ରାଜ୍ୟରେ ଆଳୁ ରାଜନିତୀ, ଶିମାରୁ ଫେରିଲା ଆଳୁ ଟ୍ରକ୍ : Ommtv Round The Clock

ରାଜ୍ୟରେ ଆଳୁ ରାଜନିତୀ, ଶିମାରୁ ଫେରିଲା ଆଳୁ ଟ୍ରକ୍ : Ommtv Round The Clock

ରାଜ୍ୟରେ ଆଳୁ ରାଜନିତୀ, ଶିମାରୁ ଫେରିଲା ଆଳୁ ଟ୍ରକ୍ : Ommtv Round The Clock

ରାଜ୍ୟରେ ଆଳୁ ରାଜନିତୀ, ଶିମାରୁ ଫେରିଲା ଆଳୁ ଟ୍ରକ୍ : Ommtv Round The Clock

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଯାଇଛି ଆଳୁ ରାଜନିତୀ। ଦରଦାମ୍ ବୃଦ୍ଧିରେ ଆଉଟପାଉଟ ହେଉଥିବା ଖାଉଟି ଏବେ ଆଳୁକୁ ନେଇ ଚିନ୍ତାରେ। ରାଜ୍ୟରେ ଖୁଚୁରା ବଜାରରେ ଆଳୁ ଦର ୫୦ ଛୁଇଁଲାଣି। ଗୋଟିଏ ଦିନରେ ଆଳୁ ଦର ୧୦ ଟଙ୍କା ବଢ଼ିଛି। ପଶ୍ଚିମବଙ୍ଗରେ ଆଳୁ ବ୍ୟବସାୟୀଙ୍କ ଧର୍ମଘଟ ପାଇଁ ଓଡ଼ିଶାକୁ ଆଳୁ ଆସିପାରୁନାହିଁ। ଆଳୁ ପାଇଁ ଓଡ଼ିଶା ବାହାର ରାଜ୍ୟ ଉପରେ ନିର୍ଭରଶୀଳ ଥିବାରୁ ରାଜ୍ୟରେ ଦର ଆକାଶଛୁଆଁ ହୋଇଛି। ଓଡ଼ିଶା ବଜାରରେ ଆଳୁ ନିଅଣ୍ଟ ସାଙ୍ଗକୁ ଦର ବୃଦ୍ଧି ପରେ ରାଜ୍ୟ ସରକାର ଆକ୍ସନ ମୋଡ୍‌କୁ ଆସିଛନ୍ତି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଳୁ ଗୋଦାମରେ ପହଞ୍ଚି ସ୍ଥିତି ପରଖିଛନ୍ତି। ବ୍ୟବସାୟୀଙ୍କ ସହ ଆଳୁ ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ। ରାଜ୍ୟରେ ଆସନ୍ତା ୭ଦିନ ଯାଏ ଆଳୁ ମହଜୁଦ ରହିଛି। ତେଣୁ ଅସାଧୁ ବ୍ୟବସାୟୀ ୩୨ ଟଙ୍କାରୁ ଅଧିକ ଦରରେ ବିକିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ତାଗିଦ୍ କରିଛନ୍ତି। ପଶ୍ଚିମବଙ୍ଗରୁ ହଠାତ୍ ଅନ୍ୟ ରାଜ୍ୟକୁ ଆଳୁ ରପ୍ତାନି ବନ୍ଦ ହୋଇଛି। ଓଡ଼ିଶା ସୀମାରେ ଆଳୁ ବୋଝେଇ ଟ୍ରକ୍‌କୁ ପଶ୍ଚିମବଙ୍ଗ ପୁଲିସ ଅନୁମତି ଦେବାକୁ ମନା କରିଦେବା ପରେ ଶହ ଶହ ଆଳୁ ବୋଝେଇ ଟ୍ରକ୍ ଗତକାଲି ରାତିରୁ ଅପେକ୍ଷା କରିଥିଲେ। ଦୀର୍ଘ ସମୟ ଅପେକ୍ଷା କରିବା ପରେ ଅନୁମତି ନ ପାଇ କିଛି ଟ୍ରକ୍ ଫେରି ଯାଇଛନ୍ତି। ପଶ୍ଚିମବଙ୍ଗର ହୁଗୁଳିରେ ଶୀତଳଭଣ୍ଡାର ମାଲିକମାନେ ଆଳୁକୁ ନେଇ ୪ଦିନ ହେବ ଧର୍ମଘଟ କରିଥିଲେ। ଏଥିପାଇଁ ସେଠାରେ ମଧ୍ୟ ଆଳୁ ଦର ବଢ଼ିଯାଇଛି। ପଶ୍ଚିମବଙ୍ଗରେ ଆଳୁ ଦର କମାଇବା ପାଇଁ ସ୍ଥାନୀୟ ସରକାର ଅନ୍ୟ ରାଜ୍ୟମାନଙ୍କୁ ଆଳୁ ରପ୍ତାନି ଉପରେ କଟକଣା ଲଗାଇଥିବା କୁହାଯାଉଛି। ତେଣୁ ପଶ୍ଚିମବଙ୍ଗରେ ଆଳୁ ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଓଡ଼ିଶା ବଜାରରେ ଆଳୁ ଦର ଚଢ଼ା ରହିପାରେ ବୋଲି ଆଶଙ୍କା କରାଯାଉଛି। ପୂର୍ବରୁ ଲୋକମାନେ କେଜିଏ କିମ୍ବା ୨ କିଲୋ ଆଳୁ ନେଉଥିବା ବେଳେ ଏବେ ଚଢ଼ା ଦର ପାଇଁ ଏହାକୁ କମାଇ ଦେଇଛନ୍ତି .ରାଜ୍ୟରେ ଆଳୁର ଦର ବୃଦ୍ଧି ପରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଆଇଗଣିଆ ଓ ପାତ୍ରପଡ଼ାସ୍ଥିତ ବିଭିନ୍ନ ଆଳୁ ଶୀତଳ ଭଣ୍ଡାର ଅଚାନକ ପରିଦର୍ଶନ କରିଥିଲେ। ସୁଲଭ ମୂଲ୍ୟରେ ଖାଉଟିମାନଙ୍କ ନିକଟରେ ଆଳୁ ପହଞ୍ଚାଇବା ପାଇଁ ବ୍ୟବସାୟୀମାନଙ୍କୁ ପରାମର୍ଶ ଦିଆଯାଇଛି। ପରିଦର୍ଶନ ସମୟରେ ଶୀତଳ ଭଣ୍ଡାର ଓ ଗୋଦାମଗୁଡ଼ିକରେ ମହଜୁଦ ପରିମାଣର ରେକର୍ଡ କରିବା ସହ ଆଳୁର ଧାର୍ଯ୍ୟ ମୂଲ୍ୟ ସଂପର୍କରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ବ୍ୟବସାୟୀମାନଙ୍କୁ ପରାମର୍ଶ ଦେଇଛନ୍ତି। ବିଭିନ୍ନ ସ୍ଥାନରେ ଚଢ଼ାଉକୁ ତ୍ବରାନ୍ବିତ କରିବା ସହ ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ବିଭିନ୍ନ ଗୋଦାମରେ ବିଭାଗୀୟ ଅଧିକାରୀମାନେ ଚଢ଼ାଉ କରିବା ସହ କଳାବଜାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ ହୋଇଛି। ଅପରପକ୍ଷରେ ରାଜ୍ୟରେ ଆଳୁର ଅଭାବ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏକ ଜରୁରୀକାଳୀନ ବୈଠକ ଡାକିଥିଲେ। ଗଣମାଧ୍ୟମକୁ ‌ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ପଶ୍ଚିମବଙ୍ଗ ସରକାର ଏକ ଦୁର୍ଭାଗ୍ୟଜନକ ନିଷ୍ପତ୍ତି ନେଇଛନ୍ତି। କେଉଁ ପରିସ୍ଥିତିରେ ଏଭଳି ନିଷ୍ପତ୍ତି ନିଆଗଲା ତାହା ସଂପର୍କରେ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରାଯିବ। ଯଦି ସମାଧାନ ହୋଇ ନ ପାରିବ ତାହାଲେ ଉତ୍ତରପ୍ରଦେଶ ସରକାରଙ୍କ ସହ ଆଲୋଚନା କରାଯିବ। ସେଠାରୁ କମ୍ ଦରରେ ଆଳୁ ଆଣିବା ଲାଗି ସରକାର ଅନୁମତି ଦେବେ। ଗୋଦାମ ଯାଞ୍ଚ କରିଥିଲି ସେଠାରେ ଦର ୨୭ ଟଙ୍କା ରହିଛି। ତେଣୁ ୩୨ ଟଙ୍କାରୁ ଅଧିକ ଦରରେ କେହି ଆଳୁ ବିକନ୍ତୁ ନାହିଁ କି ଖାଉଟିମାନଙ୍କୁ ହନ୍ତସନ୍ତ କରନ୍ତୁ ନାହିଁ। ନଚେତ୍ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ରାଜ୍ୟର ଯେତେ‌ ଗୋଦାମ ଅଛି ସବୁଠାରୁ ଚଢ଼ାଉ କରାଯିବ। ଓଡ଼ିଶାକୁ ଆଳୁ, ପିଆଜ ବାହାର ରାଜ୍ୟରୁ ଆସୁଛି। ପୂର୍ବ ସରକାରଙ୍କ ଆଳୁ, ପିଆଜ ମିସନ୍ ଫେଲ୍‌ ମାରିଥିଲା। ଆଳୁ ଦର ବଢ଼ିବା ପାଇଁ ପୂର୍ବ ସରକାର ଦାୟୀ। ସେ ଆହୁରିମଧ୍ୟ କହିଛନ୍ତି ଯେ ଆସନ୍ତା ୨ଦିନ ଭିତରେ ସମସ୍ୟାର ସମାଧାନ ହେବ। ପଶ୍ଚିମବଙ୍ଗ ଅଧିକାରୀଙ୍କ ସହ ସରକାର ଆଲୋଚନା କରିଛନ୍ତି। ୨୧-୨୪ ଯାଏ ସେଠାରେ ଆନ୍ଦୋଳନ ଥିଲା ଏବେ ତାହା ବନ୍ଦ ହୋଇଛି। ଦିନେ ଦୁଇଦିନ ଭିତରେ ଆଳୁ ଗାଡ଼ି ଓଡ଼ିଶା ଆସିବ। ରାଜ୍ୟରେ ଏବେ ୭-୮ଦିନ ପର୍ଯ୍ୟନ୍ତ ଆଳୁ ମହଜୁଦ ଅଛି ବୋଲି ଶ୍ରୀ ପାତ୍ର କହିଛନ୍ତି। ମାତ୍ର ଆଗାମି ଦିନରେ ଆଉ କିଛି ନୂଆ ଶୀତଳଭଣ୍ଡାର ଖୋଲିବାନେଇ କିଛି କହିନାହାଁନ୍ତି। 

ଅପରପକ୍ଷରେ ରାଜ୍ୟରେ ଆଳୁ ଦର ବଢ଼ିବାକୁ ନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଚିନ୍ତା ପ୍ରକଟ କରିଛନ୍ତି। ଶ୍ରୀ ବାହିନୀପତି କହିଛନ୍ତି, ବିଜେଡି ସରକାର ଆଳୁ ସମେତ ପିଆଜ ମିସନ କରିଥିଲେ। ସବୁ ଫେଲ୍‌ ମାରିଲା। ଏବେ ନୂଆ ସରକାର ମଧ୍ୟ ପୂର୍ବ ସରକାରଙ୍କ ଅଫିସରଙ୍କ ଦ୍ବାରା ପରିଚାଳିତ। ତେଣୁ ସରକାର ତୁରନ୍ତ ପଦକ୍ଷେପ‌ ନେବା ସହ ଲୋକମାନେ କିଭଳି କମ୍ ଦାମରେ ଆଳୁ ପାଇବେ ତା’ର ବ୍ୟବସ୍ଥା କରନ୍ତୁ। ରାଜ୍ୟ ସରକାର ନିଜେ ଆଳୁ କିଣି ମାର୍କେଟ୍‌ରେ ରଖନ୍ତୁ ବୋଲି ଶ୍ରୀ ବାହିନୀପତି କହିଛନ୍ତି।ପଡ଼ୋଶୀ ପଶ୍ଚିମବଙ୍ଗ ସରକାର ସୀମାନ୍ତରୁ ୨୦୦ ଆଳୁ ବୋଝେଇ ଟ୍ରକ୍‌ ଫେରାଇ ନେଇଛନ୍ତି। ଫଳରେ ଆଳୁ ଦର ଆହୁରି ବଢ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏଥି ସହିତ ଆଗାମୀ ଦିନରେ ଆଳୁର ଅଭାବ ଜନିତ ପରିସ୍ଥିତି ମଧ୍ୟ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତଥ୍ୟ ଅନୁସାରେ, ଓଡ଼ିଶାକୁ ବାହାର ରାଜ୍ୟମାନଙ୍କରୁ ପ୍ରତିବର୍ଷ ୧୩ ଲକ୍ଷ ୯୦ ହଜାର ଟନ୍‌ ଆଳୁ ଆସିଥାଏ। ପଶ୍ଚିମବଙ୍ଗରୁ ୯୦ ପ୍ରତିଶତ ଆଳୁ ଆସୁଥିବା ବେଳେ ଉତ୍ତରପ୍ରଦେଶ ଓ ଆଉ କେତେକ ରାଜ୍ୟରୁ ୧୦ ପ୍ରତିଶତ ଆଳୁ ଆସିଥାଏ। ଚଳିତବର୍ଷ ପଶ୍ଚିମବଙ୍ଗରେ ଆଶାନୁରୂପ ଆଳୁ ଉତ୍ପାଦନ ହୋଇନାହିଁ। ଏହାର ପ୍ରଭାବ ଓଡ଼ିଶା ବଜାର ଉପରେ ପଡ଼ିଛି। ଓଡ଼ିଶାରେ ଆଳୁର ଅଭାବ ଦେଖାଯିବା ସହିତ କିଲୋପିଛା ଦର ୫୦ ଟଙ୍କା ଛୁଇଁ ସାରିଲାଣି। ଏହାକୁ ଦୃଷ୍ଟିରେ ରଖି ଏବଂ ଅଧିକ ଲାଭ ପାଇବା ଆଶାରେ ପଶ୍ଚିମବଙ୍ଗ ବ୍ୟବସାୟୀମାନେ ଶୀତଳ ଭଣ୍ଡାରରେ ରଖିଥିବା ଆଳୁ ଓଡ଼ିଶା ଛାଡ଼ିବାକୁ ଚିନ୍ତା କରିଥିଲେ। ହେଲେ ଓଡ଼ିଶା ଯାଉଥିବା ଆଳୁ ବୋଝେଇ ଟ୍ରକ୍‌ଗୁଡ଼ିକୁ ମମତା ସରକାର ୪ ଦିନ ହେଲା ଓଡ଼ିଶା ଛାଡ଼ିନଥିଲେ। ସୀମାନ୍ତ ସୁନାକଣିଆ ତନଖି ଫାଟକ ନିକଟରେ ସେଗୁଡ଼ିକୁ ସ୍ଥାନୀୟ ପୁଲିସ ଅଟକାଇ ରଖିଥିଲା। ଆଜି ଅପରାହ୍ଣରେ ମେଦିନୀପୁର ଏଏସ୍‌ପି (ଟ୍ରାଫିକ୍‌) ସୌମିକ ସେନଗୁପ୍ତ ଦାନ୍ତୁନ ଥାନା ପୁଲିସ ସହାୟତାରେ ଅଟକ ଥିବା ପ୍ରାୟ ୨୦୦ଟି ଟ୍ରକ୍‌ ଫାଟକ ନିକଟରୁ ଫେରାଇ ନେଇଛନ୍ତି। ଆଳୁ ପଚିବା ସ୍ଥିତିକୁ ଆସିଯାଇଥିବା ବେଳେ ଓଡ଼ିଶା ନେବାପାଇଁ ଡ୍ରାଇଭର୍‌ ଓ ହେଲ୍‌ପରମାନେ ଯେତେ ନେହୁରା ହେଲେ ମଧ୍ୟ କେହି କିଛି ଶୁଣି ନଥିବା ଜଣାପଡ଼ିଛି। ଏମିତି ସ୍ଥିତିରେ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳର ଆଳୁ ବ୍ୟବସାୟୀମାନେ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବର୍ଷିଛନ୍ତି। ବ୍ୟବସାୟୀ-ପ୍ରଶାସନ ମୁହାଁମୁହିଁ ସ୍ଥିତିକୁ ଆସିଯାଇଛନ୍ତି। ଅନ୍ୟପକ୍ଷରେ ମମତା ସରକାରଙ୍କ ଏପରି ଆଭିମୁଖ୍ୟ ପଛରେ ଉଦ୍ଦେଶ୍ୟ ନିଜ ରାଜ୍ୟରେ ଆଳୁ ଦର ସ୍ବାଭାବିକ ରଖିବା ନା ଓଡ଼ିଶା ପ୍ରତି ଅସୂୟା ମନୋଭାବ ସେ ସମ୍ପର୍କରେ ଜଣାପଡ଼ୁନି। ଓଡ଼ିଶା ସରକାର ଏନେଇ ପଶ୍ଚିମବଙ୍ଗ ସରକାର ସହ ତୁରନ୍ତ ଆଲୋଚନା କରିବା ଉଚିତ ହେବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ରାଜ୍ୟର ସବୁଠୁ ବଡ଼ ପରିବା ମଣ୍ଡି କଟକର ଛତ୍ରବଜାରରେ ଆଳୁ କିଲୋ ୬୦ ଟଙ୍କା ଛୁଇଁଛି। ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ ସୋମବାରଠାରୁ ବନ୍ଦ ହୋଇଯିବା ଫଳରେ ସୋମବାର ଯେଉଁ ଆଳୁ କ‌ିଲୋ ୩୫ ଟଙ୍କାରେ ବିକ୍ରି ହେଉଥିଲା ତାହା ଆଜି ୬୦ ଟଙ୍କାରେ ପହଞ୍ଚିଛି। ଅନ୍ୟପଟେ ପଶ୍ଚିମବଙ୍ଗ ସୀମାରେ ଛତ୍ରବଜାରର ୧୨ଟି ଟ୍ରକ୍‌ରେ ଆସୁଥିବା ପାଖାପାଖି ଦେଢ଼ କୋଟି ଟଙ୍କାର ଆଳୁ ୪ ଦିନ ଧରି ଅଟକି ରହିବା ପରେ ଆଜି ଫେରିଯାଇଛି। ପଶ୍ଚିମବଙ୍ଗର ମେଦିନପୁର, ଝାକରା, ହଳଦିଆ, ଅମଳାଗଡ଼ାରୁ ମୁଖ୍ୟତଃ ଆଳୁ ଛତ୍ରବଜାରକୁ ନିୟମିତ ଆସିଥାଏ। ଖରାଦିନେ ପଞ୍ଜାବ ଓ ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ ହୁଏ। କିନ୍ତୁ ଏହାର ପରିମାଣ ବହୁତ କମ୍। ଅନ୍ୟ ପକ୍ଷରେ ଛତ୍ରବଜାର ବ୍ୟବସାୟୀ ବର୍ଷ ସାରା ପଶ୍ଚିମବଙ୍ଗ ଉପରେ ନିର୍ଭର କରିଥାନ୍ତି। ପଶ୍ଚିମବଙ୍ଗରୁ ଦୈନିକ ୪ରୁ ୮ ଗାଡ଼ି ଛତ୍ରବଜାରକୁ ଆସିଥାଏ। ସୋମବାର ଦିନ ଛତ୍ରବଜାରରେ ହୋଲସେଲରେ ଆଳୁ ବସ୍ତା (୪୫ କେଜି) ପିଛା ୧୨୫୦ରୁ ୧୩ ଶହ ଟଙ୍କାରେ ବିକ୍ରି ହେଉଥିଲା। ସେହିଦିନ ଖୁଚୁରାରେ ଧଡ଼ା (ତିନି କେଜି) ୧୦୦ ଟଙ୍କା ଓ କେଜି ପିଛା ୩୫ ଟଙ୍କାରେ ବିକ୍ରି ହେଉଥିଲା। କିନ୍ତୁ ସେବେଠାରୁ ଗୋଟିଏ ବି ଗାଡ଼ି ପଶ୍ଚିମବଙ୍ଗରୁ ଛତ୍ରବଜାରକୁ ଆସିନି। ଫଳରେ ମଙ୍ଗଳବାରଠାରୁ ଆଳୁ ମୂଲ୍ୟ ବଢ଼ିଚାଲିଥିଲା। ଶୁକ୍ରବାର ଦିନ ଦୁଇଟି ଗାଡ଼ି ପଶ୍ଚିମବଙ୍ଗରୁ ଗଳା ରାସ୍ତାରେ ଆସି ଛତ୍ରବଜାରରେ ପହଞ୍ଚିଛି। ଛତ୍ରବଜାରରେ ସେହି ଆଳୁ ହୋଲସେଲରେ ବସ୍ତା ପିଛା ୨ ହଜାର ଟଙ୍କାରେ ବିକ୍ରି ହୋଇଛି। ଛତ୍ରବଜାରରେ ଖୁଚୁରା ବଜାରରେ ଧଡ଼ା ପିଛା ୧୬୦ ଟଙ୍କା ଓ କେଜି ପିଛା ୫୫ରୁ ୬୦ ଟଙ୍କାରେ ବିକ୍ରି ହେଉଛି। କିନ୍ତୁ କଟକ ସହରରେ ଥିବା ଦୋକାନରେ ଶୁକ୍ରବାର ସନ୍ଧ୍ୟାରେ ଆଳୁ ୭୦ ଟଙ୍କାରେ ବିକ୍ରି ହେଉଥିବା ସୂଚନା ରହିଛି। ଛତ୍ରବଜାରର ଜଣେ ଆଳୁ ବ୍ୟବସାୟୀଙ୍କ କହିବା ଅନୁଯାୟୀ, ୫ ଦିନ ହେବ ଛତ୍ରବଜାରରେ ପ୍ରାୟ ୧୨ଟି ଆଳୁ ବୋଝେଇ ଗାଡ଼ିରେ ଆସିଥିବା ୨୪୦ ଟନ୍ ଆଳୁ ପଶ୍ଚିମବଙ୍ଗ ସୋନାକଣିଆ ନିକଟରେ ଅଟକି ରହିଛି। ସୂଚନାଅନୁଯାୟୀ ପଶ୍ମିମ ବଙ୍ଗ ଆଳୁ ଗାଡ଼ି ଫେରାଇନେବ ବ‌ୋଲି ଜଣାପଡ଼ିଛି। ତେମେ ନବିୀ ମମତାଙ୍କୁ ଏନେଇ ଆଳୁ ଦେବାକୁ ଚିଠି ଲେଖିଛନ୍ତି। ଯାହା କିଛି ଫଳ ହୋଇପାରେ।