ରାଜସ୍ବ ନିରୀକ୍ଷକ ସମ୍ବଲପୁର ତହସିଲଦାରଙ୍କୁ ୪ ଏକର ଜମିରୁ ମାଟି ନେଇ ହେବ ବୋଲି ଚିଠି ଲେଖିଥିଲେ। ସମ୍ବଲପୁର ତହସିଲଦାର ମଧ୍ୟ ଉକ୍ତ ଫିଜିବିଲିଟି ରିପୋର୍ଟ ଆଧାରରେ ଓବିସିସିକୁ ଚିଠି ଲେଖି ମାଟି ନେବା ସଂକ୍ରାନ୍ତରେ ସହମତି ଦେଇଥିଲେ ହେଁ ଉପଯୁକ୍ତ କର୍ତ୍ତୃପକ୍ଷ (ବିଭାଗ)ଙ୍କଠାରୁ ଅନୁମତି ନେବାକୁ ପରାମର୍ଶ ଦେଇଥିଲେ। ହେଲେ ଓବିସିସି ଆଉ ଜିଲ୍ଲା ଖଣି ବିଭାଗର ଅନୁମତି ନ ନେଇ ମନଇଚ୍ଛା ମାଟି ଖୋଳି ଚାଲିଥିଲା। ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ ବେଳେ ଗୋଟିଏ ଗୋଟିଏ ସ୍ଥାନରେ ପାହାଡ଼ର ଉଚ୍ଚତାକୁ ବାଦ୍ ଦେଇ ରାସ୍ତାସ୍ତରରୁ ମାଟି ତଳକୁ ୨-୩ ମିଟର ଯାଏଁ ଖନନ କରାଯାଇଛି। ଗୋଟିଏ ଏକର ଜମିକୁ ୧ ମିଟର୍‌ ଖୋଳିଲେ ୪୦୪୬.୯ କ୍ୟୁବିକ୍‌ ମିଟର ମାଟି ବାହାରେ। ଏହି ଆଧାରରେ ଓବିସିସି ଉକ୍ତ ୪ ଏକର ଜମିକୁ ଯଦି ହାରାହାରି ୩ ମିଟର୍‌ ଖୋଳିଥିବ ତା’ହେଲେ ପ୍ରାୟ ୫୦ ହଜାର କ୍ୟୁବିକ୍ ମିଟର ମାଟି ଉଠାଇଛି।ଗୋଟିଏ ସିୟୁଏମ୍ ମାଟି ପାଇଁ ସରକାରୀ ଭାବେ ରୟାଲଟି ୩୫ ଟଙ୍କା, ଡିଏମ୍‌ଏଫ୍ ରୟାଲଟି ଟଙ୍କାର ୩୦ ପ୍ରତିଶତ, ଇଏମ୍‌ଏଫ୍ ରୟାଲଟି ଟଙ୍କାର ୫ ପ୍ରତିଶତ, ଆଇଟି ୨ ପ୍ରତିଶତ, ଅତିରିକ୍ତ ଚାର୍ଜ ୩୫ ଟଙ୍କା ମିଶାଇ ୮୦ ଟଙ୍କାରୁ ସାମାନ୍ୟ ଅଧିକ ହେଉଛି। ସେହି ଅନୁଯାୟୀ ସରକାରୀ ଭାବେ ଓବିସିସି ଉପରୋକ୍ତ ପରିମାଣର ମାଟି ନେଇଥିଲେ ତାକୁ ରୟାଲ୍‌ଟି ବାବଦରେ ଅତି କମ୍‌ରେ ୪୦ ଲକ୍ଷ ଟଙ୍କା ଦେବାକୁ ପଡ଼ିଥାନ୍ତା। କିନ୍ତୁ ଓବିସିସି ମାଟି ବାବଦ ସରକାରୀ ଅର୍ଥକୁ ଚଳୁ କରି ସରକାରୀ ସମ୍ପତ୍ତିର ହରିଲୁଟ୍ କରିଥିବା ଘଟଣା ସାମନାକୁ ଆସିଛି। ନିୟମାନୁସାରେ, ମାଟି ଚୋରି କ୍ଷେତ୍ରରେ ୩ ଗୁଣା ଯାଏଁ ପେନାଲ୍‌ଟି ବା ଜରିମାନା କରିବାର ନିୟମ ରହିଛି। ଏଭଳି ସ୍ଥିତିରେ ଓବିସିସି ଜିଲ୍ଲା ପ୍ରଶାସନ ଓ ଖଣି ବିଭାଗକୁ ଅନ୍ଧାରରେ ରଖି ୧ କୋଟିରୁ ଅଧିକ ଟଙ୍କାର ରାଜସ୍ବ ଲୁଟ୍ କରିଥିବା ଏକପ୍ରକାର ସ୍ପଷ୍ଟ ହୋଇଛି।