ଭୁବନେଶ୍ୱରରେ ଆରପିଏଫ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଲା କୈଳାସ ସତ୍ୟାର୍ଥୀଙ୍କ ଚିଲ୍ଡ୍ରେନ୍ସ ଫାଉଣ୍ଡେସନ : ଓମଟିଭି
କୈଳାସ ସତ୍ୟାର୍ଥୀଙ୍କ ଚିଲ୍ଡ୍ରେନ୍ସ ଫାଉଣ୍ଡେସନ (କେଏସସିଏଫ) ପକ୍ଷରୁ ଭୁବନେଶ୍ୱରରେ ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫୨ ଜଣ ରେଳ ସୁରକ୍ଷା ବାହିନୀ (ଆରପିଏଫ) କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପୂର୍ବତଟ ରେଳବାଇ ମୁଖ୍ୟାଳୟର ଅତିରିକ୍ତ ସୁରକ୍ଷା ଆୟୁକ୍ତ (ଯାତ୍ରୀ ସୁରକ୍ଷା) ଅଶୋକ କୁମାର ଦାଶ ଉଦଘାଟନ କରିଥିଲେ ।
ଭୁବନେଶ୍ୱରରେ ଆରପିଏଫ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଲା କୈଳାସ ସତ୍ୟାର୍ଥୀଙ୍କ ଚିଲ୍ଡ୍ରେନ୍ସ ଫାଉଣ୍ଡେସନ
ଭୁବନେଶ୍ୱର୨୯/୬/୨୨(ଓମ) : କୈଳାସ ସତ୍ୟାର୍ଥୀଙ୍କ ଚିଲ୍ଡ୍ରେନ୍ସ ଫାଉଣ୍ଡେସନ (କେଏସସିଏଫ) ପକ୍ଷରୁ ଭୁବନେଶ୍ୱରରେ ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫୨ ଜଣ ରେଳ ସୁରକ୍ଷା ବାହିନୀ (ଆରପିଏଫ) କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପୂର୍ବତଟ ରେଳବାଇ ମୁଖ୍ୟାଳୟର ଅତିରିକ୍ତ ସୁରକ୍ଷା ଆୟୁକ୍ତ (ଯାତ୍ରୀ ସୁରକ୍ଷା) ଅଶୋକ କୁମାର ଦାଶ ଉଦଘାଟନ କରିଥିଲେ । ଏଥିପୂର୍ବରୁ ମେ ୬ ତାରିଖ ୨୦୨୨ରେ ଆରପିଏଫ ପକ୍ଷରୁ କେଏସସିଏଫର ସହଯୋଗୀ ସଂଗଠନ ବଚପନ ବଚାଓ ଆନ୍ଦୋଳନ (ବିବିଏ) ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଶିଶୁ ଅନୁକୂଳ ଏବଂ ଶିଶୁ ଚାଲାଣମୁକ୍ତ ରାଷ୍ଟ୍ର ନିର୍ମାଣ ଦିଗରେ କାର୍ଯ୍ୟ କରିବା ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ । ନେବେଲ ଶାନ୍ତି ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀ ୧୯୮୦ ମସିହାରେ ବିବିଏ ସଂସ୍ଥା ପ୍ରତିଷ୍ଠା କରିଥିଲେ । ଗତ ୪ ଦଶନ୍ଧି ମଧ୍ୟରେ ଏହି ସଂସ୍ଥା ଏକ ଲକ୍ଷରୁ ଅଧିକ ଶିଶୁଙ୍କୁ ଦାସତ୍ୱରୁ ଉଦ୍ଧାର କରିଛି । ଶିଶୁମାନଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଓ ଶୋଷଣ ଠାରୁ ମୁକ୍ତ କରିବାର ଲକ୍ଷ୍ୟ ନେଇ କେଏସସିଏଫ ଏବଂ ବିବିଏ କାର୍ଯ୍ୟ କରୁଛନ୍ତି । ଏହି ଦୁଇ ସଂସ୍ଥା ଏପରି ଏକ ବିଶ୍ୱ ନିର୍ମାଣ କରିବାକୁ ଚାହୁଁଛନ୍ତି ଯେଉଁଠି ପ୍ରତ୍ୟେକ ଶିଶୁ ନିରାପଦ, ଶିକ୍ଷିତ, ସୁସ୍ଥ ଏବଂ ସୁରକ୍ଷିତ ରହିପାରିବେ ।
ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶିଶୁ ଚାଲାଣ ଅପରାଧ ବିଷୟରେ ଆଲୋକପାତ କରାଯାଇ ପ୍ରଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ପ୍ରକାର ଶିଶୁ ସୁରକ୍ଷା ପ୍ରସଙ୍ଗରେ ସୂଚନା ଦିଆଯାଇଥିଲା । ଶିଶୁ ଯୌନ ନିର୍ଯାତନା, ଶିଶୁ ଶ୍ରମିକ, ଦାଦନ ଶ୍ରମିକ ଏବଂ ବାଲ୍ୟବିହାର ଆଦି ପ୍ରସଙ୍ଗରେ ପ୍ରଶିକ୍ଷାର୍ଥୀମାନଙ୍କୁ ସଚେତନ କରାଯାଇଥିଲା । ଶିଶୁ ଚାଲାଣକାରୀ ଏବଂ ଅସୁରକ୍ଷିତ ଶିଶୁଙ୍କୁ ଚିହ୍ନଟ କରିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମାନକ ପରିଚାଳନା ପଦ୍ଧତି (ଏସଓପି) ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ବିସ୍ତୃତ ବିବରଣୀ ଦିଆଯାଇଥିଲା । ଶିଶୁଙ୍କ ସୁରକ୍ଷା ପାଇଁ ସବୁ ବିଶେଷ ଆଇନ ଯଥା ଜୁଭେନାଇଲ ଜଷ୍ଟିସ (ଜେଜେ) ଆକ୍ଟ, ପୋକ୍ସୋ ଆଇନ, ଅନୈତିକ ଚାଲାଣ ନିରାକରଣ ଆଇନ ଏବଂ ଶିଶୁ ଶ୍ରମିକ ଆଇନ ବିଷୟରେ ଆଲୋଚନା କରାଯାଇଥିଲା।
ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ସାରା ଦେଶରେ ୧୬ଟି ଆରପିଏଫ ଜୋନ ଚୟନ କରାଯାଇଛି । ବୁଝାମଣାପତ୍ରର ସର୍ତ୍ତାବଳୀ ଅନୁଯାୟୀ, ଆରପିଏଫର ୭୫୦ଟି ମାନବ ଚାଲାଣ ନିରୋଧୀ ୟୁନିଟକୁ କେଏସସିଏଫ ପକ୍ଷରୁ ପ୍ରଶିକ୍ଷଣ ଦିଆଯିବ ।
ପ୍ରଶିକ୍ଷଣର ଅଂଶବିଶେଷ ସ୍ୱରୂପ, କେଏସସିଏଫ ବିଭିନ୍ନ ଜୋନ/ଡିଭିଜନର ଆରପିଏଫ ଅଧିକାରୀମାନଙ୍କୁ ନିମନ୍ତ୍ରଣ କରିବ, ଯେଉଁମାନଙ୍କୁ ମାଷ୍ଟର ଟ୍ରେନର ହେବା ନିମନ୍ତେ ଆବଶ୍ୟକ ତାଲିମ ଦିଆଯିବ। ପରବର୍ତ୍ତୀ ସମୟରେ ଏହି ମାଷ୍ଟର ଟ୍ରେନରମାନେ ସେମାନଙ୍କର ଅଧସ୍ତନ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦେବେ ।
ଏହାଛଡ଼ା ରେଳ ଷ୍ଟେସନ ଏବଂ ଟ୍ରେନରେ କାର୍ଯ୍ୟରତ ଟିଟିଇ, ଜିଆରପି କର୍ମଚାରୀ, ଷ୍ଟେସନ ସୁପରିଣ୍ଟେଣ୍ଡେଣ୍ଟ ଏବଂ ଅନ୍ୟ ରେଳ କର୍ମଚାରୀଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯିବ ।
କେଏସସିଏଫର ମୁଖପାତ୍ର ଜ୍ୟୋତି ମାଥୁର କହିଛନ୍ତି ଯେ, ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଶିଶୁଙ୍କ ପାଇଁ ଏକ ନିରାପଦ ପରିବେଶ ସୃଷ୍ଟି କରିବା ଏବଂ ସେମାନଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବା । ପ୍ରଶିକ୍ଷଣ ଏବଂ କ୍ଷମତା ନିର୍ମାଣ ଜରିଆରେ, ବିଭିନ୍ନ ପ୍ରକାରର ଶିଶୁ ନିର୍ଯାତନା, ବିଶେଷ କରି ଶିଶୁ ଚାଲାଣକୁ ରୋକିବା ଲାଗି ଗ୍ରହଣ କରାଯାଉଥିବା ପଦକ୍ଷେପରେ ଆପୋଷ ତାଳମେଳ ପ୍ରତିଷ୍ଠା କରାଯାଇପାରିବ ।